ରାଜନଗର: ବିକ୍ରି ହେଉଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ସରକାରୀ ସ୍ତରରେ ଦଲିଲ କରି ଜଙ୍ଗଲ ଓ ସମୁଦ୍ରକୁ ରାଜ୍ୟ ବାହାର କମ୍ପାନି ହାତରେ ଟେକି ଦିଆଯାଇଛି। ରାଜ୍ୟର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟକୁ ଏଭଳି ବିକ୍ରି କରାଯାଇଥିବାରୁ ଏହାର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। କେବଳ ରାଜ୍ୟ ବାହାର କମ୍ପାନି ନୁହେଁ, ରାଜ୍ୟର କିଛି କମ୍ପାନି ମଧ୍ୟ ଶହ ଶହ ଏକର ସମୁଦ୍ର ଓ ବେଳାଭୂମିକୁ କିଣି ନେଇଛନ୍ତି। ଭୁବନେଶ୍ବର, କଟକ ଓ ପାରାଦୀପରେ ଥିବା ସୂର୍ଯ୍ୟୋଦୟ ଲିମିଟେଡ୍ କମ୍ପାନି ୩୦୦ ଏକର ସମୁଦ୍ର ଓ ବେଳାଭୂମି କିଣିଛି। ଗୋଟିଏ କମ୍ପାନି ବିଭିନ୍ନ ଠିକଣାରେ ୩୦୦ ଏକର ସମୁଦ୍ର ଓ ବେଳାଭୂମି କିଣିବା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି କରିଛି। ଯେଉଁ ଅଞ୍ଚଳରେ ଚାରିଆଡ଼େ କେବଳ ସମୁଦ୍ର, ବେଳାଭୂମି ଓ ଜଙ୍ଗଲ ରହିଛି ସେହି ଅଞ୍ଚଳର ଜମିବାଡ଼ି ସରକାରୀ ବ୍ୟବସ୍ଥାରେ କିଭଳି କିଣାବିକା ହେଉଛି ବୋଲି ପ୍ରଶ୍ନ ଉଠୁଛି। ଗୋଟିଏ କମ୍ପାନି କିପରି ୩୦୦ ଏକର ଅଞ୍ଚଳ ହାତେଇବାରେ ସକ୍ଷମ ହେଲା ଓ ସରକାରୀ ବାବୁମାନେ କିପରି ବିକ୍ରି କରିବାକୁ ଅନୁମତି ଦେଲେ ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ଜଳବାୟୁ ପରିବର୍ତ୍ତନ କାରଣରୁ ଜନବସତି ସମୁଦ୍ର ଗର୍ଭକୁ ଚାଲିଯିବା ଏବଂ ସେଠାକାର ଅଧିବାସୀଙ୍କୁ ସ୍ଥାନାନ୍ତରିତ କରାଯିବା କ୍ଷେତ୍ରରେ ସାରା ପୃଥିବୀର ପ୍ରଥମ ଅଞ୍ଚଳ ହେଉଛି ସାତଭାୟା। ସାତଭାୟାର ୭୧୧ ପରିବାରକୁ ବଗପାଟିଆରେ ଥଇଥାନ କରାଯାଇଛି। ୧୯୭୧ ମସିହାରୁ ସାତଭାୟାର ଜନବସତିକୁ ସମୁଦ୍ର ଗର୍ଭସ୍ଥ କରିବା ଆରମ୍ଭ କରିଥିଲା। ୧୯୭୧ ପ୍ରଳୟଙ୍କରୀ ସୁନାମିରେ ସାତଭାୟାର ୧୦ ହଜାର ଲୋକ ପ୍ରାଣ ହରାଇବା ସହିତ ୫ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ସମୁଦ୍ର ଆଁରେ ଯେଉଁ ଅଞ୍ଚଳ ପଶିଯାଉଥିଲା ବିଭିନ୍ନ କମ୍ପାନି ଲୋକଙ୍କୁ ଏକର ପିଛା ୪/୫ ହଜାର ଟଙ୍କା ଦେଇ କିଣି ନେଇଥିଲେ। ସମୁଦ୍ର ଆଁରେ ପଶିଥିବା ଜମି କିଣିବାରେ ସବୁଠୁ ଆଗରେ ରହିଛି ସୂର୍ଯ୍ୟୋଦୟ ଲିମିଟେଡ୍ କମ୍ପାନି।
ଏହି କମ୍ପାନି କଟକ, ପାରାଦୀପ ଓ ଭୁବନେଶ୍ବର ଠିକଣା ଦେଇ ୩୦୦ ଏକର ସମୁଦ୍ର ଓ ବେଳାଭୂମିକୁ ହାତେଇ ନେଇଛି। ସୂର୍ଯ୍ୟକାନ୍ତ ଦାସ, ଅଜୟ କୁମାର ଦାସ, ଅନିମା ଦାସ, ସହସ୍ରବିନ୍ଦୁ ନନ୍ଦ, ନରେନ୍ଦ୍ର କୁମାର ମହାନ୍ତି, ସୌମ୍ୟକାନ୍ତ ଦାସ, ପ୍ରଭାବତୀ ନନ୍ଦ ପ୍ରମୁଖଙ୍କ ନାଁରେ ସୂର୍ଯ୍ୟୋଦୟ ଲିମିଟେଡ୍ ଠିକଣାରେ ଏହି ସମୁଦ୍ର ଓ ବେଳଭୂମି କିଣାଯାଇଛି। ସରକାରୀ ବ୍ୟବସ୍ଥାରେ ଥିବା ଫାଙ୍କର ଫାଇଦା ନେଇ ସାମୁଦ୍ରିକ ଅଭୟାରଣ୍ୟର ଜମି କିଣାଯାଇଛି। ଏହି କମ୍ପାନି ବିଭିନ୍ନ ଠିକଣା ଓ ବିଭିନ୍ନ ଲୋକଙ୍କ ନାମରେ ସମୁଦ୍ର ଭିତରେ ଥିବା ଗୋବିନ୍ଦପୁର ମୌଜାରେ ୩୨ ଏକର ୩୩ ଡେସିମିଲ, କାନପୁରରେ ୮୪ ଏକର ୩୮ ଡେସିମିଲ, ତେନ୍ତୁଳିଆ କୋଲ୍ଲାରେ ୫୭ ଏକର ୨୩ ଡେସିମିଲ, ସଦାନନ୍ଦପୁରରେ ୧୦ ଏକର ୯୩ ଡେସିମିଲ, ସାତଭାୟାରେ ୧୦୩ ଏକର ୯୬ ଡେସିମିଲ୍ ଜମି କିଣିଥିବା ଜଣାଯାଇଛି। ଭିତରକନିକା ଓ ଗହୀରମଥା ଭିତରେ ୩୦୦ ଶହ ଏକର ସମୁଦ୍ର ଓ ବେଳାଭୂମିକୁ ଗୋଟିଏ କମ୍ପାନି ହତେଇବା ପରିବେଶ ଓ ଜୈବ ବିବିଧତା ପ୍ରତି ବିପଦ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/17/gahirmatha-marine-2025-11-17-01-51-38.jpg)