ମାଲକାନଗିରି: ଶେଷ ନିଶ୍ବାସ ନେଉଛି ମାଓବାଦୀ ସଂଗଠନ। ତଥାପି ସଂଗଠନର ଅସ୍ତିତ୍ବ ବଞ୍ଚାଇ ରଖିବାକୁ ପୂରା ଜୋର୍‌ ଲଗାଇଛି। ସଂପୂର୍ଣ୍ଣ ମୂଳପୋଛ ହେବା ପୂର୍ବରୁ ଯୁଦ୍ଧ ବିରତି ଲାଗି ପୁଣି ନିବେଦନ କରିଛି। ସରକାରଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି। ମାଓ ଦମନ ଅଭିଯାନ ଜୋର୍‌ଦାର ହେବା ପରେ ଲାଲ୍‌ ବାହିନୀ ଭୟଭୀତ ହୋଇପଡ଼ିଛି। ଏନ୍‌କାଉଣ୍ଟର୍‌ରେ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମୃତ୍ୟୁ ପରେ ସଂଗଠନ ନେତୃତ୍ବ ବିହୀନ ହୋଇଯାଇଛି। ଏଭଳି ସ୍ଥିତିରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଅସ୍ଥାୟୀ ଭାବେ ଅସ୍ତ୍ର ଛାଡ଼ିବା ପାଇଁ ସଂଗଠନ ଆକୁଳ ନିବେଦନ କରିଛି। ଶାନ୍ତି ବାର୍ତ୍ତା ଲାଗି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ, ରାଜ୍ୟପାଳ ଏବଂ ମାଓ ପ୍ରଭାବିତ ରାଜ୍ୟର ସରକାରଙ୍କୁ ଅନୁରୋଧ କରିଛି। ସଂଗଠନ କହିଛି, ୨୦୨୫ ମାର୍ଚ୍ଚରୁ ଶାନ୍ତି ବାର୍ତ୍ତା ଲାଗି ପ୍ରଚେଷ୍ଟା ଜାରି ରହିଛି। କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ମେ ୧୦ରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଦୁଇପକ୍ଷ ଅସ୍ତ୍ର ବିରତି କରିବା ଲାଗି ନିବେଦନ କରିଥିଲେ। ଏକ ମାସ ପାଇଁ ଅସ୍ତ୍ର ଛାଡ଼ି ଶାନ୍ତିବାର୍ତ୍ତା ମାଧ୍ୟମରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କୌଣସି ଉତ୍ତର ରଖିନଥିଲେ। 

Advertisment

ଯୁଦ୍ଧ ବିରତି ଲାଗି ନିବେଦନ
କେନ୍ଦ୍ରୀୟ କମିଟି ଜାରି କଲା ପ୍ରେସ୍‌ ବିଜ୍ଞପ୍ତି
ଦ୍ବିପାକ୍ଷିକ ଆଲୋଚନା ଲାଗି ପ୍ରସ୍ତାବ

ଅପରପକ୍ଷରେ ଜାନୁଆରି ୨୦୨୫ରୁ ନକ୍ସଲ ବିରୋଧୀ ଅଭିଯାନକୁ ତୀବ୍ରତର କରିଛନ୍ତି ସୁରକ୍ଷାବାହିନୀ। କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସଫଳ ହେବାକୁ ଯାଉଛି। କାରଣ ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ୍‌ ଯୋଗୁଁ ସଂଗଠନ ବହୁ ଟପ୍‌ କ୍ୟାଡର୍‌ଙ୍କୁ ହରାଇ ସାରିଛି। ବର୍ଷକ ମଧ୍ୟରେ ୪ କେନ୍ଦ୍ରୀୟ କମିଟି ସଚିବ ନିହତ ହୋଇଛନ୍ତି। ତେଣୁ ମାଓ କେନ୍ଦ୍ରୀୟ କମିଟି ଶାନ୍ତିବାର୍ତ୍ତା ପାଇଁ ପୁନର୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି। ସଂଗଠନର ମୁଖପାତ୍ର ଅଭୟ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିବା ସହ ଇ-ମେଲ୍‌, ଫେସ୍‌ବୁକ୍‌ ଏବଂ ସୋସିଆଲ୍‌ ମିଡିଆରେ ସରକାର ନିଜ ନିଷ୍ପତ୍ତି ଜଣାଇ ପାରିବେ ବୋଲି କହିଛନ୍ତି।