ପୁରୀ : ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସ(ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସ)ରେ ଲାଗିଥିବା ନିଆଁ ୩୬ ଘଣ୍ଟା ପରେ ଆୟତ୍ତକୁ ଆସିଛି। ନରେନ୍ଦ୍ର ପୁଷ୍କରିଣୀ ସହ ଆଖପାଖ ଅଞ୍ଚଳରୁ ଅଗ୍ନିଶମ ଗାଡ଼ି ଜରିଆରେ ଲଗାତାର ପାଣି ମାଡ଼ ଏବଂ ବହୁଘଣ୍ଟାର ଝାଳବୁହା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ଏହି ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛନ୍ତି।
ଗତ ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ ବଡ଼ଦାଣ୍ଡ ସମ୍ରାଟ୍ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ଥିବା ଏକ ପୋଷାକ ଦୋକାନରେ ସଟ୍ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ସଙ୍ଗେସଙ୍ଗେ ଏହା ସାରା ମାର୍କେଟ୍ କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଘଟଣା ସମୟଠାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ନିଆଁକୁ ଲିଭାଇବା ପାଇଁ ପ୍ରଶାସନ ଓ ଅଗ୍ନିଶମବାହିନୀ ପକ୍ଷରୁ ପୂର୍ଣ୍ଣମାତ୍ରାରେ ଉଦ୍ୟମ କରାଯାଇଥିଲା। ଶୁକ୍ରବାର ଦିନ ଚାରିମହଲା ବିଶିଷ୍ଟ ଏହି କୋଠାରୁ ନିଆଁ ଲିଭିବା ପରେ ପ୍ରଶାସନ ଏହାକୁ ଦଖଲକୁ ନେଇଛି। ଏବେ ବି କୋଠା ଭିତର ପରିବେଶ ତତଲା ଥିବା ଓ ଧୂଆଁ ବାହାରୁଥିବାରୁ ଜିଲ୍ଲା ପ୍ରଶାସନ ଏହି କୋଠାକୁ ୨୪ ଘଣ୍ଟା ଅନୁଧ୍ୟାନରେ ରଖିଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।
ସେପଟେ କ୍ଷୟକ୍ଷତି ଆକଳନ ଓ କୋଠାର ସ୍ଥିତାବସ୍ଥା ଜାଣିବା ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ନେତୃତ୍ବରେ ପୁରୀ ତହସିଲଦାର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ଟାଉନ୍ ଥାନା ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ଦଳ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ଘର, ବ୍ୟାଙ୍କ, ହୋଟେଲ ଆଦିର କ୍ଷୟକ୍ଷତି ଆକଳନ କରିବ। ମାର୍ଚ୍ଚ ୧୫ ତାରିଖ ଭିତରେ ଏହି ଦଳ ସବିଶେଷ ରିପୋର୍ଟ ପ୍ରଦାନ କରିବ।
ବଡ଼କଥା ହେଉଛି, ୪୩ରୁ ଅଧିକ ଦୋକାନ, ହୋଟେଲ, ବ୍ୟାଙ୍କ ଆଦିକୁ ନେଇ ଚାଲିଥିବା ଏହି ମାର୍କେଟ୍ କମ୍ପ୍ଲେକ୍ସ ୨୫ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଥିଲା। ନା ଥିଲା ଅଗ୍ନି ନିରାପତ୍ତା ବ୍ୟବସ୍ଥା, ନା ଜରୁରୀକାଳୀନ ପ୍ରସ୍ଥାନ ରାସ୍ତା। ସୌଭାଗ୍ୟକୁ ଏହି ଅଗ୍ନିକାଣ୍ଡରେ କୌଣସି ଦୋକାନୀ କିମ୍ବା ଗ୍ରାହକ ମୃତାହତ ହୋଇନାହାନ୍ତି, ତଥାପି ଏଭଳି ଦାୟିତ୍ବହୀନତା ପାଇଁ ମାର୍କେଟ୍ କମ୍ପ୍ଲେକ୍ସ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହାକୁ ଜନସାଧାରଣ ଅପେକ୍ଷା କରିଛନ୍ତି। ଅନ୍ୟପଟେ, ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଓ ବାହାରୁ ଧାରକରଜ କରି ଦୋକାନ ଚଳାଉଥିବା ଦୋକାନୀମାନେ ସର୍ବସ୍ବ ହରାଇବା ପରେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।