ସମୁଦ୍ରପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ହାଇ-ଆଲର୍ଟ ବେଳେ ଶୋଇଛି ସାମୁଦ୍ରିକ ଥାନା ପୁଲିସ

ରାଜନଗର/ମହାକାଳପଡ଼ା : ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶର ଉପକୂଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବରରେ ପୁଲିସ ପକ୍ଷରୁ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ମକ୍‌ଡ୍ରିଲ କରାଯାଉଛି। କିନ୍ତୁ ଏପଟେ ସାମୁଦ୍ରିକ ଥାନାରେ ଡ୍ୟୁଟି ବେଳେ ଶୋଇ ଯାଉଛନ୍ତି ପୁଲିସ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଆଜି ଏଭଳି ସ୍ଥିତି ନଜରକୁ ଆସିଛି।

ତନ୍ତିଆପାଳ ସାମୁଦ୍ରିକ ଥାନାରେ ଜଣେ ଆଇଆଇସି, ଜଣେ ସବ୍‌ଇନ୍‌ସପେକ୍ଟର, ଜଣେ ଏଏସଆଇ, ୭ଜଣ କନଷ୍ଟେବଳ, ୨ଜଣ ହାବିଲଦାର, ୧୦ଜଣ ହୋମଗାର୍ଡ ଅଛନ୍ତି। ବର୍ତ୍ତମାନ ସମୟରେ ସାମୁଦ୍ରିକ ଥାନାଗୁଡିକ ପକ୍ଷରୁ ସୁରକ୍ଷା କଡାକଡି କରିବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଆଜି ଦିନ ପ୍ରାୟ ୨ଟା ୩୦ରେ ‘ସମ୍ବାଦ’ ଟିମ୍ ସ୍ଥିତି ପରଖିବା ପାଇଁ ଏହି ଥାନାରେ ପହଞ୍ଚି ଥିଲା। ଥାନାର ତଳ ତାଲାରେ ଚାରିଚକିଆ ଗାଡ଼ି ଥୁଆ ହୋଇଥିବା ବେଳେ ସେଠାରେ ପଡିଥିବା ଚେୟାର, ଟେବୁଲ ଫାଙ୍କା ପଡିଥିଲା। ଉପର ତାଲାରେ ସମସ୍ତ ଚେୟାର ଫାଙ୍କା ପଡିଥିଲା। ଜଣେ କନଷ୍ଟେବଳ ଥାନା ବାବୁଙ୍କ ଟେବୁଲ ପାଖରେ ଲୁଙ୍ଗି ପିନ୍ଧି ତଳେ ଶୋଇଥିଲେ। ଅନ୍ୟ ୩ଜଣ କନଷ୍ଟେବଳ ଖଟ ଉପରେ ଶୋଇଥିଲେ। ଏହି ୩ଜଣଙ୍କ ମଧ୍ୟରୁ ଦୁଇ ଜଣ ଲୁଙ୍ଗି ପିନ୍ଧି ଶୋଇଥିବା ବେଳେ ଅନ୍ୟ ଜଣେ ନାଇଟ ଡ୍ରେସ ପିନ୍ଧି ଶୋଇଥିଲେ। ଥାନାର ରାଇଟର ଅନ୍ୟ ଏକ ଖଟ ଉପରେ ହାଫ୍ ପ୍ୟାଣ୍ଟ ପିନ୍ଧି ଅର୍ଦ୍ଧନିଦ୍ରା ଅବସ୍ଥାରେ ବସିଥିଲେ। ‘ସାର୍‌, ସାର୍‌’ ବୋଲି ଡାକିବାର ୫ ମିନିଟ ପରେ ଲୁଙ୍ଗି ପିନ୍ଧି ଶୋଇଥିବା ପୁଲିସ ବାବୁମାନେ ଉଠିଥିଲେ। ଏଠି କିଛି ନାହିଁ, ଆମେ ସେଥିପାଇଁ ଶୋଇଛୁ ବୋଲି କହିଥିଲେ।

ନିୟମାନୁଯାୟୀ, ଥାନାରେ ଜଣେ ଡାଇରି ଚାର୍ଜ ଅଫିସର ଓ ଜଣେ ସେଂଟ୍ରି ପୁଲିସ ପୋଷାକରେ ଥାନାରେ ରହିବେ। ଯଦି ଥାନାରେ ଅଫିସରଙ୍କ ଅଭାବ ଅଛି ତେବେ ନିଶ୍ଚିତ ଭାବେ ସେଂଟ୍ରି ଥାନାରେ ୨୪ ଘଣ୍ଟିଆ ଡ୍ୟୁଟି କରିବେ। ଏହି ଥାନାରେ ୧୯ଜଣ କନଷ୍ଟେବଳ, ହାବିଲଦାର, ହୋମଗାର୍ଡଙ୍କ ମଧ୍ୟରୁ ମାତ୍ର ୫ଜଣ ରହିବା ଓ ସମସ୍ତେ ନିଦ୍ରା ଅବସ୍ଥାରେ ରହିବା ଘଟଣା ଉଦ୍‌ବେଗ ସୃଷ୍ଟି କରିଛି। କିପରି ବିନା ସେଂଟ୍ରିରେ ଥାନା ଚାଲିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଛି। ଏ ସଂପର୍କରେ ଥାନାର ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁଙ୍କୁ ପଚାରିବାରୁ ସେ ଘଟଣାକୁ ହାଲୁକା ଭାବେ ନେଇ କହିଛନ୍ତି, ଥାନାରେ ଆଜି ସେଂଟ୍ରି ଭାବେ କନଷ୍ଟେବଳ ରତ୍ନାକର ହେମ୍ବ୍ରମ ଥିଲେ। ଏହା ଆଭ୍ୟନ୍ତରୀଣ ଅଞ୍ଚଳ। ଏ ନେଇ ସମସ୍ତଙ୍କୁ ତାଗିଦା କରାଯିବ ବୋଲି ସେ କହିଛନ୍ତି।

ଏହି ଥାନା ଅଧୀନରେ ୭୫ ଭାଗ ବଙ୍ଗୀୟ ଭାଷାଭାଷୀ ଲୋକ ବସବାସ କରୁଥିବା ବେଳେ ସେମାନେ ପ୍ରାୟତଃ ଜଳପଥରେ ଯା’ଆସ କରିଥାନ୍ତି। ଏବଂ ଏହି ଅଞ୍ଚଳରେ ୧ହଜାରରୁ ଅଧିକ ମାଛଧରା ଟ୍ରଲର ଓ ବୋଟ ରହିଛି। ଏହି ଅଞ୍ଚଳ ଦେଇ ବାଂଲା ଅନୁପ୍ରବେଶକାରୀମାନେ ପ୍ରବେଶ କରିଥାନ୍ତି। ସାମୁଦ୍ରିକ ଥାନା ଖୋଲିବା ବେଳେ ଏହା ଜଳପଥରେ ଅନୁପ୍ରବେଶକାରୀଙ୍କୁ ରୋକିବ। ଜଳପଥରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିବ ବୋଲି କୁହାଯାଇଥିଲା। ସାମୁଦ୍ରିକ ଥାନା ଜଳପଥରେ ୧୨ ନଟିକାଲ୍ ଲାଇନ୍ ଯାଏଁ ନଜର ରଖିବ ବୋଲି ସ୍ଥିର କରାଯାଇଥିଲା। ଏପରି ଏକ ସମ୍ବେଦନଶୀଳ ଅଞ୍ଚଳରେ ସାମୁଦ୍ରିକ ଥାନା ପୁଲିସ ଦିନରେ ଲୁଙ୍ଗି ପିନ୍ଧି ଶୋଇବା ଘଟଣା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର