ସମ୍ବଲପୁର: ପୁଣିଥରେ ମହାନଦୀ ବ୍ରିଜରେ ଅଘଟଣ। ଗତ ରବିବାରଠାରୁ ନିଖୋଜ ଥିବା ଟାଉନ୍ ଥାନା ଦଳାଇପଡ଼ାର ଘଡ଼ି ଦୋକାନୀ ସକିର୍ ମିର୍ଜା ବେଜ୍(୨୮)ଙ୍କ ସ୍କୁଟି ଓ ଚପଲ ସୋମବାର ସନ୍ଧ୍ୟାରେ ବୁର୍ଲା ଥାନା ପିସି ବ୍ରିଜ ଉପରୁ ଉଦ୍ଧାର କରାଯାଇଥିଲା। ଫଳରେ ସକିର୍ ପାୱାର ଚ୍ୟାନେଲ୍କୁ ଡେଇଁ ପଡ଼ିଥିବା ନେଇ ଆଶଙ୍କା କରାଯାଉଥିଲା। ତେବେ ମଙ୍ଗଳବାର ସକାଳୁ ବୁର୍ଲା ଥାନା ଚିପିଲିମା ପାୱାର ହାଉସ୍ ନିକଟସ୍ଥ ପାୱାର ଚ୍ୟାନେଲ୍ରୁ ସକିରଙ୍କ ଶବ ଉଦ୍ଧାର ହେବା ପରେ ଉକ୍ତ ଆଶଙ୍କା ସତ ପ୍ରମାଣିତ ହୋଇଛି। ବୁର୍ଲା ପୁଲିସ୍ ସକିରଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏସମ୍ପର୍କରେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସମୟରେ କୌଣସି କଥାକୁ କେନ୍ଦ୍ର କରି ୩-୪ ଦିନ ହେବ ମାନସିକ ଚିନ୍ତାଗ୍ରସ୍ତ ଥିବା ସକିର୍ ରବିବାର ସନ୍ଧ୍ୟାରୁ ହିଁ ପାୱାର ଚ୍ୟାନେଲ୍କୁ ଡେଇଁ ପଡ଼ିଥିବା ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ଦେଢ଼ଟା ସମୟରେ ସକିର ଘରେ ମୋବାଇଲ୍ ଥୋଇ ଦେଇ ସ୍କୁଟି ଧରି ବାହାରି ଯାଇଥିଲେ। ରାତି ଯାଏ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ସୋମବାର ସକାଳୁ ବାପା ନୁରୁଲ୍ଲା ବେଜ୍ ଟାଉନ୍ ଥାନାରେ ପୁଅ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ। ସେପଟେ, ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳକୁ ସକିରଙ୍କ କିଛି ସମ୍ପର୍କୀୟ ବୁର୍ଲା ପିସି ବ୍ରିଜ ନିକଟରେ ତାଙ୍କ ସ୍କୁଟି ଥୁଆ ହୋଇଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ଯାଇ ଦେଖିବା ପରେ ଏନେଇ ପୁଲିସ୍କୁ ଅବଗତ କରିଥିଲେ। କିନ୍ତୁ ଉକ୍ତ ସ୍ଥାନ ବୁର୍ଲା ଥାନା ଅନ୍ତର୍ଗତ ହୋଇଥିବାରୁ ବୁର୍ଲା ପୁଲିସ୍ ଉକ୍ତ ସ୍କୁଟି ଓ ଚପଲ ଜବତ କରି ପରିବାର ଲୋକଙ୍କ ଜିମା ଦେଇଥିଲା। ସକାଳୁ ବୁର୍ଲା ଅଗ୍ନିଶମ ବାହିନୀ ସାଇଫନ୍ ପଟରେ ଖୋଜାଖୋଜି କରୁଥିବା ସମୟରେ ଚିପିଲିମା ପାୱାର ହାଉସ୍ ନିକଟରେ ଏକ ଶବ ଭାସୁଥିବା ନେଇ ସୂଚନା ମିଳିଥିଲା। ତେବେ ଅଗ୍ନିଶମ ବାହିନୀ ଓ ସକିରଙ୍କ ପରିବାର ଲୋକେ ମିଶି ପାୱାର ଚ୍ୟାନେଲରୁ ତାଙ୍କ ଶବ ଉଦ୍ଧାର କରିଥିଲେ।
ସକିର ପ୍ରକୃତରେ ପାଣିକୁ ଡେଇଁଥିଲେ ନା ତାଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦିଆଯାଇଛି ସେନେଇ ତାଙ୍କ ସାଙ୍ଗମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ସେପଟେ, ସକିରଙ୍କ କଲ୍ ରେକର୍ଡର ଯାଞ୍ଚ କରିବା ପାଇଁ ମଧ୍ୟ ତାଙ୍କ ବନ୍ଧୁମାନେ ପୁଲିସ୍କୁ ଅନୁରୋଧ କରିଛନ୍ତି।