ରାସ୍ତା କାମକୁ ମାଓବାଦୀଙ୍କ ବିରୋଧ : ଶ୍ରମିକଙ୍କୁ ପିଟିଲେ, ଗାଡ଼ି ପୋଡ଼ିଦେଲେ

କଲ୍ୟାଣସିଂହପୁର/ରାୟଗଡ଼ା : ନିୟମଗିରି ପାହାଡ଼ରେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ଠିକା କ୍ୟାମ୍ପରେ ତାଣ୍ଡବ ରଚିଛନ୍ତି। ଠିକା କ୍ୟାମ୍ପର ଦୁଇ ଶ୍ରମିକଙ୍କୁ ନିସ୍ତୁକ ପିଟିବା ସହ ରାସ୍ତା କାମରେ ନିୟୋଜିତ ୨ଟି ଜେସିବି ଓ ଗୋଟିଏ ରୋଲରକୁ ପୋଡ଼ି ଦେଇଛନ୍ତି। ପୋଡ଼ି ଯାଇଥିବା ଗାଡ଼ି ଓ ମେସିନର ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଧ୍ବ ହେବ। ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ନିୟମଗିରିକୁ ବେଦାନ୍ତ କଂପାନି ହାତରେ ଟେକି ଦେବାକୁ ରାସ୍ତା କାମ ଚାଲିଥିବା ପୋଷ୍ଟରରେ ମାଓବାଦୀ ଉଲ୍ଲେଖ କରିଛନ୍ତି। ଏଥି ସହିତ ରାସ୍ତା କାମକୁ ସମର୍ଥନ ଦେଉଥିବା ବ୍ୟକ୍ତିକୁ ଜନ ଅଦାଲତରେ ମୃତ୍ୟୁଦଣ୍ଡ ଦେବାକୁ ସିପିଆଇ ମାଓବାଦୀ ରାୟଗଡ଼ା ଏରିଆ କମିଟି ଚେତାବନୀ ଦେଇଛି।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୦କୋଟି ଟଙ୍କା ବ୍ୟୟରେ କଲ୍ୟାଣସିଂହପୁର ବ୍ଲକ୍ ପାର୍ସାଲି ପଞ୍ଚାୟତର ଗୁଣ୍ଡୁରିବାଡ଼ିରୁ ଲାଖପଦର ୧୬ କିମି ରାସ୍ତାର ନିର୍ମାଣ କାମ ଚାଲିଛି। ୮କିମି ରାସ୍ତାର ନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ନାରିଙ୍ଗିତୋଲାରୁ ଗୁମ୍ମାକୁ ସଂଯୋଗ ହୋଇଥିବା ବାକି ରାସ୍ତାର ନିର୍ମାଣ ଚାଲୁ ରହିଛି। ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଗୁମ୍ମା ଗାଁ ନିକଟରେ ଥିବା ଠିକା କ୍ୟାମ୍ପରେ ୫୦ରୁ ୬୦ ମାଓବାଦୀ ପହଞ୍ଚିଥିଲେ। କ୍ୟାମ୍ପ ଭିତରେ ଶୋଇଥିବା ୭ଶ୍ରମିକଙ୍କୁ ଉଠାଇ ମାଓବାଦୀ ପଚରାଉଚରା କରିବା ପରେ ୨ ଶ୍ରମିକଙ୍କୁ ବାନ୍ଧି ନିସ୍ତକୁ ପିଟିଥିଲେ। ତୁରନ୍ତ ଜାଗା ଛାଡ଼ି ନଗଲେ ଗାଡ଼ି ସହ ପୋଡ଼ି ଦେବୁ ବୋଲି ଧମକ ଦେବା ପରେ ଶ୍ରମିକମାନେ ଭୟରେ ଠିକା କ୍ୟାମ୍ପରୁ ଗାଁକୁ ପଳାଇ ଆସିଥିଲେ। ଶ୍ରମିକମାନେ ଠିକା କ୍ୟାମ୍ପ ଛାଡ଼ିବା ପରେ ମାଓବାଦୀମାନେ ରାସ୍ତା ଉପରେ ଥିବା ୨ଟି ଜେସିବି (ଚେନ୍ ସିଷ୍ଟମ୍), ଗୋଟିଏ ରୋଲରକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏଥିସହ ମିକ୍ସଚର୍ ମେସିନ ଟାୟାରରେ ନିଆଁ ଲଗାଇ ଗୋଟିଏ ଗାତ ଭିତରକୁ ଠେଲି ଦେଇଥିଲେ। ୧୫ରୁ ୩୦ ମାଓବାଦୀ ପୋଡାପୋଡ଼ି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଅନ୍ୟ ୩୦ରୁ ଊର୍ଧ୍ବ ମାଓବାଦୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇ ରହିଥିଲେ। ଖବର ପାଇ ସକାଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମାମଲା ରୁଜୁ କରିଛି। ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସ୍ କମ୍ବିଂ ଓ ସର୍ଚ ଅପରେସନ୍ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ୍ ଏମ୍। ମାଓବାଦୀଙ୍କ ଏପରି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର