ସମ୍ବଲପୁର: ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଖରିଫ ଧାନମଣ୍ଡି ଆରମ୍ଭ ହୋଇଯାଇଥିବା ବେଳେ ଆଉ କେତେକ ଜିଲ୍ଲାରେ ଖୁବ୍ କମ୍ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏପଟେ ବିଭିନ୍ନ ସ୍ଥାନରେ ମଣ୍ଡି ଭିତ୍ତିଭୂମି ବ୍ୟାପକ ଅସଜଡ଼ା ହୋଇ ପଡ଼ିଥିବା ବେଳେ ପ୍ରଶାସନ ବି ଧାନକିଣା ପାଇଁ ନିଜକୁ ପ୍ରସ୍ତୁତ କରିପାରି ନଥିବା ଅଭିଯୋଗ ହେଉଛି। ସେହିପରି ନକଲି ପ୍ଲଟ୍ ଧରିବା ପାଇଁ କରାଯାଉଥିବା ଉପଗ୍ରହ ସର୍ବେକ୍ଷଣରେ ବିଳମ୍ବ ହେଉଥିବାରୁ ଚାଷୀ କ୍ଷତି ସହିବ ବୋଲି ଜଳଜଳ ଦିଶିଲାଣି। ଏସବୁ ସମସ୍ୟାକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପ୍ରତିବର୍ଷ ଧାନ ସଂଗ୍ରହ ପୂର୍ବରୁ ପ୍ରସ୍ତୁତି ବୈଠକ ବସୁଛି। ଭିତ୍ତିଭୂମି ନେଇ ସମୀକ୍ଷା ଚାଲିଛି। ମଣ୍ଡିଗୁଡ଼ିକର ଭିତ୍ତିଭୂମି ସଳଖାଇବା ପାଇଁ କଡ଼ା ତାଗିଦ ମିଳୁଛି। କିନ୍ତୁ, ମଣ୍ଡିଗୁଡ଼ିକ ଚାଷୀର ଧାନ ସୁରକ୍ଷିତ ରଖିବାକୁ ଶତପ୍ରତିଶତ ପ୍ରସ୍ତୁତ ନୁହଁ। ଗୋଟିଏ କ୍ବିଣ୍ଟାଲ ଧାନ ବିକିଲେ ଉପରୁ ତଳ ସ୍ତର ଯାଏ କମିସନ୍ ବ୍ୟବସ୍ଥା ରହିଛି। ଧାନକିଣା ପ୍ରକ୍ରିୟା ବାବଦ କୁଇଣ୍ଟାଲ ପିଛା କମିସନ୍ ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି)ର ୨ ପ୍ରତିଶତ, ଧାନକିଣା ସଂସ୍ଥାର ୧.୧୯ ପ୍ରତିଶତ, ପ୍ରଶାସନିକ ଖର୍ଚ୍ଚ ୧ ପ୍ରତିଶତ ରହୁଛି। ସେହିପରି ଲୋଡିଂ/ଅନ୍ଲୋଡିଂ ବାବଦକୁ ଦୁଇଟି କିସମର ଶ୍ରମିକଙ୍କୁ ୮.୪୮ ଟଙ୍କା ଏବଂ ୧୪ ଟଙ୍କା ମିଳୁଛି। ଧାନ କିଣାବିକା ପ୍ରକ୍ରିୟାରେ ସାମିଲ ଅଧିକାରୀମାନଙ୍କ ଭାଗରେ ୧% କମିସନ୍ ପଡ଼ୁଛି। ଗୋଟିଏ କ୍ବିଣ୍ଟାଲ ଧାନରେ ଉପରୁ ତଳ ଯାଏଁ ଥିବା କର୍ମଚାରୀ ଏବଂ ଅଧିକାରୀ ଲାଭାନ୍ବିତ ହେଉଛନ୍ତି। କିନ୍ତୁ ଚାଷୀର ଦୁଃଖ ଲାଘବ ହେଉନାହିଁ। ଆର୍ଏମ୍ସି ପାଉଥିବା କମିସନରୁ ମଣ୍ଡି ଭିତ୍ତିଭୂମିର ବିକାଶ କରିବା କଥା। ଆର୍ଏମ୍ସି ଚାଷୀମାନଙ୍କୁ ୨୪ ପ୍ରକାର ସୁବିଧା ଯୋଗାଇ ଦେବା କଥା। ହେଲେ ଏହା କେବଳ କାଜଗକଲମରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି। କାଁ ଭାଁ କେତେକ ମଣ୍ଡିରେ କିଛି କିଛି ବ୍ୟବସ୍ଥା ଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ମଣ୍ଡିରେ ଛାଉଣି ନଥିବାରୁ ପ୍ରତିବର୍ଷ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିରହୁଛି।
