ମାଲକାନଗିରି : ଆସନ୍ତା ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ନକ୍ସଲ ପାଳିବେ ପିଏଲଜିଏ ସପ୍ତାହ। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ନକ୍ସଲ ପୁଲିସକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଏକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। ବିଛିନ୍ନାଞ୍ଚଳର ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ତୋଟାଗୁଡା ଗ୍ରାମ ନିକଟରେ ଏକ ଦୁର୍ଗମ ସ୍ଥାନରେ ନକ୍ସଲ ଏହି ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। ଏହି କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ଲାଲ ରଂଗରେ ରଂଗେଇ ଥିବା ବେଳେ ପୁଲିସ ଥାନା ଭଳି ଏହାର ଚାରିପଟେ ତାର ବାଡ ଦିଆଯାଇଛି। ଏଥିସହ ଏହି କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱରେ ନକ୍ସଲ ନେତା ସମରା ଏବଂ ତାଂକ ପତ୍ନୀ ରହିବେ ବୋଲି ସୂଚନା ମିଳିଛି। ଆସନ୍ତା ୨ ତାରିଖ ଦିନ ଏହି କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ। ପିଏଲଜିଏ ସପ୍ତାହରେ ସ୍ଥାନୀୟ ଯୁବକଯୁବତୀମାନଙ୍କୁ ନୂତନ ଭାବେ ସଂଗଠନରେ ସାମିଲ କରାଯିବା କାର୍ଯ୍ୟକ୍ରମ ରହିଛି। ଏହି ନୂତନ ସଦସ୍ୟଙ୍କୁ ତାଲିମ ଦେବାଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଆଦି ଏହି ସ୍ଥାୟୀ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଏଥିସହ ନକ୍ସଲ ମାଲକାନଗିରି ଜିଲ୍ଲା, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ନକ୍ସଲ ପୋଷ୍ଟର ମାରି ଏହି ସପ୍ତାହକୁ ଧୁମଧାମରେ ପାଳନ କରିବା ପାଇଁ ଆହ୍ଵାନ କରିଛନ୍ତି। ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ଲଗାଯାଇଥିବା ପୋଷ୍ଟରକୁ ଜବତ କରିଥିବା ଜଣାପଡ଼ିଛି।
ଏ ସଂପର୍କରେ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ସହ ଯୋଗାଯୋଗ କରାଯିବାରୁ ପୁଲିସ ଏ ସଂପର୍କରେ ଅବଗତ ଥିବା କହିଛନ୍ତି। ପିଏଲଜିଏକୁ ଆଖିଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିଜେ ଏସପି ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ସେହିପରି ବିଏସଏଫ ମଧ୍ୟ ଏହି ଦିବସକୁ ଆଖି ଆଗରେ ରଖି ଜିଲ୍ଲାରେ ରହିଥିବା ସମସ୍ତ କ୍ୟାମ୍ପଗୁଡିକକୁ ସତର୍କ କରିଛି।। ତଥାପି ଦୁର୍ଗମ ଗ୍ରାମଗୁଡିକରେ ଲୋକେ ଭୟ ଓ ଆତଙ୍କ ମଧ୍ୟରେ ଅଛନ୍ତି।