ଜଳପଥ ଉପରେ ମେରାଇନ ପୁଲିସର ନଜର, ପଶ୍ଚିମବଙ୍ଗରୁ ଆସୁଥିବା ବୋଟ୍ ଜବତ କରାଯିବ

ଭୁବନେଶ୍ବର : ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍ ଓ ଅନ୍ୟ ସ୍ଥାନରେ କଡ଼ା ଚେକିଂ ଚାଲିଥିବା ବେଳେ ଏବେ ଗଳାବାଟ ଦେଇ ଆସୁଛନ୍ତି ପ୍ରବାସୀ। ସେହିପରି ଜଳପଥ ଦେଇ ଆସୁଥିବା ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଏଭଳି ସମ୍ଭାବନା ଥିବାରୁ ୧୮ଟି ମେରାଇନ ଥାନାକୁ ସଜାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡଙ୍ଗା ଉପରେ ନଜର ରଖାଯାଇଛି। କୋଷ୍ଟାଲ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର୍ ଉପରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। କିଏ ଆସୁଛି ସବୁ ତଥ୍ୟ ରଖାଯାଉଛି। ଏହାସହ ବୋଟ୍‌ଗୁଡ଼ିକ ଚେକିଂ କରାଯାଉଛି। ସ୍ଥାନୀୟ ଯୁବକମାନଙ୍କୁ ନେଇ ଗଠନ ହୋଇଥିବା ‘ସାଗର ରକ୍ଷକ ଦଳ’କୁ ମଧ୍ୟ ସଜାଗ କରାଯାଇଛି। କେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି, ସେମାନେ ପୁଲିସକୁ ଖବର ଦେବେ। ସେହିପରି ପଶ୍ଚିମବଙ୍ଗରୁ ଆସୁଥିବା ବୋଟ୍‌ଗୁଡ଼ିକ ଜବତ କରାଯିବ। ଯେଉଁମାନେ ଆସିଥିବେ, ସ୍ଥାନୀୟ ପ୍ରଶାସନକୁ କହି ସେମାନଙ୍କୁ କ୍ବାରା‌ଣ୍ଟିନ୍‌ରେ ରଖିବା ପାଇଁ ବନ୍ଦବୋସ୍ତ କରାଯିବ। ଯେଉଁମାନେ ଟଙ୍କା ଲୋଭରେ ଆଣୁଛନ୍ତି ଧରାପଡ଼ିଲେ, ସେମାନଙ୍କୁ ଗିରଫ କରାଯିବ ବୋଲି କୋଷ୍ଟଗାର୍ଡ ଏଡିଜି ପ୍ରଣବେନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର