ତୈଳବୀଜ ଓ ଡାଲିଜାତୀୟ ଶସ୍ୟ ସଂଗ୍ରହରେ ମାର୍କଫେଡ୍‌ର ରେକର୍ଡ

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟର ୧୧ଟି ଜିଲ୍ଲାରୁ ତୈଳବୀଜ ଓ ଡାଲିଜାତୀୟ ଶସ୍ୟ ସଂଗ୍ରହ କରିବା ନେଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ମାର୍କଫେଡ୍‌କୁ ଦାୟିତ୍ୱ ଦିଆଯାଇଥିଲା। ଏବେ ସୁଦ୍ଧା ସଂପୃକ୍ତ ସଂସ୍ଥା ରେକର୍ଡ ସଂଖ୍ୟକ ଶସ୍ୟ ସଂଗ୍ରହ କରିଛି। ଜୁନ୍‌ ୨୧ ସୁଦ୍ଧା ମାର୍କଫେଡ୍‌ ୫୯୬୦ ମେଟ୍ରିକ୍‌ ଟନ୍‌ ତୈଳବୀଜ ଓ ଡାଲି ସାମଗ୍ରୀ ଚାଷୀଙ୍କଠାରୁ ସଂଗ୍ରହ କରିଛି। ଜୁଲାଇ ୩ ସୁଦ୍ଧା ମାର୍କଫେଡ୍‌ ୧୦ ହଜାର ମେଟ୍ରିକ୍‌ ଟନ୍‌ କିଣିବାକୁ ଲକ୍ଷ୍ୟ ରଖିଛି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ମୋଟ ୫୧୩ ମେଟ୍ରିକ୍‌ ଟନ୍‌ ଚିନାବାଦାମ ସଂଗ୍ରହ କରିବା ସହ ଏଠାରୁ ଆହୁରି ୩୦୦ ଟନ୍‌ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୭ତାରିଖରୁ ମାର୍କଫେଡ୍‌ କଟକ, ପୁରୀ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମାଲକାନାଗିରି, ଜଗତସିଂହପୁର, ଖୋର୍ଧା, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ସମେତ ଅନୁଗୁଳ ଜିଲ୍ଲାର ୫୪ଟି ପ୍ରାଥମିକ ସେବା ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟି ଓ ଲ୍ୟାମ୍ପ୍‌ସ ଦ୍ୱାରା ଚାଷୀଙ୍କଠାରୁ ତୈଳବୀଜ ଓ ଡାଲି ଜାତୀୟ ଶସ୍ୟ କିଣିବା ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରିତ ଏଫ୍‌ଏକ୍ୟୁ ମାନର ହରଡ଼ କ୍ୱିଣ୍ଟାଲ ପିଛା ୫୪୫୦ ଟଙ୍କା, ବିରି ୫୪୦୦ଟଙ୍କା, ମୁଗ ୫୫୭୫ ଟଙ୍କା, ଚିନାବାଦାମ ୪୪୫୦ ଟଙ୍କା ଏବଂ ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ ପିଛା ୪୧୦୦ଟଙ୍କା ଦରରେ କିଣାଯାଉଛି ବୋଲି ମାର୍କଫେଡ୍‌ର ପରିଚାଳନା ନିର୍ଦେଶକ ଡ. ପ୍ରତାପ କୁମାର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର