ଆଜିଠୁ ମାଓବାଦୀଙ୍କ ସହିଦ୍ ସପ୍ତାହ : ଆନ୍ଧ୍ର-ଓଡ଼ିଶା ସୀମା ସିଲ୍; କମ୍ବିଂ ଜୋରଦାର୍, ୨୯ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ

ରାୟଗଡ଼ା/ ବ୍ରହ୍ମପୁର : ରବିବାରଠୁ ଆରମ୍ଭ ହେଉଛି ମାଓବାଦୀଙ୍କ ସହିଦ୍ ସପ୍ତାହ। ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ତାରିଖରୁ ବିଭିନ୍ନ ମାଓ ସଙ୍ଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ। ଏହି ସପ୍ତାହ ପାଳନ ଅବସରରେ ମାଓବାଦୀମାନେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ମାଓ ଅଧ୍ୟୁଷିତ ଇଲାକାରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ସହ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମାଓ ମୁକାବିଲା ପାଇଁ ଜିଲ୍ଲାରେ ମୁତୟନ ସିଆରପିଏଫ୍, ବିଏସଏଫ୍ ଯବାନଙ୍କ ସମେତ ଏସଓଜି, ଡିଭିଏଫ୍ ଯବାନ କମ୍ବିଂରେ ମୁତୟନ ହୋଇଛନ୍ତି। ଏହାଛଡ଼ା ଏହି ଇଲାକା ଅନ୍ତର୍ଗତ ୨୯ଟି ରୁଟ୍‌ରେ ସରକାରୀ ବସ୍‌ ଚଳାଚଳକୁ ଆଜି ମଧ୍ୟରାତ୍ରିରୁ ବନ୍ଦ ରଖାଯାଇଛି।

ନିକଟରେ ମାଓବାଦୀ ରାୟଗଡା ସୀମାନ୍ତ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ହତ୍ୟା କରିଥିବାରୁ ପୁଲିସ୍ ସଜାଗ ରହିବା ସହ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛି। ତେବେ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଇଁ ଜୟପୁର, ରାୟଗଡ଼ା, ବ୍ରହ୍ମପୁର, ଭଂଜନଗର ଓଡ଼ିଶା ରାଜ୍ୟ ପରିବହନ ନିଗମ ଅଧୀନରେ ଥିବା ୨୯ଟି ରୁଟରେ ବସ୍ ଚଳାଚଳ ବନ୍ଦ ରହିଛି। ବ୍ରହ୍ମପୁରରୁ ବାଲିମେଳା, ବ୍ରହ୍ମପୁରରୁ ଉମରକୋଟ, ବ୍ରହ୍ମପୁରରୁ ରାୟଗଡ଼ା ଓ ବ୍ରହ୍ମପୁରରୁ ଭବାନୀପାଟଣାକୁ ଯାଉଥିବା ବସ୍‌ଗୁଡ଼ିକ ବନ୍ଦ ଥିବାବେଳେ ଭଞ୍ଜନଗରରୁ ମାଲକାନଗିରି ଯାଉଥିବା ୨ଟି ବସ୍‌, ଭଞ୍ଜନଗରରୁ ସୁନାବେଡ଼ା, ଭଞ୍ଜନଗରରୁ ଇନ୍ଦ୍ରାବତୀ ଯାଉଥିବା ଗୋଟିଏ ଲେଖାଏଁ ବସ୍‌ ବନ୍ଦ ରହିବ। ଜୟପୁର ଡିଟିଏମ୍ ଚିତ୍ତ ରଂଜନ ସାହୁଙ୍କ ସୂଚନାନୁଯାୟୀ, ଜୟପୁର ଓଏସଆରଟିସି ଅଧୀନରେ ଥିବା ୧୬ଟି ରୁଟରେ ବସ୍ ଚଳାଚଳ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଜୟପୁର-ଭଦ୍ରାଞ୍ଚଳମ୍, ଜୟପୁର-ମାଲକାନଗିରି, ଜୟପୁର-ରାୟଗଡା, ଜୟପୁର-ଗୁପ୍ତେଶ୍ବର, ଜୟପୁର-ପାର୍ବତୀପୁର, ଜୟପୁର-କୋଟିଆ, ଜୟପୁର-ଆରୁକୁ, ଜୟପୁର-ଚିତ୍ରକୋଣ୍ଡା, ଜୟପୁର-ଫୁଲବାଣୀ, ଜୟପୁର-ପାରଳାଖେମୁଣ୍ଡି, ମୋଟୁ, ନାରାୟଣପାଟଣା, କାଶୀପୁର ଓ ଦଶମନ୍ତପୁର ରୁ‌ଟରେ ଗାଡି ଗଡିବନି। ସେହିପରି ରାୟଗଡା ଓଏସଆରଟିସି ଅଧୀନରେ ଥିବା ୬ଟି ରୁଟ୍ ରାୟଗଡା-ଥୁଆମୂଳରାମପୁର, ରାୟଗଡା-ଚନ୍ଦ୍ରପୁର, ରାୟଗଡା-ନାରାୟଣପାଟଣା, ରାୟଗଡା-ଗୁଲୁଗୁଡା (ମୋହନା), ସାନ୍ଦୁବାଡି-ନାରାୟଣପାଟଣାକୁ ଗାଡି ଚଳାଚଳ କରିବନି ବୋଲି ଡିଟିଏମ୍ ଭି. ଆର. ରାଓ କହିଛନ୍ତି। ସେହିପରି ବ୍ରହ୍ମପୁର ଡିଟିଏମ୍ ଅଧୀନରେ ଥିବା ବ୍ରହ୍ମପୁର-ରାୟଗଡା, ବ୍ରହ୍ମପୁର-ଚିତ୍ରକୋଣ୍ଡା, ବ୍ରହ୍ମପୁର-ବାଲିମେଳା, ଭଂଜନଗର ଡିଟିଏମ୍ ଅଧୀନରେ ଥିବା ଭଂଜନଗର-ବାଲିମେଳା, ଭଂଜନଗର-ମାଲକାନଗିରି, ଭଂଜନଗର-ସୁନ‌ାବେଡା, ଭଂଜନଗର-ଜୟପୁରକୁ ଗାଡି ଚଳାଚଳ କରିବ ନାହିଁ। ଆସନ୍ତା ଅଗଷ୍ଟ ୪ତାରିଖରେ ବସ୍‌ ଚାଳଚଳ ସ୍ବାଭାବିକ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ରୁଟରେ ଚଳାଚଳ କରୁଥିବା ବେସରକାରୀ ବସ୍ ଆନ୍ଧ୍ର ରୁଟ ଦେଇ ଯାତାୟାତ କରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି।

ରାୟଗଡ଼ାରେ ମାଓବାଦୀଙ୍କ ସ୍ଥିତି ପ୍ରଭାବହୀନ ସ‌ତ୍ତ୍ବେ ସଜାଗ ରହିଛି ପୁଲିସ୍। ପଡ଼ୋଶୀ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଆନ୍ଧ୍ରରେ ମାଓବାଦୀଙ୍କ ଗତିବିଧି ଥିବାରୁ ଯେ କୌଣସି ମୁହୂର୍ତରେ ଆତ୍ମଗୋପନ ପାଇଁ ରାୟଗଡ଼ାକୁ ପଶି ଆସି ପାରନ୍ତି ମାଓବାଦୀ। ଗୁଇନ୍ଦା ବିଭାଗର ଏହି ସୂଚନା ପରେ ପୁଲିସ୍, ସିଆରପିଏଫ୍, ବିଏସଏଫ୍ ଯବାନ କମ୍ବିଂ ଅପରେସନକୁ ଜୋରଦାର୍ କରିଛନ୍ତି। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ଗାଁ ଓ ନିକଟସ୍ଥ ଜଙ୍ଗଲ ଉପରେ ସୁରକ୍ଷା ବାହିନୀ କଡ଼ା ନଜର ରଖିବା ସହିତ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସର୍ଚ ଅପରେସନ୍ ଜାରି ରଖିଛି। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ନାକାବନ୍ଦୀ କରି ସୁରକ୍ଷା ବାହିନୀ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଖାନତଲାସି କରିବା ପରେ ଛାଡ଼ୁଛି। ସେହିପରି ସିଆରପିଏଫ୍ ଓ ବିଏସ୍ଏଫ୍ କ୍ୟାମ୍ପ ସମ୍ମୁଖରେ ନାକାବନ୍ଦୀ କରିଛନ୍ତି ଯବାନ।

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡା, କାଶୀପୁର ବ୍ଲକ୍ ମାଓ ପ୍ରଭାବିତ ଇଲାକା ହୋଇଥିବାରୁ ଏହି ସବୁ ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର ରଖିଛି ପୁଲିସ୍। ରାୟଗଡ଼ାରେ ବଂଶଧାରା-ନାଗାବଳୀ ଡିଭିଜନ୍, ନିୟମଗିରି ଏରିଆ କମିଟି, ସୀମାନ୍ତ କୋରାପୁଟରେ କୋରାପୁଟ-ଶ୍ରୀକାକୁଲମ୍, ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ୍ କମିଟି, ନନ୍ଦପୁର ଏରିଆ କମିଟି ମାଓ ସଂଗଠନର ନେତୃତ୍ବ ନେଉଛି। ସହିଦ୍ ଦିବସ ପୂର୍ବରୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିଂମାଶୁ ଲାଲ୍ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସହିଦ୍ ସପ୍ତାହରେ ମାଓବାଦୀ ଯେମିତି କିଛି ଅଘଟଣ ନ ଘଟାନ୍ତି ସେଥିପ୍ରତି ସର୍ତକ ରହିବାକୁ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି। ଏ ସଂପର୍କରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍‌ କହିଛନ୍ତି ଯେ ସହିଦ୍ ସପ୍ତାହକୁ ନେଇ ପୁଲିସ୍ ସଜାଗ ରହିଛି। ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଗୁଇନ୍ଦା ସୂଚନାକୁ ଭିତ୍ତି କରି ଅପରେସନ୍ ଚାଲିଛି।

ସମ୍ବନ୍ଧିତ ଖବର