ସମ୍ବଲପୁର : ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଓଡ଼ିଆ ଫିଲ୍ମ ନିର୍ମାତା ଓ ପ୍ରମୋଟର୍ ଜିତେନ୍ଦ୍ର ମିଶ୍ର ଓଡ଼ିଆ ସିନେମାଗୁଡ଼ିକର ପ୍ରତିଷ୍ଠା ବୃଦ୍ଧିପାଇଁ ପୁଣି ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଆସନ୍ତା ୧୭ତାରିଖରେ ଆରମ୍ଭ ହେବାକୁ ଯାଉଥିବା ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ସେ ୧୦ଟି ଓଡ଼ିଆ ଚଳଚ୍ଚିତ୍ରକୁ ସମ୍ମାନଜନକ ‘ମାର୍ଚ୍ଚେ ଡୁ ଫିଲ୍ମ’ ବଜାରରେ ଉପସ୍ଥାପନ କରିବାକୁ ଯାଉଛନ୍ତି।
‘ମାର୍ଚ୍ଚେ ଡୁ ଫିଲ୍ମ’ ୧୯୫୯ରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ସହ ସୃଷ୍ଟ ବିଶ୍ବର ଅନ୍ୟତମ ବୃହତ୍ ଚଳଚ୍ଚିତ୍ର ବଜାର ବା ଫୋରମ୍ , ଯେଉଁଥିରେ ପ୍ରତିବର୍ଷ ୧୨ ହଜାରରୁ ଅଧିକ ଫିଲ୍ମ ପେସାଦାର ସାମିଲ ହୁଅନ୍ତି ଏବଂ ୫୫୦୦ରୁ ଅଧିକ କମ୍ପାନି ପାଇଁ ୧୬୦୦ରୁ ଅଧିକ କ୍ରେତା ଅଂଶଗ୍ରହଣ କରିଥା’ନ୍ତି। ଏହି ସିନେ ଶିଳ୍ପର ଜଣେ ପଞ୍ଜିକୃତ ପେସାଦାର ଭାବେ ଶ୍ରୀ ମିଶ୍ର ଏଠାରେ ସ୍ବାଧୀନ ଭାବେ ତଥା ବ୍ୟକ୍ତିଗତ ସ୍ତରରେ ବିଭିନ୍ନ ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିଥା’ନ୍ତି। ଫଳରେ, ସେଠାରେ ଉପସ୍ଥିତ ରହୁଥିବା ଅନ୍ତର୍ଜାତୀୟ ଫିଲ୍ମ କ୍ରେତା, ପ୍ରସାରକ, ଚଳଚ୍ଚିତ୍ର ମହୋତ୍ସବ ଆୟୋଜକଙ୍କ ନଜରକୁ ଆସି ପାରିଥାଏ।
ଏଥର ଶ୍ରୀମିଶ୍ର ବହୁ ପୁରସ୍କାରପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଆଦିଉ ଗୋଦର୍ଦ’, ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସବ୍ୟସାଚୀ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ଆଦିମ ବିଚାର’, ‘ପାହାଡ଼ର ଲୁହ’, ‘ଶଲା ବୁଢ଼ା’, ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାମଣିକ ଚଳଚ୍ଚିତ୍ର ଶିବ ପୃଷ୍ଟିଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚିତ୍ର ‘ଦି ଲର୍ଡ ଅଫ୍ ଦି ୟୁନିଭର୍ସ’, ଅବିନାଶ ପ୍ରଧାନ, ଦେବାଶିଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି ମାଉଣ୍ଟେନ୍ ହକି’ , ଛାତ୍ରଛାତ୍ରୀଙ୍କ ଏକ ଗ୍ରୁପ୍ ଦ୍ବାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ପ୍ରଥା’ ସମେତ କିଛି ପ୍ରାମାଣିକ ଚିତ୍ରକୁ ଏହି ବଜାରରେ ଉପସ୍ଥାପନ କରାଇବେ। ଏହା ଲୋକଲୋଚନକୁ ଆସି ପାରୁ ନଥିବା ଉନ୍ନତ ଓଡ଼ିଆ ଚଳଚ୍ଚିତ୍ର ଗୁଡ଼ିକ ପାଇଁ ବୈଶ୍ବିକ ସମ୍ଭାବନା ଓ ବଜାର ସୃଷ୍ଟି କରିପାରିବ ବୋଲି ଟିଟିଲାଗଡ଼ ଜନ୍ମିତ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/sambalpur.jpg)