ବରଗଡ଼ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ଏହି ଜିଲ୍ଲାରେ ରହିଛି ୭୩ଟି ସକ୍ରିୟ ମଣ୍ଡି। ଏହାବାଦ୍ ଖରିଫ୍ରେ ପାଖାପାଖି ୧୨୦ ଏବଂ ରବିରେ ୧୫୦ କେନ୍ଦ୍ରରେ ଧାନକିଣା ଚାଲିଥାଏ। କିନ୍ତୁ ଏଭଳି ବି କ୍ରୟକେନ୍ଦ୍ର ରହିଛି, ଯେଉଁଠି ଭିତ୍ତିଭୂମି କହିଲେ କିଛି ନାହିଁ। ମଣ୍ଡିଗୁଡ଼ିକରେ ମାତ୍ର ୫ରୁ ୭ ହଜାର କ୍ବିଣ୍ଟାଲ ଧାନ ରଖିବା କ୍ଷମତା ରହିଛି। ବିଭିନ୍ନ ମଣ୍ଡି କିମ୍ବା ଧାନକ୍ରୟ କେନ୍ଦ୍ରରେ ବିଜୁଳି ବି ରହୁନାହିଁ। କମ୍ପ୍ୟୁଟର୍ରେ ନେଟୱର୍କ ରହୁନି। ସ୍ଥିତି ଏଭଳି ଯେ, ଧାନ ଚୋରି ରୋକିବାକୁ ବି କିଛି ବ୍ୟବସ୍ଥା ନାହିଁ। ସମ୍ବଲପୁର ଜିଲ୍ଲାରେ ବି ଧାନକିଣା ଆରମ୍ଭ ହୋଇଛି। ଏଠାରେ ବି ମଣ୍ଡି ଭିତ୍ତିଭୂମି ଅଭାବ ଯୋଗୁଁ ମିଲର୍ଙ୍କ ଉପରେ ଭରସା କରିବାକୁ ପଡ଼ୁଛି। ଚାଷୀଙ୍କ ଧାନ ସିଧାସଳଖ ମିଲ୍କୁ ଯାଉଛି। ମଣ୍ଡି ହେଣ୍ଡଲିଂ ସମ୍ବଲପୁରରେ ହୁଏନି ବୋଲି ଖୋଦ୍ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ସ୍ବୀକାର କରିଛନ୍ତି। ମଣ୍ଡିଂ ହେଣ୍ଡଲିଂ ସୋସାଇଟି ସ୍ତରରେ କିଛି ହେଉଛି ଓ କିଛି ହେଉ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଟ୍ରାନ୍ସପୋର୍ଟିଂ ବାବଦକୁ ବି ମିଲର୍ସଙ୍କୁ ଏଥର ଦାୟିତ୍ୱ ଦିଆଯାଇଛି।
ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ମଣ୍ଡି ଖୋଲିବ। ଜିଲ୍ଲାରେ ୧୫୮ ପ୍ୟାକ୍ସ ଓ ୧୭ଟି ମହିଳା ଏସ୍ଏଚ୍ଜି ଧାନକ୍ରୟ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନିଆସରିଛି। ହେଲେ ମଣ୍ଡିଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି। ଧାନ ରଖିବା ପାଇଁ ବ୍ୟବସ୍ଥା ନଥିବା ବେଳେ ପ୍ରତିକୂଳ ପାଗରେ ଚାଷୀର ଧାନକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଅଧିକାଂଶ ମଣ୍ଡିରେ ଛାଉଣି ନାହିଁ। ପ୍ରଶାସନ କେବଳ କିଛି ଖଣ୍ଡ ତାରପୋଲିନ ଯୋଗାଇ ଦେଇ କାମ ସାରି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ବି ସ୍ଥିତି ସମାନ। ଜିଲ୍ଲାର ବିଭିନ୍ନ ଆର୍ଏମସିରେ କୋଟି କୋଟି ଟଙ୍କା ଅନୁଦାନ ପଡ଼ି ରହିଥିଲେ ମଧ୍ୟ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯାଉ ନାହିଁ। ଫଳରେ ଚାଷୀମାନେ ବହୁ ଅସୁବିଧାରେ ଧାନ ବିକ୍ରି କରୁଛନ୍ତି। ଏପରିକି ପ୍ରତିକୂଳ ପାଗ ହେଲେ ଧାନର ମାନ ମଧ୍ୟ ହ୍ରାସ ପାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲ୍ଲାର ୧୮୮ଟି ମଣ୍ଡି ମଧ୍ୟରୁ ୧୦୨ଟିରେ ଛାଉଣି ବ୍ୟବସ୍ଥା ଥିବା ବେଳେ ଅନ୍ୟଗୁଡ଼ିକ ଖୋଲା ଆକାଶ ତଳେ ଚାଲିଛି। ଜିଲ୍ଲାସ୍ତରୀୟ ଧାନ କିଣା କମିଟି ବୈଠକରେ ବାରମ୍ବାର ମଣ୍ଡିରେ ଛାଉଣି ନିର୍ମାଣ ଦାବି ଉଠୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ଡିସେମ୍ବର ୮ ତାରିଖରୁ ମଣ୍ଡି ଖୋଲିବ। ନକଲି ପ୍ଲଟ୍ ଧରିବା ପାଇଁ ଚଳିତ ସପ୍ତାହରେ ଉପଗ୍ରହ ସର୍ଭେ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାରେ ୨୭,୫୯୭ଟି ସନ୍ଦିଗ୍ଧ ପ୍ଲଟ୍ ଚିହ୍ନଟ ହୋଇଛି। ଏହି ସନ୍ଦିଗ୍ଧ ଜମିଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯାଇ ଚାଷୀଙ୍କ ଧାନକିଣା ପାଇଁ ଟୋକନ୍ ବାହାରିବ ଓ ଚାଷୀ ଧାନ ବିକି ପାରିବେ। ସାଧାରଣତଃ ଧାନକଟା ପୂର୍ବରୁ ଏହି ଉପଗ୍ରହ ସର୍ଭେ ହେଉଥିବା ବେଳେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ ଚାଷୀମାନେ କ୍ଷତି ସହିବା ଆଶଙ୍କା ଦେଖା ଦେଇଛି। ସଅଳ କିସମ ଧାନ ୧୫ରୁ ୨୦ ଦିନ ଆଗରୁ ଅମଳ ହୋଇ ସାରିଲାଣି। ଏସବୁ ଜମିର ଧାନ ଚାଷୀମାନେ ବିକି ପାରିବେ କି ନାହିଁ ଏବେ ସନ୍ଦେହରେ ରହିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ମାନସ ମହାପାତ୍ର କୌଣସି ଚାଷୀ ଯଦି ଉପଗ୍ରହ ସର୍ଭେରେ ଆସିଥିବା ଫଟୋକୁ ଚ୍ୟାଲେଞ୍ଜ କଲେ ତହସିଲଦାର, ଆର୍ଆଇ ଓ ଭିଏଡବ୍ଲ୍ୟୁଙ୍କୁ ନେଇ ଗଠିତ କମିଟି ସ୍ଥିତି ଯାଞ୍ଚ କରିବେ ଓ ଯଦି ଚାଷୀ ଚାଷ କରିଥିବା ପ୍ରମାଣ ମିଳେ ତେବେ ତାଙ୍କୁ ଧାନ ବିକ୍ରି ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ରେ ଡିସେମ୍ବର ୧୨ରୁ ଧାନକିଣା ଆରମ୍ଭ ହେବ। ତାରିଖ ଘୋଷଣା କରାଯାଇଥିଲେ ସୁଦ୍ଧା ଆନୁଷଙ୍ଗିକ ବ୍ୟବସ୍ଥା ଶେଷ ହୋଇନାହିଁ। କ୍ଷେତ୍ର ପରିଦର୍ଶନ ବେଳେ ଚାଷ କରିନଥିବା ଓ ଜମି ନଥିବା ୪୪ଜଣ ନକଲି ଚାଷୀ ଚିହ୍ନଟ ହୋଇଥିଲେ। ଏବେ ଧାନକିଣା ସମୟ ପାଖେଇ ଆସୁଥିଲେ ସୁଦ୍ଧା ଉପଗ୍ରହ ମାଧ୍ୟମରେ ସର୍ଭେ ଶେଷ ହୋଇନଥିବା ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି। ଉପଗ୍ରହ ସର୍ଭେ ରିପୋର୍ଟ ଆସିବା ପରେ ପୁଣି ଯାଞ୍ଚ କରାଯିବ। ଅସଲ ଚାଷୀଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତ ପରେ ଚାଷୀଙ୍କ ନାଁରେ ଟୋକନ ଦିଆଯିବ। ଏତେ ସବୁ ପ୍ରକ୍ରିୟା ଶେଷ ହେବା ସମୟ ସାପେକ୍ଷ। ତେଣୁ ମଣ୍ଡି ଖୋଲିବା ପୂର୍ବରୁ ଧାନ ଅମଳ କରି ବିକ୍ରି ପାଇଁ ଜଗିଥିବା ଚାଷୀମାନେ ଠିକ ସମୟରେ ଟୋକନ ପାଇବା ନେଇ ଆଶଙ୍କା ଦେଖା ଦେଇଛି। ଯାହା ଚାଷୀଙ୍କ ଚିନ୍ତାର କାରଣ ସାଜିଛି।