ଗଞ୍ଜେଇ ଚୋରାଚାଲାଣ ମାମଲା: ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌, ୧ ଲକ୍ଷ ଲେଖାଏଁ ଜରିମାନା

ବୌଦ୍ଧ: ଗଞ୍ଜେଇ ‌‌ଚୋରା ଚାଲାଣ ମାମଲାର ବିଚାର କରି ଜିଲ୍ଲା ଦୌରା ଜଜ୍‌ ବିକ୍ରମ ପ୍ରଧାନ ବୁଧବାର ରାୟ ଶୁଣାଇଛନ୍ତି। ତିନି ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ଆଦେଶ ଦେଇଛନ୍ତି। ଅର୍ଥ ଦଣ୍ଡ ଅନାଦେୟ ହେଲେ ଜେଲ ଦଣ୍ଡ ଅଧିକ ଏକ ବର୍ଷ ବୃଦ୍ଧି ପାଇବ। ମାମଲା ଅନୁସାରେ ୨୦୨୧ ଅଗଷ୍ଟ ୧୯ ତାରିଖରେ ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନଙ୍କ ନେତୃତ୍ବରେ ଚାରିଛକ-ଫୁଲବାଣୀ ରାସ୍ତାରେ ପାଟ୍ରୋଲିଂ ଚାଲିଥିଲା।

ଫୁଲବାଣୀ ପଟରୁ ଆସୁଥିବା ଏକ ‌ସ୍କର୍ପିଓ ଗାଡ଼ି(ଓଡି ୦୨ ଏସ୍‌ ୫୫୮୮)କୁ ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଗ୍ରାମ ନିକଟ ସ୍ବାଦିଷ୍ଟ ରେଷ୍ଟୁରାଣ୍ଟ ସମ୍ମୁଖରେ ଅଟକାଇଥିଲେ। ଏକ ଜରି ବସ୍ତାରେ ଗାଡ଼ିରୁ ୨୧ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ବୌଦ୍ଧ ଥାନା କୋଇଲିସୁତ ଗ୍ରାମର ଚନ୍ଦନ ବେହେରା, କମିରା ଗ୍ରାମର ବୀରେନ୍ଦ୍ର ପ୍ରଧାନ, ଓ ବାଘପାଲି ଗ୍ରାମର ଲବଣି ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାଟି କୋର୍ଟରେ ବିଚାର ହେବା ପରେ ରାୟ ପ୍ରକ‌ାଶ ପାଇଛି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସବିତା ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର