ଜିଲ୍ଲା କ୍ରୀଡା ସଂସଦର ଗଣ ଦୌଡ଼ ୨୯ରେ

ସୁନ୍ଦରଗଡ଼: ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଅଗଷ୍ଟ ୨୯ ତାରିଖରେ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଏକ ଗଣ ଦୌଡ଼ ଆୟୋଜିତ ହେବ। ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ହେବାକୁ ଥିବା ଏହି ଦୌଡ଼ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଭାବେ ୪ଟି ବର୍ଗରେ କରାଯିବାକୁ ସ୍ଥିର କରା ଯାଇଛି। ଏହି ଦୌଡ଼ରେ ୧୬ ବର୍ଷ,୧୮ ବର୍ଷ ଓ ୨୦ ବର୍ଷରୁ କମ୍ ବୟସ ଏବଂ ବରିଷ୍ଠ ମହିଳା ଓ ପୁରୁଷ ଭାଗ ନେଇ ପାରିବେ ବୋଲି କ୍ରୀଡା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ ସୂଚନା ଦେଇଛନ୍ତି। ଖେଳାଳିମାନଙ୍କ ଜନ୍ମ ୧୬ ବର୍ଷରୁ କମ୍ ବର୍ଗ ପାଇଁ ୦୧.୦୯.୨୦୦୬ ରୁ ୦୧.୦୯.୨୦୦୮ ,୧୮ ବର୍ଷରୁ କମ ବର୍ଗ ପାଇଁ ୦୧.୦୯.୨୦୦୬ ରୁ ୦୧.୦୯.୨୦୦୪ ଏବଂ ୨୦ ବର୍ଷରୁ କମ୍ ବର୍ଗ ପାଇଁ ୦୧.୦୯.୨୦୦୨ ରୁ ୦୧.୦୯.୨୦୦୪ ପର୍ଯ୍ୟନ୍ତ ହେବା ଜରୁରୀ। ୨୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବରିଷ୍ଠ ବର୍ଗରେ ସାମିଲ ହେବେ। ପ୍ରକାଶ ଯୋଗ୍ୟ ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର ଦୌଡାଳି ଅନ୍ୟ କୌଣସି ବର୍ଗରେ ଭାଗ ନେଇ ପାରିବେ ନାହିଁ। ଏହି ଦୌଡ଼ରେ ପ୍ରତି ବର୍ଗରେ ବିଜେତାଙ୍କୁ ୧୦୦୦୦ ଟଙ୍କା, ଉପବିଜେତାଙ୍କୁ ୫୦୦୦ ଟଙ୍କା ଏବଂ ତୃତୀୟ ବିଜେତାଙ୍କୁ ୩୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ଦୌଡ଼ରେ ଭାଗ ନେବା ପାଇଁ ୧୬,୧୮ ଓ ୨୦ ବର୍ଗ ପାଇଁ ପଞ୍ଜୀକରଣ ବାବଦକୁ ୨୦ ଟଙ୍କା ଓ ବରିଷ୍ଠ ବର୍ଗ ପାଇଁ ୫୦ ଟଙ୍କା ରଖାଯାଇଛି। ଇଚ୍ଛୁକ ପ୍ରତିଯୋଗୀ ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡିୟମ୍ ଠାରେ ପଞ୍ଜୀକରଣ କରି ପାରିବେ। ସବିଶେଷ ସୂଚନା ପାଇଁ ୯୪୩୮୦୧୨୨୮୦, ୯୯୩୭୧୧୬୩୫୫ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର