ଚିଲିକା ଘେରିଭଙ୍ଗା ଭଣ୍ଡୁର କରିବାକୁ ମାଫିଆଙ୍କ ଷଡ଼୍‍ଯନ୍ତ୍ର

ଭୁବନେଶ୍ୱର: ଚିଲିକା ହ୍ରଦ ଭିତରେ ଓ ବାହାରେ ଚିଙ୍ଗୁଡ଼ିଘେରି ଭଙ୍ଗା କାର୍ଯ୍ୟ ସରିନାହିଁ। ହାଇକୋର୍ଟଙ୍କ ଆଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଚିଲିକା ଉନ୍ନୟନ କର୍ତୃପକ୍ଷ(ସିଡିଏ) ଘେରି ଉଚ୍ଛେଦ ଜାରି ରଖିଛନ୍ତି। ଏହା ଚିଲିକାର ଜୈବ ବିବିଧତା ତଥା ଆଖପାଖ ଗାଁଗୁଡ଼ିକର ୨ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯେ ଉଦ୍ଦିଷ୍ଟ ଏଥିରେ କାହାରି ସନ୍ଦେହ ନାହିଁ। ବରଂ ଘେରିଭଙ୍ଗା ଦ୍ୱାରା ପାଖାପାଖି ଦୁଇ ଦଶନ୍ଧି ଧରି ଚିଙ୍ଗୁଡ଼ିଘେରି, ମାଟିବନ୍ଧ ଘେରି, ଘେରିବନ୍ଧ କରି ଚିଲିକାରୁ ଶହ ଶହ କୋଟିର ମତ୍ସ୍ୟ ସଂପଦ ଲୁଟୁଥିବା ମୁନାଫାଖୋର ମାଫିଆଙ୍କ ସ୍ୱାର୍ଥରେ ହାନି ଘଟୁଛି। ଏପରିସ୍ଥଳେ କିଛି ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଢାଲ କରି ସେହି ଚିଙ୍ଗୁଡ଼ିଘେରି ମାଫିଆମାନେ ସିଡିଏର ଘେରିଭଙ୍ଗା ଅଭିଯାନକୁ ଭଣ୍ଡୁର କରିବାକୁ ଷଡଯନ୍ତ୍ର ଆରମ୍ଭ କରିଦେଇଥିବା ଅନେକ ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି। ସଂପୃକ୍ତ ପୁରୀ, ଖୋର୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲା ପ୍ରଶାସନ ଚୁପ୍‌ ଥିବା ବେଳେ ମାଫିଆଙ୍କୁ ପ୍ରୋତ୍ସାହିତ କରୁଥିବା ନେଇ ଜଣେ ଉପ ଜିଲ୍ଲାପାଳଙ୍କ ଭୂମିକା ପ୍ରଶ୍ନବାଚୀ ହୋଇପଡ଼ିଛି। ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ ଗତ ମାସ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସାତପଡ଼ାରେ ଆନ୍ଦୋଳନ କରାଯାଇଥିଲା। ସିଡିଏର ମତ୍ସ୍ୟଜୀବୀ ମାରଣନୀତି ବିରୁଦ୍ଧରେ ଏହି ଆନ୍ଦୋଳନ ବୋଲି ଅଭିଯୋଗ ହୋଇଛି। ଏ ନେଇ ମିଳିତ ମଞ୍ଚ ଜାରି କରିଥିବା ପ୍ରେସ୍‌ ଇସ୍ତାହାରରେ ଦର୍ଶାଇଥିଲା ଯେ ସଂପୃକ୍ତ ଉପଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୭ ଦିନ ଭିତରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ, ମିଳିତ ମଞ୍ଚର ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବୈଠକ ବସିବ। ବୈଠକ ନ ହେବା ପର୍ଯ୍ୟନ୍ତ ସିଡିଏ ମତ୍ସ୍ୟଜୀବୀଙ୍କ କୌଳିକ ବୃତ୍ତି ଉପରେ ହସ୍ତକ୍ଷେପ କରିପାରିବ ନାହିଁ କି ପୁଲିସ ବ୍ୟବହାର କରିପାରିବେ ନାହିଁ। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପୁରୀ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ଏବଂ ସିଡିଏ ବିରୁଦ୍ଧରେ ମିଥ୍ୟା ଅଭିଯୋଗକୁ ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛି ଚିଲିକା ମତ୍ସ୍ୟଜୀବୀ ମହାସଂଘ।

ଗତକାଲି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବେଆଇନ ଚିଙ୍ଗୁଡ଼ିଘେରି, ଘେରିବନ୍ଧ ଯୋଗୁଁ ଶହ ଶହ ଏକର ଜମି ଜବରଦଖଲ ହୋଇଥିବା ବର୍ଣ୍ଣନା କରାଯାଇଛି। ଚିଲିକା ଓ ସମୁଦ୍ର ସଂଯୋଗର ୨ଟି ମୁହାଣରେ ସରୁଜାଲ, ଆଲିମ ଜାଲ ଅବରୋଧ କରାଯାଇଥିବା ବେଳେ ୫ଟି କେନାଲରୁ ଚିଲିକାକୁ ସଂଯୋଗକୁ ମଧ୍ୟ ସରୁଜାଲ ଓ ମଶାରି ଜାଲରେ ଅବରୋଧ କରାଯାଇଛି। ଫଳରେ ଚିଲିକାରେ ମତ୍ସ୍ୟ ଉତ୍ପାଦନ କମୁଛି। ରାଜ୍ୟ ସରକାର ସିଡିଏକୁ ଘେରି ଭାଙ୍ଗିବାକୁ ନିର୍ଦେଶ ଦେଇଛନ୍ତି। ସେ ପଟେ ମାଫିଆମାନେ ନିଜ ଘେରିକୁ ସୁରକ୍ଷିତ ରଖିବା ପାଇଁ କିଛି ମତ୍ସ୍ୟଜୀବୀଙ୍କୁ ନେଇ ଆନ୍ଦୋଳନ କରିବା ସେମାନଙ୍କର ସୁପରିକଳ୍ପିତ ଯୋଜନା। ଏଣୁ, ପୁରୀ ପ୍ରଶାସନର ନିର୍ଦେଶକୁ ରଦ୍ଦ କରି ସିଡିଏ ଜରିଆରେ ଘେରିଭଙ୍ଗା କାର୍ଯ୍ୟ ଜାରି ରଖିବା ପାଇଁ ସରକାର ନିର୍ଦେଶ ଦେବାକୁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏ ନେଇ ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦଙ୍କୁ ପଚାରିବାରୁ ସେ କହିଲେ ଯେ, ହାଇକୋର୍ଟ ଆଦେଶ ଓ ସରକାରଙ୍କ ଅନୁମତି ଅନୁସାରେ ଚିଲିକାରୁ ଘେରିଭଙ୍ଗା ଆଗେଇ ଚାଲିଛି। ଏହା ଚିଲିକାର ଜୈବ ବିବିଧତା ଓ ଏହାର ମତ୍ସ୍ୟଜୀବୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର