ବିଲେଇଲାଟି ପ୍ରକଳ୍ପକୁ ମାଓବାଦୀଙ୍କ ବିରୋଧ: ରାସ୍ତା ଅବରୋଧ କରି ବ୍ୟାନର ଲଗାଇଲେ

ଖାଲି ଟିଫିନ୍‌ ସହ ତାର ଜବତ କଲା ପୁଲିସ

ଝରିଗାଁ : ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାସ୍ତାରେ ରବିବାର ସକାଳେ ମାଓ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଥିଲା। ସେହିପରି ରାସ୍ତାରେ ଗଛ ଡାଳ ଏବଂ ଲୁହା ତାର ପକାଇ ଅବରୋଧ କରାଯାଇଥିଲା। ଖାଲି ଟିଫିନ୍‌ ସହ ବିଦ୍ୟୁତ ତାର ବି ଘଟଣାସ୍ଥଳରେ ଠାବ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଏମିତି କରିଥିବା କୁହାଯାଉଛି। ଏ ନେଇ ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ସୂଚନା ଅନୁଯାୟୀ, ସିଂଗାଡ଼ି ଘାଟିର ଗୋଟିଏ ସ୍ଥାନରେ ଅବରୋଧ କରି ଉଦନ୍ତି ମାଓ ଡିଭିଜନ ନାମରେ ବ୍ୟାନର ଲାଗିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ସେହିପରି ହିନ୍ଦୀ ଓ ଓଡ଼ିଆରେ କିଛି ପୋଷ୍ଟର ବି ସେଠାରେ ପଡ଼ିଥିଲା। ଏହାକୁ ଦେଖିବା ପରେ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଖବର ପାଇ ଚନ୍ଦାହାଣ୍ଡି ଓ ଝରିଗାଁ ଥାନା ପୁଲିସ ସହ ଉମରକୋଟ ଏସ୍‌ଡିପିଓ ଦିନେଶ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାସ୍ତାକୁ ସଫଳ କରି ବ୍ୟାନର ଓ ପୋଷ୍ଟରକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଜବତ ବ୍ୟାନରେ ତେଲନଦୀରେ ପ୍ରସ୍ତାବିତ ବିଲେଇଲାଟି ପ୍ରକଳ୍ପକୁ ବିରୋଧ କରାଯାଇଛି। ଏହି ପ୍ରକଳ୍ପ ଯୋଗୁ ଝରିଗାଁ, ଉମରକୋଟ ଏବଂ ରାଇଘର ବ୍ଲକ୍‌ର ପ୍ରାୟ ୧୦ହଜାର ପରିବାର ବିସ୍ଥାପିତ ହୋଇଯିବେ। ଲୋକ କ୍ଷତିଗ୍ରସ୍ତ ହେଉଥିବାରୁ ପ୍ରକଳ୍ପ ନ କରିବାକୁ ଚେତାବନୀ ଦିଆଯାଇଛି। ସାଧାରଣ ଲୋକଙ୍କୁ ଏଯାବତ ସ୍ୱାଧୀନତା ମିଳିନାହିଁ, ମିଥ୍ୟା ସ୍ୱାଧୀନତା ଦିବସ ପାଳନ କରାଯାଉଛି ବୋଲି ଉଲ୍ଲେଖ ହୋଇଛି। ଏପରିକି ସାଧାରଣ ଜନତା ଏହି ପୋଷ୍ଟରକୁ ବ୍ୟାନରକୁ ବାହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳକୁ ବିଦ୍ୟୁତ ତାର ନଜରକୁ ଆସିଥିଲା। ଏହାକୁ ଭଲ ରୂପେ ନିରକ୍ଷଣ କରିବାରୁ ଗୋଟିଏ ସ୍ଥାନରେ ଟିଫିନ୍‌ ଥିବା ପୁଲିସ ଦେଖିଥିଲା। ତେଣୁ ନବରଙ୍ଗପୁର ସିଆର୍‌ପିଏଫ୍‌ କ୍ୟାମ୍ପରୁ ବମ୍‌ ସ୍କ୍ବାଡ୍‌ ପହଞ୍ଚି ଉକ୍ତ ଟିଫିନ୍‌କୁ ଯାଞ୍ଚ କରିବାରୁ ସେଥିରେ କିଛି ନଥିଲା। ବହୁ ଦିନ ପରେ ଏହି ଅଞ୍ଚଳରେ ମାଓବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି। ପୁଲିସ ସନ୍ଦିଗ୍ଧ ଗତିବିଧି ଉପରେ ନଗର ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର