ସୋର: ସୋର ଥାନା ମାଣିପୁର ବାଉପାଟଣା ଗ୍ରାମର ଯୁବକ ପୂର୍ଣ୍ଣଚନ୍ଦ୍ର ସାହୁ ସୋର ଷ୍ଟେସନକୁ ତାଙ୍କ ଦ୍ବିତୀୟ ପତ୍ନୀ ଏବଂ ପୁଅକୁ ଯାଉଥିବା ବେଳେ ଦୀର୍ଘଦିନ ଧରି ବିବାହଜନିତ ମାମଲା ଲାଗି ରହିଥିବା ତାଙ୍କ ପ୍ରଥମ ପତ୍ନୀଙ୍କ ବାପଘର ଲୋକ ଓ ସମର୍ଥକମାନେ ସେଠାରେ ପହଞ୍ଚି ନିସ୍ତୁକ ମାଡ଼ ମାରିବା ସହ ପୁଲିସ୍ରେ ଜିମା ଦେଇଥିଲେ। ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା କରି ତାଙ୍କ ବିରୋଧରେ ଥିବା ପୂର୍ବ ପରୱାନା ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଅନ୍ୟପକ୍ଷରେ ପୂର୍ଣ୍ଣଚନ୍ଦ୍ରଙ୍କ ମାଆ ସୋର ଥାନାରେ ପହଞ୍ଚି ଅପରପକ୍ଷଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏହି ଅଭିଯୋଗକୁ ଗ୍ରହଣ ନକରି ତାଙ୍କୁ ଫେରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବାଉପାଟଣା ଗ୍ରାମର ବଇନ ସାହୁଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ଛତରା ଗ୍ରାମର ବଙ୍ଗାଳି ସାହୁଙ୍କ ଝିଅ ଲତାମଣିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୮ ବର୍ଷର ଗୋଟିଏ ପୁଅ ରହିଛି। ପୁଅ ଜନ୍ମର ୨ ବର୍ଷ ପରେ ଶାଶୂବୋହୂଙ୍କ ଭିତରେ ମତପାର୍ଥକ୍ୟ ହେବାରୁ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଶାଶୂବୋହୂ ଅଲଗା ହୋଇ ରହିଥିଲେ।
ଏହା ସତ୍ତ୍ବେ ପୁଅ ବାପାମାଙ୍କ ସହିତ ସମ୍ପର୍କ ରଖିଥିବା କାରଣରୁ ପୁଅକୁ ଧରି ଲାତାମଣି ବାପଘରକୁ ପଳାଇ ଯାଇଥିଲେ। ସେମାନଙ୍କ ଭିତରେ ବିବାଦ ନ ତୁଟିବାରୁ ଲତାମଣି ନିର୍ଯାତନା ଏବଂ ଭରଣପୋଷଣ ମକଦ୍ଦମା କରିବା ସହିତ ପୂର୍ଣ୍ଣଚନ୍ଦ୍ର ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି। ଏହାପରେ କୋର୍ଟ ନିର୍ଦ୍ଦେଶରେ ବାର୍ଷିକ ୪୧ ହଜାର ଟଙ୍କା ଭରଣପୋଷଣ ରାଶି ଜମା କରିବା ପାଇଁ ନିର୍ଦେଶ ହୋଇଥିଲା। ମାତ୍ର ଏହା ପୂର୍ଣ୍ଣଚନ୍ଦ୍ରଙ୍କର ରୋଜଗାରଠୁ ଅଧିକ ହୋଇଥିବାରୁ ଏହା ବିରୋଧରେ ସେ ଉଚ୍ଚ ନ୍ୟାୟାଳୟରେ ଅପିଲ୍ କରିଥିଲେ।
କୋର୍ଟ ଏହି ମୋକଦମାକୁ ବିଚାର ପାଇଁ ଜିଲ୍ଲା ଜଜ୍କୋର୍ଟକୁ ପଠାଇ ଦେଇଥିଲେ। ଏହା ବିଚାରଧୀନ ଥିବା ବେଳେ ପୂର୍ବ ନିର୍ଦ୍ଦେଶ ବଳରେ ଥାନାରେ ଗିରଫ ପରୱାନା ରହିଥିଲା। ଗତକାଲି ପୂର୍ଣ୍ଣଚନ୍ଦ୍ର ତାଙ୍କର ଦ୍ବିତୀୟ ପତ୍ନୀ ଏବଂ ତାଙ୍କର ଶିଶୁପୁତ୍ରକୁ ସାଙ୍ଗରେ ନେଇ ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମ ପତ୍ନୀ ଲତାମଣିଙ୍କ ଭାଇ ଅଭିରାମ, ଟୁକୁନ ଏବଂ ତାଙ୍କର ସଂପର୍କୀୟମାନେ ପହଞ୍ଚି ପୂର୍ଣ୍ଣଚନ୍ଦ୍ରଙ୍କୁ ଧରି ନିସ୍ତୁକ ମାଡ଼ମାରି ଲହୁଲୁହାଣ କରି ଥାନାରେ ଜିମା ଦେଇଥିଲେ। ପୁଲିସ ପୂର୍ଣ୍ଣଚନ୍ଦ୍ରକୁ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ପୂର୍ବ ପରୱାନା ବଳରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest.jpg)