କଲ୍ୟାଣସିଂହପୁର: ସୋମବାର ରାତି ଅଧରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅଞ୍ଚଳରେ ମାଓବାଦୀମାନେ ରାସ୍ତା ନିର୍ମାଣରେ ନିୟୋଜିତ କେତେକ ଯନ୍ତ୍ରପାତି ବା ମେସିନ୍ ପୋଡ଼ି ପକାଇଛନ୍ତି।
ନିୟମଗିରି ଅଞ୍ଚଳର ପାରସାପାଲି ଗ୍ରାମପଞ୍ଚାୟତର ଗୁମା ଗାଁ ନିକଟରେ ଘଟଣାଟି ଘଟିଛି। ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମାକୁ ରାସ୍ତା ତିଆରି ଚାଲିଥିଲା। ଏହାକୁ ବିରୋଧ କରି ରାତି ପ୍ରାୟ ୧୨ଟା ବେଳେ ୬୦ ଊର୍ଦ୍ଧ୍ୱ ମାଓବାଦୀ ସେଠାକୁ ଆସି ପ୍ରଥମେ ଦୁଇଜଣ ଶ୍ରମିକଙ୍କୁ ବାନ୍ଧି ବହେ ମାରଧର କରିବା ସହ ସେମାନଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଲେ। ତା’ପରେ ସେମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଦୁଇଟି ଜେସିବି, ଗୋଟାଏ ରୋଲର୍ ଏବଂ ଗୋଟାଏ ମିକ୍ସର୍ ମେସିନ୍ ପୋଡ଼ି ପକାଇଲେ।
ଘଟଣାସ୍ଥଳରେ ସେମାନେ ଲଗାଇଥିବା ତିନିଟି ପୋଷ୍ଟର୍ରେ ଲେଖାଯାଇଛି ଯେ ଖଣି ଖନନ ନିମନ୍ତେ ନିୟମଗିରିକୁ ବେଦାନ୍ତ ହାତକୁ ଟେକି ଦେବା ଲାଗି ରାସ୍ତା ନିର୍ମାଣ ଚାଲିଛି। ଯେଉଁମାନେ ଏହି ନିର୍ମାଣ କାର୍ଯ୍ୟରେ ସାମିଲ ହେବେ, ସେମାନଙ୍କୁ ହତ୍ୟା କରାଯିବ।
ଡଙ୍ଗରିଆ କନ୍ଧମାନଙ୍କ ଦାବି କ୍ରମେ ଗ୍ରାମ୍ୟ ନିର୍ମାଣ ବିଭାଗ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରାଉଛି।
ଏହା ପୂର୍ବରୁ ମଧ୍ୟ ମାଓବାଦୀମାନେ ରାସ୍ତା ନିର୍ମାଣକୁ ବିରୋଧ କରି ଦୁଇ ଥର ଯନ୍ତ୍ରପାତି ପୋଡ଼ି ପକାଇଥିଲେ।