ଏକତା ପାଇଁ ଦୌଡ଼ ୩୧ରେ, ଭୁବନେଶ୍ବରରେ ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର

ଭୁବନେଶ୍ବର: ଲୌହମାନବ ସର୍ଦ୍ଦାର ବଲ୍ଲଭ ପାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଦେଶବ୍ୟାପୀ ‘ଏକତା ପାଇଁ ଦୌଡ଼’(ରନ୍ ଫର୍ ୟୁନିଟି) କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗୁଜୁରାଟର କେୱଡିଆସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ। ଦିଲ୍ଲୀରେ ଆୟୋଜିତ ବିଶାଳ ‘ଏକତା ପାଇଁ ଦୌଡ଼’କୁ ଗୃହ ମନ୍ତ୍ରୀ ଅମିତ ଶାହ ଶୁଭାରମ୍ଭ କରିବେ। ସେହିପରି ଭୁବନେଶ୍ବରରେ ଦୌଡ଼ କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବେ। ଏଥିରେ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ପଦ୍ମଶ୍ରୀ ଦୀପିକା କୁମାରୀ, ପଦ୍ମଶ୍ରୀ ଶରତ କୁମାର, ଅଜୁର୍ନ ପୁରସ୍କାରପ୍ରାପ୍ତ ଅଙ୍କୁର ମିତ୍ତଲ, ହୀନା ସିଦ୍ଧୁ ଓ ଅଲମ୍ପିଆନ୍ ଅନୁରାଧା ବିଶ୍ବାଳ ଗଣଦୌଡ଼ରେ ସାମିଲ ହେବେ। ଏହା ବାଦ୍ ବହୁ ଖ୍ୟାତିସମ୍ପନ୍ନ ଓଡ଼ିଆ କ୍ରୀଡ଼ାବିତ୍ ଓ ବିଶିଷ୍ଟ ସିନେ କଳାକାରମାନେ ‌ଯୋଗ ଦେବେ। ଚନ୍ଦ୍ରଶେଖରପୁରସ୍ଥିତ ରେଳବାଇ ଷ୍ଟାଡିୟମ୍‌ରୁ ସକାଳ ୬ଟାରେ ଗଣଦୌଡ଼ ଆରମ୍ଭ ହୋଇ ପ୍ରେସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ଓମ୍‌ଫେଡ୍‌ ଛକ ଦେଇ ରେଳ ଅଡିଟୋରିୟମ୍‌ରେ ପହଞ୍ଚିବ। ନେହରୁ ଯୁବ କେନ୍ଦ୍ର ଦ୍ବାରା ଆୟୋଜିତ ଏହି ଦୌଡ଼ରେ ଭୁବନେଶ୍ବରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଂଗଠନ ତଥା ଅର୍ଦ୍ଧସାମରିକ ବାହିନୀର ଯବାନମାନେ ଯୋଗ ଦେବେ। ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ଆୟୋଜିତ ଏହି ଦୌଡ଼ରେ ବହୁ ସଂଖ୍ୟାରେ ସାମିଲ ହେବାକୁ ନେହରୁ ଯୁବ କେନ୍ଦ୍ର, ଓଡ଼ିଶାର ନିର୍ଦ୍ଦେଶକ ଅଭିଜିତ ବୋଷ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର