ବୌଦ୍ଧ : ମହାନଦୀକୁ ବୌଦ୍ଧ ଜିଲ୍ଲାର ଜୀବନରେଖା କୁହାଯାଏ। ଜିଲ୍ଲାବାସୀଙ୍କ ଜୀବନ, ଜୀବିକା ଓ ପରମ୍ପରା ସହ ମହାନଦୀ ଜଡ଼ିତ। ହେଲେ ଜିଲ୍ଲାବାସୀଙ୍କ ପାଇଁ ପ୍ରକୃତିର ଆଶୀର୍ବାଦ କୁହାଯାଉଥିବା ମହାନଦୀ ଏବେ ବିପଦ ସୃଷ୍ଟି କରିଛି। ଉପରମୁଣ୍ଡରେ ଛତିଶଗଡ଼ର ସଂଖ୍ୟାଧିକ ବ୍ୟାରେଜ୍ ନିର୍ମାଣ ଯୋଗୁଁ ବର୍ଷସାରା ସ୍ବାଭାବିକ ଜଳ ପ୍ରବାହ ରହୁନାହିଁ। ଅନେକ ସ୍ଥାନରେ ପାଣି ବଦଳରେ କେବଳ ବାଲୁକା ଶଯ୍ୟା ରହିଛି। ସେହିପରି ବର୍ଷା ଦିନରେ କୂଳ ଲଙ୍ଘି ନଦୀକୂଳ ଗ୍ରାମବାସୀଙ୍କ ଜୀବନ ବିପନ୍ନ କରୁଛି। ଜିଲ୍ଲାର ପ୍ରାୟ ୩୦ରୁ ଅଧିକ ଗାଁ ଏଥିରେ ପ୍ରଭାବିତ ହେଉଛନ୍ତି। ନଦୀରେ ପାଣି ଆସିଲେ ଗାଁଗୁଡ଼ିକର ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି। କେଉଁଠି କୂଳ ଖାଇ ଗାଁକୁ ଗ୍ରାସ କରିବାରେ ଲାଗିଛି ତ କେଉଁଠି ଶହ ଶହ ଏକର ଜମିରେ ବାଲିଚର ପଡ଼ି ଫସଲ ନଷ୍ଟ ହେଉଛି। ଅନେକ ଜମି ମହନଦୀ ଗର୍ଭରେ ବିଲୀନ ହେଲାଣି। ପ୍ରତିବର୍ଷ କୂଳ ଖାଇ ନଦୀ ଗାଁ ଆଡ଼କୁ ମୁହାଁଉଛି। ବନ୍ୟା ପ୍ରଭାବିତ ଗ୍ରାମ ନିକଟରେ ଆଡ଼ିବନ୍ଧର ଆବଶ୍ୟକତା ଥିଲେ ସୁଦ୍ଧା ପ୍ରଶାସନ ଦ୍ବାରା ଆଶାନୁରୂପ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବନ୍ୟା ସମୟରେ ପ୍ରାଶାସନିକ ଅଧିକାରୀ ଓ ରାଜନେତା ପହଞ୍ଚି କେବଳ ସମବେଦନା ଜଣାନ୍ତି। ପ୍ରତିଶ୍ରୁତି ଦେଇ ଲୋକଙ୍କୁ ସାମୟିକ ଆଶ୍ବାସନା ଦିଅନ୍ତି। ପରେ ଆଉ କାହାରି ମନେ ରହେ ନାହିଁ।
ସୂଚନା ଅନୁସାରେ ମହାନଦୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ବାସୁଦେବପାଲିଠାରୁ ହରଭଙ୍ଗା ବ୍ଲକ କୁସଙ୍ଗ ପର୍ଯ୍ୟନ୍ତ ୮୬ କିମି ଅତିକ୍ରମ କରିଛି। ଆରମ୍ଭରୁ ଶେଷ ମୁଣ୍ଡ ଯାଏଁ ୩୦ରୁ ଅଧିକ ଗାଁର ଲୋକେ ବନ୍ୟା ସମୟରେ ପ୍ରଭାବିତ ହୁଅନ୍ତି। ବୌଦ୍ଧ ବ୍ଲକ୍ ଦହ୍ୟା ପଞ୍ଚାୟତର ଦହ୍ୟା ଓ ଚଅଁରିଆପଦର, ବାଉଁଶୁଣି ପଞ୍ଚାୟତର ବାଉଁଶୁଣି ଓ ମାଳିପଡ଼ା, ଅଇଁଲାପାଲି ପଞ୍ଚାୟତର ଟାଟରକିଲା, ବହିରା ପଞ୍ଚାୟତର ତେନ୍ତୁଳିପାଲି, ତାଳସରଡ଼ା ପଞ୍ଚାୟତର ପୋଢ଼ଖାଲ, ତେଲିବନ୍ଧ ପଞ୍ଚାୟତର ସୁବର୍ଣ୍ଣପୁର ଓ କଙ୍କଲା, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କଉଡ଼ିଆତୋଳା ଓ ସାପଦୋହଳି, ଖୁଣ୍ଡବନ୍ଧ ପଞ୍ଚାୟତ ଚଣ୍ଡିଗଡ଼ ଓ ଜଗନ୍ନାଥପୁର ଗ୍ରାମ, ହରଭଙ୍ଗା ବ୍ଲକ୍ ଧଳପୁର ପଞ୍ଚାୟତର ଧଳପୁର, ଖରସଙ୍କୁଲେଇ, ସାକୁସିଙ୍ଗା, ତେନ୍ତୁଳିପଦର, ସଦରଭଣ୍ଡା, ପାଣିଘରା, ସଙ୍କୁଲେଇ ପଞ୍ଚାୟତର ବୁର୍ଲା, ରାଉତପଡ଼ା, ମାଝିସାହି, ଭେଜିଗୁଡ଼ା, ହରଭଙ୍ଗା ପଞ୍ଚାୟତ ସୁରୁଣ୍ଡି, ଡିଆଘାଟ, କଡ଼ାସିଙ୍ଗା, ହରଭଙ୍ଗା, କୁସଙ୍ଗ ପଞ୍ଚାୟତର ଅତଳସରା, କୁମାରୀ, କୁସାସିଙ୍ଗା ଆଦି ଗ୍ରାମ ମହାନଦୀ ବନ୍ୟା ଯୋଗୁଁ ପ୍ରଭାବିତ ହୁଅନ୍ତି। ମହାନଦୀରେ ପାଣି ଆସିଲେ ଏମାନଙ୍କ ଦୁଶ୍ଚିନ୍ତା ବଢ଼ିଯାଏ।
ବନ୍ୟା ଜଳରୁ ରକ୍ଷା ପାଇବା ପାଇଁ ପ୍ରାୟ ୨୦ କିମି କୂଳରେ ପଥର ପ୍ୟାଚିଂ ଓ ବନ୍ୟା ସୁରକ୍ଷା କାନ୍ଥ ତିଆରି କରାଯାଇଛି। ହେଲେ ତାହା ପର୍ଯ୍ୟାପ୍ତ ନୁହେଁ। ଏବେ ବି ୫୬ କିମି କୂଳ ମୁକୁଳା ପଡ଼ିଛି। ଅଧିକ ସ୍ଥାନରେ ବନ୍ୟା ସୁରକ୍ଷା ବ୍ୟବସ୍ଥା ନିର୍ମାଣ କରିବା ପାଇଁ ଜଳ ସେଚନ ବିଭାଗ ପକ୍ଷରୁ ୨୦୧୮ରୁ ୯୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରି ପାଇଁ ପଠାଯାଇଛି। ତେବେ ଅଦ୍ୟାବଧି ଅନୁମୋଦନ ହୋଇ ନଥିବା ଜଣାଯାଇଛି। ବେଳହୁଁ ପଦକ୍ଷେପ ନନେଲେ ଅନେକ ଗାଁ ନଦୀ ଗର୍ଭରେ ମିଶିଯିବା ଆଶଙ୍କା ରହିଛି। ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ମର୍ଜାକୁଦ ଦ୍ବୀପ। ଏହା ବ୍ୟତୀତ ମର୍ଜାକୁଦ ଦ୍ବୀପକୁ ପ୍ରାୟ ୧୦ କିମି ଘେରି ରହିଛି ମହାନଦୀ। ପ୍ରତିବର୍ଷ କୂଳ ଖାଇ ଏଠାକାର ଚାଷ ଜମି ମହାନଦୀ ଗର୍ଭରେ ମିଶୁଛି। ଏହି ପ୍ରକ୍ରିୟା ଜାରି ରହିଲେ ମର୍ଜାକୁଦ ଦ୍ବୀପ ମଧ୍ୟ ମହାନଦୀରେ ବିଲୀନ ହୋଇଯିବାର ଆଶଂକା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/boudha.jpg)