ମାଲକାନଗିରି : ମାଓ ଆତଙ୍କରୁ ମୁକୁଳିପାରୁନି ମାଲକାନଗିରି ଜିଲ୍ଲା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ସଂପୂର୍ଣ୍ଣ ରୂପେ ମାଓବାଦୀଙ୍କ କବ୍ଜାରେ ରହିଥିବା ବେଳେ ଏବେ ପୁଣି କାଲିମେଳା ଏବଂ ପଡିଆ ବ୍ଲକ୍ରେ ସ୍ଥିତି ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ନକ୍ସଲ ଏଠାରେ ପୋଷ୍ଟର ଏବଂ ଚିଠି ଛାଡ଼ି ପ୍ରତି ଗ୍ରାମରୁ ୧୦ଜଣ ଲେଖାଏଁ ସଂଗଠନରେ ସାମିଲ ହେବାକୁ ନିର୍ଦେଶ ଦେଇଛନ୍ତି। ଏହାକୁ ଅମାନ୍ୟ କଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ଏଥିସହ ଆତ୍ମସମର୍ପଣ କରିଥିବା ନକ୍ସଲ ଏବଂ ମିଲିସିଆଙ୍କୁ ସଂଗଠନକୁ ଫେରି ଆସିବା ପାଇଁ ନିର୍ଦେଶ ଦିଆଯାଇଛି। ନକ୍ସଲଙ୍କ ଏଭଳି ଧମକପୂର୍ଣ ଚିଠି ଏବଂ ପୋଷ୍ଟର କାଲିମେଳା ବ୍ଲକର ବଡ଼ଟେକ୍ଗୁଡ଼ା ଅଞ୍ଚଳରୁ ମିଳିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅପରପକ୍ଷରେ ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଉଥିବା ଅଞ୍ଚଳରେ କମ୍ବିଂକୁ ଜୋରଦାର କରାଯିବ। ମାଓବାଦୀଙ୍କ ଯୋଜନାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ନକ୍ସଲ ସଂଗଠନରେ ସାମିଲ ପାଇଁ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ଧମକ ଦିଆଯିବା ସହ ଭିଟାମାଟିରୁ ତଡ଼ି ଦିଆଯାଉଥିବା ପୂର୍ବରୁ ଅଭିଯୋଗ ଉଠୁଥିଲା। ବଡ଼ ଟେକ୍ଗୁଡ଼ା ଅଞ୍ଚଳରୁ ଆଜି ମାଓବାଦୀଙ୍କ ଏହି ଚିଠି ମିଳିବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ଚିଠିରେ ଦର୍ଶାଯାଇଛି ଯେ ପ୍ରତ୍ୟେକ ଗ୍ରାମରୁ ୧୦ ଜଣ ଲେଖାଏଁ ନକ୍ସଲ ସଂଗଠନରେ ଯୋଗଦାନ କରିବା ପାଇଁ କେନ୍ଦ୍ରୀୟ କମିଟି ଆହ୍ଵାନ କରିଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ସଂଗଠନରେ ସାମିଲ ନହେଲେ ଗୋଡ ହାତ କାଟି ଦେବା ସହ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯିବ। ଆସନ୍ତା ୨୫ ତାରିଖ ଦିନ ହେଲକାନୁର ପାହାଡ ତଳେ ଆସି ସମସ୍ତେ ଦେଖାକରିବ ଏବଂ ନକ୍ସଲଙ୍କ ସହ ହାତ ମିଳାଇବ। ଯେଉଁମାନେ ଏହାର ଖିଲାପ କରିବେ ସେମାନଙ୍କୁ ହତ୍ୟା କରାଯିବ ବୋଲି ସିଧା ସିଧା ଚିଠିରେ ଉଲ୍ଲେଖ କରାଯାଇଛି।
ବଡଟେକଗୁଡାକୁ ରାସ୍ତା ନିର୍ମାଣ କଲେ ଠିକାଦାରକୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଉଲ୍ଲେଖ କରାଯାଇଛି। ପୋଲିସ ଇନଫର୍ମରକୁ କେବେ ମଧ୍ୟ ଛଡାଯିବ ନାହିଁ ବୋଲି ଧମକ ଦିଆଯାଇଛି। ଆତ୍ମସମର୍ପଣ କରିଥିବା ମିଲିସିଆ ଏବଂ ନକ୍ସଲମାନଙ୍କୁ ମଧ୍ୟ ଅନୁରୂପ ଭାବେ ଚେତାବାନୀ ଦିଆଯାଇଛି। ଫଳରେ ପରିବାର ସହ ଗ୍ରାମ ଛାଡି ପଳାଇବାକୁ ଏମାନେ ଯୋଜନା କରୁଥିବା ସୂଚନା ମିଳିଛି। ଜିିଲ୍ଲାର ସବୁଠାରୁ ବେଶୀ ମିଲିସିଆ କାଲିମେଳା ଦଲମରେ ରହିଥିଲେ। ସେଥିରୁ ଅର୍ଦ୍ଧାଧିକ ମିଲିସିଆ ଆତ୍ମସମର୍ପଣ କରିସାରିଛନ୍ତି। ଯେଉଁଥି ପାଇଁ ନକ୍ସଲ ଏହି ଅଂଚଳକୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ନକ୍ସଲଙ୍କ କେନ୍ଦ୍ରୀୟ କମିଟିର ମୁଖିଆ ବଦଳିବ ଏବଂ ନକ୍ସଲଙ୍କ ଟାର୍ଗେଟରେ ଓଡ଼ିଶା ରହିଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା। ମାଓବାଦୀଙ୍କ ଏହି ଚିଠି ମିଳିବା ପରେ ମାଓ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ହେଉଥିବା ସ୍ପଷ୍ଟ ହୋଇଛି।
ଚିଠି ମାଧ୍ୟମରେ ନକ୍ସଲଙ୍କ ଏଭଳି ନିର୍ଦେଶକୁ ପୋଲିସ ଗୁରୁତ୍ୱର ସହ ନେଇଛି। ଏହି ଅଂଚଳରେ କମ୍ବିଂକୁ ଜୋରଦାର କରାଯିବ ବୋଲି ଏସପି ଜଗମୋହନ ମୀନା ପ୍ରକାଶ କରିଛନ୍ତି। ହେଲକାନୁର ପାହାଡରେ ବୈଠକ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିବାରୁ ସେହି ଅଂଚଳକୁ ସିଲ କରିଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହାକୁ ଛତିଶଗଡ ପୁଲିସ ମଧ୍ୟ ଗୁରୁତ୍ୱ ଦେଇଛି। କାଲିମେଳା ସୀମାନ୍ତକୁ ଛତିଶଗଡ ଲାଗି ରହିଥିବାରୁ ଏହି ଅଂଚଳରେ ନକ୍ସଲଙ୍କ ଗତିବିଧି ବଢିବାରେ ଲାଗିଛି। ଛତିଶଗଡ ପୁଲିସ ମଧ୍ୟ ଏହି ଅଂଚଳରେ କମ୍ବିଂ ଜୋରଦାର କରିବ ବୋଲି କହିଛି। ନକ୍ସଲଙ୍କ ଏହି ଧମକପୂର୍ଣ୍ଣ ଚିଠିକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଯୋଜନା ରହିିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/naxal.jpg)