ମାର୍କଫେଡ୍‌ର ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥା କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମ ‘ସମନ୍ବିତ’ ଆରମ୍ଭ

ଭୁବନେଶ୍ବର : ୫ଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ମାର୍କଫେଡ୍‌ର ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କରାଯାଇଛି। ଏଣିକି ମାର୍କଫେଡ୍ ଦ୍ବାରା ଚାଷୀମାନଙ୍କୁ ସାର ଯୋଗାଣ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ଓ ପାରଦର୍ଶୀ କରାଯିବା ସହ ଠିକ୍ ସମୟରେ ଚାଷୀଙ୍କୁ ଆବଶ୍ୟକ ସାର ଯୋଗାଇ ଦିଆଯାଇପାରିବ। ଏହାଦ୍ବାରା ଚାଷୀ ଉପକୃତ ହେବା ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଆଜି ମନ୍ତ୍ରୀ ଶ୍ରୀ ସ୍ବାଇଁ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ (ମାର୍କଫେଡ୍‌-ଓଡ଼ିଶା)ର ମୁଖ୍ୟ କାର୍ଯ୍ୟାଳୟରେ ସାର ଆବଣ୍ଟନ ଓ ଆର୍ଥିକ ପରିଚାଳନାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ‘ସମନ୍ବିତ’ର ଶୁଭ ଉଦ୍‌ଘାଟନ କରି କହିଛନ୍ତି ଯେ, କୋଭିଡ୍ ମହାମାରୀର କଟକଣା ସତ୍ତ୍ବେ ସମବାୟ ବିଭାଗ ଦ୍ବାରା ରାଜ୍ୟର ଚାଷୀମାନଙ୍କୁ ଠିକ୍ ସମୟରେ ଋଣ ସମେତ ଆବଶ୍ୟକ କୃଷି ସାମଗ୍ରୀ ଯୋଗାଇ ଦିଆଯାଉଥିବାରୁ ଫସଲ ଉତ୍ପାଦନ ବୃଦ୍ଧି ପାଇଛି। ନୂତନ ବ୍ୟବସ୍ଥା ପ୍ରଚଳନ ଦ୍ବାରା ସାର ଯୋଗାଣର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ ହୋଇପାରିବ। ସାର ଉତ୍ପାଦନକାରୀ କମ୍ପାନି ଓ ଆମଦାନୀକାରୀଙ୍କଠାରୁ ଆରମ୍ଭ କରି ପାଇକାରୀ ଏବଂ ଖୁଚୁରା ସାର ବ୍ୟବସାୟୀଙ୍କୁ ସାର ଯୋଗାଣ ଓ ପରିବହନ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇପାରିବ। ‘ସମନ୍ବିତ’ ବ୍ୟବସ୍ଥା ଦ୍ବାରା କ୍ଷେତ୍ର ସ୍ତରରୁ କରିଚାଳିତ ବ୍ୟବସାୟିକ କାର୍ଯ୍ୟକଳାପ ମୁଖ୍ୟ କାର୍ଯ୍ୟାଳୟ ସହିତ ସହଜରେ ସଂଯୋଗ ହୋଇପାରିବ। ସାର ଯୋଗାଣ କ୍ଷେତ୍ରରେ ନିରୀକ୍ଷଣ ଓ ବିଶ୍ଲେଷଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇ ଆବଶ୍ୟକ ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ। ଏହି ଅବସରରେ ‘ସମନ୍ବିତ’ କାର୍ଯ୍ୟକ୍ରମର ବ୍ୟବହାର ପୁସ୍ତିକାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଉନ୍ମୋଚନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ମାର୍କେଫେଡ୍‌ର ପ୍ରଶାସକ ଭରତ ଚନ୍ଦ୍ର ବେହେରା, ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର