ସମ୍ବଲପୁର: ଆସନ୍ତା ମେ ମାସ ୧୦ ତାରିଖ ଦିନ ସମ୍ବଲପୁର ଜିଲ୍ଲାରେ ମଣ୍ଡି ଖୋଲିବ। ଏଥିରେ ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ୩୦ଟି ପ୍ରାଥମିକ କୃଷି ସମବାୟ ସମିତି/ବୃହତ ଅଞ୍ଚଳ ବହୁମୁଖୀ ସମିତି ଅଂଶଗ୍ରହଣ କରିବେ। ମୋଟ ୬୧ଟି ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଏଥିରେ ୪୬ ଜଣ କଷ୍ଟମ ମିଲର୍ ଅଂଶଗ୍ରହଣ କରିବେ। ଏଥର ୧୫,୫୬୮ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ସମୁଦାୟ ଯାଞ୍ଚ ହୋଇଥିବା ଚାଷୀଙ୍କ ସଂଖ୍ୟା ୧୫,୫୩୪ ରହିଛି। ପି-ପାସ୍ (ଅନଲାଇନ୍ ମୋଡରେ ରିଅଲ୍ ଟାଇମ୍ କ୍ରୟ) ମାଧ୍ୟମରେ କ୍ରୟ କରାଯିବ ଯେଉଁଠାରେ କେନ୍ଦ୍ରୀୟ ଟୋକନ୍ ଜାରି କରାଯିବ ଏବଂ କୃଷକଙ୍କ ପଞ୍ଜୀକୃତ ମୋବାଇଲକୁ ଏସଏମଏସ ପଠାଯିବ । କେବଳ ଆଧାର ପ୍ରମାଣୀକରଣ ଓ ଆଇରିସ୍ ସ୍କାନର ଜରିଆରେ ଧାନ କିଣାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନ୍ ଲାଇନ୍ ମୋଡରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଧାନର ମୂଲ୍ୟ (ଏମ୍ଏସ୍ପି) ଜମା କରାଯିବ ଏବଂ ପ୍ରତି ୭ ଦିନରେ ରିମାଇଣ୍ଡର ମେସେଜ୍ ମଧ୍ୟ ଜମା କରାଯିବ। ସମସ୍ତ ପ୍ରସ୍ତାବିତ ମାର୍କେଟ୍ ୟାର୍ଡ ଓ ପିପିସି ଆସନ୍ତା କାଲିଠାରୁ କାର୍ଯ୍ୟକ୍ଷମ ହେବ। ଆଜି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ ଚାଷୀମାନେ ପ୍ରଶାସନର ଚାଷୀ ବିରୋଧୀ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରଶାସନକି ଅବହେଳା ଯୋଗୁ ଏକର ପିଛା ପାଖାପାଖି ୧୦ କ୍ବିଣ୍ଟାଲ୍ ଧାନ ବିକିନପାରି ବଳି ଯାଉଥିବା ଚାଷୀ ନେତା ଦେବେନ୍ଦ୍ର ପ୍ରଧାନ କହିଛନ୍ତି। ଚାଷୀମାନେ ବାଧ୍ୟ ହୋଇ ବଳକା ଧାନକୁ କମ୍ ଦରରେ ବେପାରୀମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଦେବେନ୍ଦ୍ର କହିଛନ୍ତି। ଟୋକନ୍ ଏକ ସ୍ଥାୟୀ ସମସ୍ୟା ହୋଇ ରହିଆସିଛି। ମଣ୍ଡି କରିବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ମିଲର୍ମାନଙ୍କ ଉପରେ ନିର୍ଭର କରୁଛି। ସେହି କାରଣରୁ ଅବ୍ୟବସ୍ଥା ସଂଖ୍ୟା ବଢ଼ୁଛି। କେଉଁଠାରେ ଓଜନ ମେସିନ୍ ରହୁନି, ତ ଆଉ କେଉଁଠାରେ ସେଡ୍ ନଥିବାରୁ ଗଛ ତଳେ ମଣ୍ଡି ଚାଲୁଛି। ପାନୀୟ ଜଳ ସମସ୍ୟା ବି ରହୁଛି।
କଟନିଛଟନି ଯୋଗୁ ଚାଷୀ କ୍ଷତି ସହୁଛନ୍ତି। କ୍ବିଣ୍ଟାଲ୍ ପିଛା ୫ କେଜି ପର୍ଯ୍ୟନ୍ତ କଟ୍ନି ଛଟନି କରାଯାଉଥିବା ଦେବେନ୍ଦ୍ର କହିଛନ୍ତି। ଡିଏଲପିସି ବୈଠକରେ ଏଭଳି ଅନେକ ଅଭିଯୋଗ ଅଣାଯାଇଥିବା ବେଳେ କାହାର ସମାଧାନ କଥା ଚିନ୍ତା ବି କରାଯାଇ ନଥିଲା।
ଅଚଳ ଅବସ୍ଥାରେ ସବ୍ କମିଟି
ଚାଷୀ, ମିଲର୍ ଓ ପ୍ରଶାସନ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏକ ସବ୍ କମିଟି ପ୍ରଶାସନ ପକ୍ଷରୁ ଗଢ଼ାଯାଇଥିଲା। କିଛି ମିଲର, ଚାଷୀ, ପ୍ରଶାସନିକ ଅଧିକାରୀମାନେ ଉକ୍ତ କମିଟିରେ ରହୁଥିଲେ। କୌଣସି କ୍ଷେତ୍ରରେ କିଛି ସମସ୍ୟା ହେଲେ କମିଟି ନିକଟରେ ଅଭିଯୋଗ କରାଯାଉଥିଲା। ସବ୍ କମିଟି ତୁରନ୍ତ ତାର ସମାଧାନ କରୁଥିଲା। ଚାଷୀମାନେ ବିଶେଷ ଭାବେ ସେହି କମିଟିରେ ରହୁଥିଲେ। ଯାହା କିଛି ବର୍ଷ ହେବ ଅଚଳ ଅବସ୍ଥାରେ ରହିଛି। ଯେଉଁ କାରଣରୁ ଚାଷୀ ସବୁବେଳେ ଅସୁବିଧାର ଶିକାର ହେଉଛି।