ଦ୍ୱନ୍ଦ୍ୱ ବଢ଼ାଇଲା ମ୍ୟାପ୍ ଓ ଟ୍ବିଟ୍ : ପୁରୁଣା ସଂଖ୍ୟାରେ ଯୋଡ଼ି ହେଉଛି ନୂଆ ଅଞ୍ଚଳ

ୟୁନିଟ୍ ୫, ବିଜେବିନଗରରେ ୨ ସଂକ୍ରମିତ କେବେ ଜଣାପଡ଼ିଲେ? ଚିହ୍ନଟ ତାରିଖ ଓ ଯାତ୍ରା ଇତିହାସ କେବେ କହିବେ?

ଭୁବନେଶ୍ବର : ରାଜ୍ୟ‌ରେ ଏ ପର୍ଯ୍ୟନ୍ତ ୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏ ସଂପର୍କରେ ଟ୍ବିଟ୍ ଜରିଆରେ ଜନସାଧାରଣଙ୍କୁ ତଥ୍ୟ ଦେଉଛି। ହେଲେ ନିକଟରେ ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ମ୍ୟାପ୍ ପ୍ରକାଶ ପାଇବା ପରେ ଦ୍ବନ୍ଦ୍ବ ଦେଖା ଦେଇଛି। ପୂର୍ବରୁ ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଥିଲା, ଏହି ସଂଖ୍ୟାରେ ଏବେ ନୂଆ ନୂଆ ଅଞ୍ଚଳ ଯୋଡ଼ି ହେବାରେ ଲାଗିଛି। ସେହି ଅଞ୍ଚଳକୁ ସିଲ୍‌ କରିବା କିମ୍ବା ଗଣମାଧ୍ୟରେ ଚର୍ଚା ହେବା ପରେ ସରକାର କିଛିଟା ତଥ୍ୟ ରଖୁଛନ୍ତି। ତଥାପି ଏହା ସାଧାରଣ ‌ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।

ସରକାରଙ୍କ ତଥ୍ୟ ଅନୁସାରେ, ରାଜଧାନୀରେ ସମୁଦାୟ ୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି। ୩୧ ଜଣ ସକ୍ରିୟ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଚଳିତମାସ ୧ ତାରିଖରେ ସୂର୍ଯ୍ୟନଗର ଅଞ୍ଚଳରୁ ୬୦ ବର୍ଷୀୟ ପ୍ରଦୀପ୍ତ ଦଳବେହେରା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ଦୁଇ ଦିନ ପ‌ରେ ଅର୍ଥାତ୍ ୩ ତାରିଖରେ ବମିଖାଲ ଅଞ୍ଚଳର ୩ଜଣ (ସଂପର୍କରେ ଭାଇ)ଙ୍କୁ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିଲା। ସେହିଦିନ ରାଜ୍ୟରେ ସମୁଦାୟ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତହିଁରୁ କେବଳ ସୂର୍ଯ୍ୟନଗରର ୭ ଜଣ ରହିଥିଲେ। ୫ ତାରିଖରେ ରାଜ୍ୟରେ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତହିଁରୁ କେବଳ ୧୫ଜଣ ବମିଖାଲ ଅଞ୍ଚଳର ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା।

ତେବେ ଗତକାଲି ବିଏମ୍‌ସି ପକ୍ଷରୁ ସତ୍ୟନଗର ଅଞ୍ଚଳକୁ ସିଲ୍ କରାଯିବା ପରେ ରାଜଧାନୀରେ କରୋନା ସଂକ୍ରମିତ ଅଞ୍ଚଳକୁ ନେଇ ସନ୍ଦେହ ଉପୁଜିଥିଲା। ବିଏମ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସତ୍ୟନଗର ଅଞ୍ଚଳରେ ଏକାଧିକ ‌କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଦର୍ଶାଯାଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇଯାଇଥିଲା। ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକାଧିକ ଟ୍ବିଟ୍ ଜରିଆରେ କରୋନା ସଂକ୍ରମିତ ଅଞ୍ଚଳ ସଂପର୍କରେ ସୂଚନା ଦିଆଯାଇଥିଲା। ଏପରିକି ଏକ ମ୍ୟାପ୍ ଜାରି କରି ରାଜଧାନୀର କେଉଁ କେଉଁ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାହାର ସୂଚନା ଦିଆଯାଇଛି।

ମ୍ୟାପ୍‌ରେ ଯେଉଁ ସୂଚନା ଦିଆଯାଇଛି ତାହାକୁ ଦ୍ବନ୍ଦ୍ବକୁ ଅଧିକ ବଢାଇ ଦେଇଛି। ମ୍ୟାପ୍‌ରେ ଭୁବନେଶ୍ବରରେ ୩୪ଟି ପଜିଟିଭ୍ ବୋଲି ଲେଖାଯାଇଥିଲେ ବି ନାଲି ବିନ୍ଦୁ ଦିଆଯାଇଛି ୩୨ଟି। ବମିଖାଲ ଅଞ୍ଚଳରୁ ୧୨ ଜଣ, ସତ୍ୟନଗର ୪, ସହିଦନଗର ୧, ବଡ଼ଗଡ଼ ଗାଁ ୧, ୟୁନିଟ-୪ରେ ୧, ୟୁନିଟ୍‌-୫ରେ ୧, ସୂର୍ଯ୍ୟନଗର ୮, କପିଳପ୍ରସାଦ ୧, ଜିମ୍‌ଖାନା ପାମ ହାଇଟ୍‌ସ ୧ ଓ ବିଜେବିନଗର ୧ ପଜିଟିଭ୍ ବୋଲି ନାଲି ବିନ୍ଦୁରେ ଚିହ୍ନଟ କରାଯାଇଛି। ବାସ୍ତବରେ ସଂଖ୍ୟା ୩୨ ନା ୩୪, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଆଜି ସନ୍ଧ୍ୟାରେ ବିଏମ୍‌ସି କମିସନର୍‌ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ବମିଖାଲରେ ୧୪ଟି ପଜିଟିଭ୍ ବୋଲି କହିଥିଲେ। ତେଣୁ ସ୍ବାସ୍ଥ୍ୟ ବିଭାଗ ମ୍ୟାପ୍‌ରେ ବମିଖାଲରେ ୧୨ଟି ବିନ୍ଦୁ ଦିଆଯିବା ଭୁଲ୍‌ ଓ ବାସ୍ତବରେ ସେହି ସଂଖ୍ୟା ୧୪ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଆହୁରି ଏକାଧିକ ଦ୍ବନ୍ଦ୍ବକୁ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସି କେହି ଦୂର କରି ନ ଥିଲେ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ହୋଇଥିବା ଟ୍ବିଟ୍‌ରେ ସତ୍ୟନଗର, ୟୁନିଟ୍‌-୫ ଓ ବିଜେବି ନଗର କଥା କିଛି କୁହାଯାଇ ନ ଥିଲା। ତେଣୁ ଏହି ଅଞ୍ଚଳର ବ୍ୟକ୍ତିମାନେ କେବେ ଚିହ୍ନଟ ହେଲେ ଓ ସେମାନଙ୍କ ଯାତ୍ରା ଇତିହାସ କ’ଣ ‌ସେ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କୁହାଯାଉ ନାହିଁ। ସତ୍ୟନଗର ଅଞ୍ଚଳରେ ୪ଜଣ କରୋନା ସଂକ୍ରମିତ କେ‌ବେ‌ ଚିହ୍ନଟ ହେଲେ ସେ ସଂପର୍କରେ ସ୍ଥାନୀୟ ଲୋକଙ୍କୁ ସଂପୂର୍ଣ୍ଣ ଅନ୍ଧାରରେ ରଖାଗଲା। ଗୋଟିଏ ଅଞ୍ଚଳରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେ ବିଏମ୍‌ସି ଏହି ଅଞ୍ଚଳକୁ ସଙ୍ଗେ ସଙ୍ଗେ କଣ୍ଟେନମେଣ୍ଟ ଜୋନ୍ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରୁଥିବା ବେଳେ ସତ୍ୟନଗରରେ କାହିଁକି ବିଳମ୍ବରେ ସିଲ୍ କରାଗଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ସତ୍ୟନଗରକୁ କାହିଁକି ସିଲ୍‌ କରାଯାଉଛି ବୋଲି ବିଭିନ୍ନ ମହଲରେ ସମାଲୋଚନା ହେଲା ପରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟାହ୍ନରେ ଟ୍ବିଟ୍ କଲା ଯେ ସତ୍ୟନଗରରେ ୪ଟି ପଜିଟିଭ୍ ବାହାରିଛି ଓ ସେଥିରୁ ୩ଟି ବମିଖାଲ୍‌ ଲିଙ୍କ୍। ଏ କଥା ତିନି ଦିନ ଧରି ଲୁଚାଇବାର କ’ଣ ଆବଶ୍ୟକତା ଥିଲା? ଯଦି ଅଧିକାଂଶ ଅଞ୍ଚଳ ବିଷୟରେ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍‌ କରୁଛି, ସତ୍ୟନଗର କ୍ଷେତ୍ରରେ ଅସୁବିଧା କେଉଁଠି ରହିଲା ? ଯଦି ସତ୍ୟନଗରରୁ ୩ଟି ପଜିଟିଭ୍ ବ୍ୟକ୍ତିଙ୍କର ବମିଖାଲ ସହ ସମ୍ପର୍କ ଅଛି, ତେବେ ଆଉ ଜଣେ ବ୍ୟକ୍ତି କିଏ ? ତାଙ୍କର ଯାତ୍ରା ଇତିହାସକୁ ସରକାର କାହିଁକି ସ୍ପଷ୍ଟ କରୁ ନାହାନ୍ତି?

ସେହିପରି ୟୁନିଟ-୫ ରାଜଧାନୀର ଏକ ଭିଆଇପି ଅଞ୍ଚଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏହି ଅଞ୍ଚଳରେ ରହିଛି। ସର୍କିଟ୍‌ ହାଉସ୍‌ ସମେତ ସରକାରଙ୍କ ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ବିଭାଗ ଏହିଠାରେ ଅଛି। ମାତ୍ର ଏହି ଅଞ୍ଚଳରେ କେବେ କରୋନା ସଂକ୍ରମିତ ଚିହ୍ନଟ ହେଲେ ଓ ତାଙ୍କର ଯାତ୍ରା ଇତିହାସ କ’ଣ ତାହା ନ ଜଣାଇ ଆଜି ମ୍ୟାପ୍‌ରେ ଏହି ସୂଚନା ଦିଆଯାଇଛି।

ବିଜେବିନଗରର ମହିଷାଖାଲରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ଆଜି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। କିନ୍ତୁ ସେହି ପିଜିଟିଭ୍ କେବେ ଚିହ୍ନଟ ହେଲା, ତାହା ଜଣାପଡ଼ୁନି। ସ୍ବାସ୍ଥ୍ୟ ବିଭାଗ କେବେ ବି ଟ୍ବିଟ୍‌ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ନାହିଁ। ଆଜି ବିଏମ୍‌ସି ପକ୍ଷରୁ ମହିଷାଖାଲ ପଜିଟିଭ୍ ସମ୍ପର୍କରେ କୁହାଯାଇଥିଲେ ବି ତାଙ୍କ ଯାତ୍ରା ଇତିହାସ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ସେହି ବ୍ୟକ୍ତି କିପରି ସଂକ୍ରମିତ ହେଲେ, ତାହାକୁ ନେଇ ସ୍ଥାନୀୟ ଲୋକମାନେ ଆଶଙ୍କାରେ ଅଛନ୍ତି।

ସେହିପରି ଗତକାଲି ୟୁନିଟ-୪ ମଧୁସୂଦନ ନଗରରୁ ୪୫ବର୍ଷର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ତେବେ ଏହି ବ୍ୟକ୍ତିଙ୍କ ଯାତ୍ରା ଇତିହାସ କ’ଣ ଓ କେତେ ଜଣ ବ୍ୟକ୍ତି ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର କୌଣସି ସୂଚନା ନାହିଁ। ସେହିପରି ଝାରପଡ଼ାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଯାତ୍ରା ଇତିହାସ ସମ୍ପର୍କରେ ବି ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି ନୀରବ ରହିଛି।

ଏଭଳି ଅଧାପନ୍ତରିଆ ତଥ୍ୟ ଦେଇ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି କର୍ତୃପକ୍ଷ ଲୋକଙ୍କୁ ଦ୍ବନ୍ଦ୍ବରେ ରଖିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜଧାନୀବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର