ରାଉରକେଲା: କୋରାପୁଟ, କନ୍ଧମାଳ, ସମ୍ବଲପୁର ପରେ ସୁନ୍ଦରଗଡ଼ରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ। ତା’ପୁଣି ଜିଲ୍ଲାର ଉପାନ୍ତ ବ୍ଳକ୍‌ କୋଇଡ଼ା, ବଣାଇ ଓ ଗୁରୁଣ୍ଡିଆର ସଂରକ୍ଷିତ ଜଙ୍ଗଲରେ। 

Advertisment

ଏନେଇ ଅର୍ଥ ଯୋଗାଉଛନ୍ତି ଆନ୍ତଃରାଜ୍ୟ ନିଶା ମାଫିଆ। ରାତାରାତି ଲକ୍ଷପତି ହେବା ଲୋଭରେ ଚାଷ କରୁଛନ୍ତି ସ୍ଥାନୀୟ ଅଞ୍ଚଳରେ ବେକାର। ଧରାପଡ଼ିଯିବା ଭୟରେ ଘଞ୍ଚ ଜଙ୍ଗଲର ସରକାରୀ ଜମିକୁ ଟାର୍ଗେଟ୍‌ କରୁଛନ୍ତି। 

ଆହୁରି ପଢ଼ନ୍ତୁ:Teaching in dilapidated building: ଲୁଙ୍ଗେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ: ପାଠ ପଢ଼ିବାକୁ ବାଜି ଲାଗିଛି ଜୀବନ

ଏକର ପିଛା ଲଗାଯାଉଛି ହଜାରେ ଗଛ। ରୋଜଗାର ହେଉଛନ୍ତି ୧୫ରୁ ୨୦ ଲକ୍ଷ। ଅମଳବେଳେ ଅର୍ଥ ଯୋଗାଉଥିବା ଆନ୍ତଃରାଜ୍ୟ ବେପାରୀ ୩୦ ପ୍ରତିଶତ ଚାଷ କରୁଥିବା ବେକାର ଯୁବକଙ୍କୁ ଦେଇ ବାକି ନିଜେ ନେଉଛନ୍ତି। ନିଶାବେପାରୀମାନେ ହଜାରେ ଟଙ୍କାର ଗଞ୍ଜେଇକୁ ବାହାର ରାଜ୍ୟରେ ୧୦ ହଜାର ଟଙ୍କାରେ ବିକ୍ରିକରି ମାଲାମାଲ୍‌ ହେଉଛନ୍ତି। ଏହାର ଅମଳ ହେଉଛି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ। 

ସୁନ୍ଦରଗଡ଼ର ବଣାଇ ବ୍ଲକ୍‌ ଅନ୍ତର୍ଗତ ଉଲସୁରା ସଂରକ୍ଷିତ ଜଙ୍ଗଲର ୫ରୁ ଅଧିକ ସ୍ଥାନ ଓ ଗୁରୁଣ୍ଡିଆର ୪ଟି ସ୍ଥାନରେ ଏକରଏକର ଗଞ୍ଜେଇଚାଷ ପୁଲିସ ଠାବକରି ନଷ୍ଟ କରିବାପରେ ନିଶାବେପାରୀଙ୍କ ଲିଙ୍କ ସାମ୍ନାକୁ ଆସିଛି।

ବେକାର ଯୁବବର୍ଗ କରୁଛନ୍ତି ଜହର ଚାଷ

ଗୁଇନ୍ଦା ସୂଚନା ପାଇଲେ ଅବକାରୀ ଓ ଜିଲ୍ଲା ପୁଲିସ ଚଢ଼ଉ କରୁଛି। ସୂଚନା ନ ପାଇଲେ ଆନ୍ତଃରାଜ୍ୟ ନିଶାବେପାରୀମାନେ ବେକାର ଯୁବକମାନଙ୍କୁ ନିଯୁକ୍ତି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ବୁଧବାର ଗୁରୁଣ୍ଡିଆ ବ୍ଲକ୍‌ ଜର୍ଡା ସରଂକ୍ଷିତ ଜଙ୍ଗଲର ଗୌନ୍ତିଆପଡ଼ା, ଚିରୁଙ୍ଗପଡ଼ା, ଭୁକ୍ତାପଡ଼ା ଓ କିଲୋ ଗାଁ ନିକଟରେ ୩ ଏକର ସରକାରୀ ଜମିରେ ହୋଇଥିବା ଗଞ୍ଜେଇଚାଷକୁ ଅବକାରୀ ଓ ରାଉରକେଲା ଜିଲ୍ଲା ପୁଲିସ ମିଳିତଭାବେ ନଷ୍ଟ କରିଛନ୍ତି। ବଜାରରେ ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। 

କେବଳ କୋଇଡ଼ା, ବଣାଇ ଓ ଗୁରୁଣ୍ଡିଆ ବ୍ଲକ୍‌ ନୁହେଁ, ଜିଲ୍ଲାର ଅନ୍ୟକିଛି ବ୍ଲକ୍‌ର ସଂରକ୍ଷିତ ଘଞ୍ଚଜଙ୍ଗଲରେ ଗଞ୍ଜେଇଚା‌ଷ ହେଉଛି। ବଣାଇର ଟିକାୟତପାଲି ଥାନା ଅନ୍ତର୍ଗତ ଭାଲୁପାଣି ପଞ୍ଚାୟତ ବରଘାଟ ଗାଁ ଉଲସୁରା ସଂରକ୍ଷିତ ଜଙ୍ଗଲର ୧ ଏକର ଜମିରେ ହୋଇଥିବା ଗଞ୍ଜେଇଚାଷ ସପ୍ତାହେ ତଳେ ନଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ:Legal Notice To DGP: ବୁଲେଟ ଚଳାଉଥିବା ଲୋକ ଅପରାଧୀ ମାନସିକତାର ହୋଇଥାନ୍ତି: ପୁଲିସ ମୁଖିଆଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ସେହିପରି ବଣାଇର ଝାଣ୍ଡିସାହି, ଅନ୍ନାସାହି, ରାଣ୍ଟସାହିରେ ମଧ୍ୟ ଦେଢ଼ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ଅବକାରୀ ପୁଲିସ ନଷ୍ଟ କରିଥିଲା। ଦୁଇସପ୍ତାହ ମଧ୍ୟରେ ୩ଟି ସ୍ଥାନରେ ବେଆଇନ ଗଞ୍ଜେଇଚାଷ ଠାବହେବା ପରେ ଉଭୟ ଅବକାରୀ ଓ ଜିଲ୍ଲା ପୁଲିସର ଚିନ୍ତା ବଢ଼ିଛି। ସାଟେଲାଇଟ୍‌ ଓ ଗୁପ୍ତ ସୂଚନା ଆଧାରରେ ବେଆଇନ ଗଞ୍ଜେଇଚାଷ ହେଉଥିବା ଜଙ୍ଗଲରେ ପହଞ୍ଚିବାକୁ ଉଭୟ ଜିଲ୍ଲା ପୁଲିସ ଓ ଅବକାରୀ ଟିମ୍‌ ଅପରେସନ୍‌କୁ ଜୋରଦାର କରିଛନ୍ତି।

ରିପୋର୍ଟ:ମଳୟ ସାହୁ