ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ସଂଗଠନକୁ ଲାଗିଛି ଶକ୍ତ ଝଟ୍କା। ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୯୫ଜଣ ମାଓ ମିଲିସିଆ ଓ ଗ୍ରାମ୍ୟ କମିଟି ସଭ୍ୟ। ଅଞ୍ଚଳର ବିକାଶକୁ ସେମାନେ ସମର୍ଥନ କରୁଛନ୍ତି ଏବଂ ଆଗକୁ ପୁଲିସକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କ୍ରମାଗତ ଭାବେ ମାଓ ସମର୍ଥକଙ୍କ ଆତ୍ମସମର୍ପଣ ସ୍ବାଭିମାନ ଅଞ୍ଚଳରେ ବଡ଼ ପରିବର୍ତ୍ତନର ଆଭାସ ଦେଉଛି।
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ଆନ୍ଧ୍ର ସୀମାନ୍ତ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଠାରେ ବିଏସ୍ଏଫ୍ ପକ୍ଷରୁ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ସେହିପରି କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିବା ବେଳେ ୫୦ଜଣ ମାଓ ସମର୍ଥକ ମୁଖ୍ୟସ୍ରୋତକୁ ଫେରିଥିଲେ। ଏହାପରେ ଆଜି ପୁଣି ଯନ୍ତ୍ରୀ ପଞ୍ଚାୟତର ଧାକଡ଼ପଦର ଗାଁରେ ପଲ୍ଲୀସଭା ଆୟୋଜନ କରାଯାଇଥିଲା। ଏଥିରେ ମାଲକାନଗିରି ଏସ୍ପି ନୀତିଶ ଵାଧଵାନୀ, ବିଏସ୍ଏଫ୍ କମାଣ୍ଡାଣ୍ଟ, ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଡାବଗୁଡା, ଆରଲିଙ୍ଗପଡା ଏବଂ ଧାକଡପଦର ଗାଁର ୨୯୫ଜଣ ମହିଳା ଓ ପୁରୁଷ ମାଓ ସମର୍ଥକ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏଠାରେ ସେମାନଙ୍କୁ ସୁରକ୍ଷା ଦେବାକୁ କେହି ନଥିବାରୁ ବାଧ୍ୟ ହୋଇ ମାଓବାଦୀଙ୍କୁ ସମର୍ଥନ କରୁଥିଲେ। ଏବେ ବିଏସ୍ଏଫ୍ ଏବଂ ଯଡ଼ାମ୍ବ ଥାନା ପୁଲିସ ମିଳିତ ଭାବେ ସୁରକ୍ଷା ଯୋଗାଇ ଦେବାରୁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି। ଆଗକୁ ମାଓବାଦୀଙ୍କ ହାତ ଛାଡି ବିକାଶର ଧାରାକୁ ଆଗେଇ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହିଂସାରେ କେବେ ମଧ୍ୟ ଗଡ ଜୟ କରାଯାଇ ପାରିବ ନାହିଁ ବୋଲି ପୁଲିସ କହିଥିଲା। ତେଣୁ ମାଓବାଦୀ ଆଲୋଚନା କରନ୍ତୁ ଏବଂ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ଆହ୍ବାନ ଦିଆଯାଇଥିଲା।
ବଡ଼ କଥା ହେଲା ଏହି କାର୍ଯ୍ୟକ୍ରମରେ ମାଓବାଦୀ ପିନ୍ଧୁଥିବା ପୋଷାକକୁ ସମର୍ଥକ ମାନେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ମାଓବାଦୀ ମୁର୍ଦାବାଦ ବୋଲି ନାରା ଦେଇଥିଲେ। ଆଗକୁ ମାଓବାଦୀ ଗାଁରେ ପଶିଲେ ତଡ଼ିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ସହାୟତା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପ୍ରଶାସନ ଘୋଷଣା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/chitrakonda.jpg)