ବାହାଘରକୁ ନେଇ ବଦଳିଲା ନିୟମ: ବଢ଼ିଲା ଅତିଥି ସଂଖ୍ୟା, ବାଜିପାରିବ ଡିଜେ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସେପ୍ଟେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏଥର କଟକଣାକୁ ଆହୁରି କୋହଳ କରିଛନ୍ତି । ତେବେ ରାଜ୍ୟ ସରକାର ଆଜି ବିବାହକୁ ନେଇ ଥିବା କଟକଣାକୁ କୋହଳ କରିଛନ୍ତି | ଆଉ ନୂଆ ଗାଇଡଲାଇନ ଅନୁଯାୟୀ ଏଣିକି ବାହାଘରକୁ ୨୫୦ ଜଣ ଅତିଥି ଆସିପାରିବେ | ସେହିପରି ବିବାହ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି | ବିବାହ ଶୋଭାଯାତ୍ରାରେ ୫୦ ଜଣ ଅତିଥି ଭାଗ ନେଇପାରିବେ | ବିବାହ ଶୋଭାଯାତ୍ରାରେ ବ୍ୟାଣ୍ଡ ପାର୍ଟି ସହ ଲାଇଟ ଓ ସାଉଣ୍ଡ ସିଷ୍ଟମକୁ ମଧ୍ୟ ଅନୁମତି ଦିଆଯାଇଛି | ସେହିପରି ବିବାହ ଶୋଭାଯାତ୍ରା ପୂର୍ବରୁ ଲିଖିତ ଅନୁମତି ନେବାକୁ ପଡିବ |

ଏହି ଶୋଭାଯାତ୍ରା ସମୟରେ ବର, ସାଙ୍ଗସାଥି, ସମ୍ପର୍କୀୟ, ବ୍ୟାଣ୍ଡପାର୍ଟି ସଦସ୍ୟଙ୍କୁ ମିଶାଇ ୫୦ ଜଣ ହିଁ ଯୋଗ ଦେଇପାରିବେ | ବିବାହ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଅନୁମତି ଆଣିବାକୁ ପଡିବ | ଏହା ସହ କୋଭିଡ ପ୍ରୋଟୋକଲକୁ ଅନୁସରଣ କରିବାକୁ ପଡିବ |

 

 

ସାମାଜିକ ଦୂରତା ସାଙ୍ଗକୁ କିଭଳି ସମସ୍ତେ ମାସ୍କ ପିନ୍ଧିବେ ସେଥିପ୍ରତି ଆୟୋଜକ ନଜର ରଖିବେ | ସୂଚନା ଥାଉ କି ବାହାଘର ପାଇଁ ଅତିଥି ସଂଖ୍ୟା ବଢାଇବାକୁ ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ଟେଣ୍ଟହାଉସ ମାଲିକଙ୍କ ସହ କର୍ମଚାରୀମାନେ ଦାବି କରିଥିଲେ | ମାତ୍ର ୩୦ ଜଣ ଅତିଥିଙ୍କୁ ନେଇ ବିବାହ କରାଯିବାକୁ ନିୟମ ଥିବାରୁ ଏହି ସଂଖ୍ୟା ବଢାଇବାକୁ ଅନୁରୋଧ କରିଥିଲେ |

ସମ୍ବନ୍ଧିତ ଖବର