କୋଟିଆରେ ଖୋଲିଲା ହାଟ

କୋରାପୁଟ/ପଟାଙ୍ଗୀ : କୋଟିଆବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି। ନିତି ବ୍ୟବହାର କରୁଥିବା ସାମଗ୍ରୀ ଆଣିବା ପାଇଁ ସେମାନଙ୍କୁ ଆଉ ବେଶୀ ଦୂର ଯିବାକୁ ପଡିବ ନାହିଁ। କାରଣ ଆଜିଠାରୁ କୋଟିଆରେ ଖୋଲିଛି ସାପ୍ତାହିକ ହାଟ। କୋଟିଆବାସୀଙ୍କୁ ବାନ୍ଧି ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏହି ହାଟ ପ୍ରତିଷ୍ଠା କରାଯାଇଥିଲା ବେଳେ ଏହାକୁ ମନଖୋଲା ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ। ଆଜି ସେଠାରେ ବ୍ଲକ ସ୍ତରୀୟ କୃଷକ ସଂପର୍କ ମେଳା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ କୃଷକମାନଙ୍କ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସରକାରୀ ଯୋଜନା ସହ ପରିଚିତ କରାଯାଇଥିଲା। କୃଷକମାନଙ୍କ ପାଇଁ ସରକାର କରିଥିବା ବିଭିନ୍ନ ସୁବିଧାସୁଯୋଗ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। କୃଷି ଓ କୃଷକର ବିକାଶ ପାଇଁ କୋଟିଆ ଅଂଚଳରେ ଅର୍ଥର ଅଭାବ ରହିବ ନାହିଁ ବୋଲି ସରକାରୀ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଓ ବନ ଦିବସ ପାଳନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ କୋରାପୁଟ ଉପ ଜିଲ୍ଲାପାଳ କୃତ୍ତିବାସ ରାଉତ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ପଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ବିଡିଓ କରୁଣାକର ପ୍ରଧାନ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ତହସିଲଦାର ଅରୁଣ କୁମାର ଖଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଡୁମୁରୀ ଖିଲ, ସାଂସଦ ପ୍ରତିନିଧି ଜୟସିଂ ପଡାସିଂ, ସରପଞ୍ଚ ବିଶ୍ୱନାଥ ଖିଲ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଲୋକଙ୍କ ଅଭାବ, ଅସୁବିଧା ପଚାରି ବୁଝିଥିଲେ। ଆଗକୁ କୋଟିଆରେ ଏମିତି ନିୟମିତ ଉନ୍ନୟନମୂଳକ କାମ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର