ଏକାମ୍ର କ୍ଷେତ୍ର ବିକାଶର ନକ୍ସା ଖୋଲିଲେ ନବୀନ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ହେବ ପରିକ୍ରମା ପଥ
କାର୍ଯ୍ୟକାରୀ ହେବ ୯ଟି ପ୍ରମୁଖ ପ୍ରକଳ୍ପ
ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର
ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ନିର୍ମାଣ ହେବ

ଭୁବନେଶ୍ୱର : ଗତ ସପ୍ତାହ ଠାରୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଏହାକୁ ନେଇ ପ୍ରଶାସନ-ଦୋକାନୀଙ୍କ ଟଣାଓଟରା ଜାରି ରହିଥିବା ବେଳେ ପୁରୀ ପରେ ଆଜି ଏକାମ୍ର କ୍ଷେତ୍ର ପାଇଁ ବିକାଶର ନକ୍ସା ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ୬୬ ଏକର ଜାଗା ଉପରେ ବ୍ୟାପକ ଯୋଜନା ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଏକାମ୍ର କ୍ଷେତ୍ର ଯୋଜନା’ ଅଧୀନରେ ମୋଟ୍‌ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ବର ପରିସରର ବିକାଶ ଓ ବିଭିନ୍ନ ସୁବିଧା ‌ସୁ‌େଯାଗ, ଇ-ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଓ ଥଇଥାନ ପ୍ରକଳ୍ପ।

ଏହି ଯୋଜନାରେ ଶ୍ରୀ ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ୍ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଟ୍ରାଫିକ୍ ହ୍ରାସ ଓ ଯାତାୟତର ସୁବିଧା ପାଇଁ ତାଳେଶ୍ବର ଛକ ଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଚାରିଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହ ଏହାର ସୌନ୍ଦର୍ଯ୍ୟକରଣ କରାଯିବ ଏବଂ ମନ୍ଦିର ଚାରିପାଖେ ପରିକ୍ରମା ପଥ ନିର୍ମାଣ କରାଯିବ। ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଶ୍ରୀଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧୀନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥି ପାଇଁ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ମଧ୍ୟ ବିକାଶ କରାଯିବ।

ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ। ତାହା ସହିତ କେଦାରଗୌରୀ, ପାପନାଶିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯିବ।

ବିକାଶର ନକ୍ସାକୁ ଘୋଷଣା କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକାମ୍ର କ୍ଷେତ୍ର ଭୁବନେଶ୍ବର ସାରା ଦେଶରେ ଏକ ପ୍ରମୁଖ ଶୈବ ପୀଠ। ବିଭିନ୍ନ ପୁରାଣ‌ରେ ଭୁବନେଶ୍ବରକୁ ଦ୍ବିତୀୟ କାଶୀ ଭାବେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରତିଦିନ ସାରା ଦେଶରୁ ହଜାର ହଜାର ଭକ୍ତ ଏକାମ୍ର କ୍ଷେତ୍ରକୁ ଆସିଥାନ୍ତି। ମନ୍ଦିର ନଗରୀ ଭାବେ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ବର ଅନେକ ପ୍ରାଚୀନ କୀର୍ତ୍ତିରାଜିରେ ସୁଶୋଭିତ। ଏକାଦଶ ଶତାବ୍ଦୀରେ କଳିଙ୍ଗ ଶୈଳୀରେ ନିର୍ମିତ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍କଳୀୟ ଶିଳ୍ପ କଳାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ଓ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ। ଏକ ହଜାର ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିର ଲକ୍ଷ ଲକ୍ଷ ଶିବ ଭକ୍ତମାନଙ୍କର ଶ୍ରଦ୍ଧା ଓ ବିଶ୍ବାସର ପ୍ରତୀକ। ଏହାର ସୁରକ୍ଷା ସହିତ ଆମର ଭବିଷ୍ୟତ ପିଢ଼ି ପାଇଁ ଏହାକୁ ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଆମକୁ କିଛି ତ୍ୟାଗ କରିବାର ଆବଶ୍ୟକତା ମଧ୍ୟ ରହିଛି। ଏହି ତ୍ୟାଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ସେବା ଭାବେ ଗ୍ରହଣ କରି ସରକାରଙ୍କ ବିକାଶ କାମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ମନ୍ଦିରର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ତୁରନ୍ତ ପ୍ରଣୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଭୁବନେଶ୍ବର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ପୂର୍ତ୍ତ ସଚିବ ଓ ବିଏମ୍‌ସି କମିସନର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର