ସମ୍ବଲପୁର: ଅକ୍ଷୟ ତୃତୀୟାରେ ଥାଳଉଠା ସହ ଶୀତଳଷଷ୍ଠୀ ଯାତ୍ରାର ଔପଚାରିକ ଆରମ୍ଭ ହୋଇଥିଲା। ତେବେ ଆସନ୍ତା ୩୧ ତାରିଖ ଦିନ ନନ୍ଦପଡ଼ାାର ପତ୍ରପେଣ୍ଡି ସହ ମୁଖ୍ୟ ଯାତ୍ରା ପର୍ଯ୍ୟାୟ ଆରମ୍ଭ ହେବ। ୧ ତାରିଖ ଦିନ ନନ୍ଦପଡ଼ାର ନୃସିଂହ ନିଉତା କାର୍ଯ୍ୟକ୍ରମ ରହିଛି। ୨ ତାରିଖରେ ଝାଡ଼ୁଆପଡ଼ା ଓ ମୁଦିପଡ଼ାର ପତ୍ରପେଣ୍ଡି ଉତ୍ସବ ଅନୁଷ୍ଠିତ ହେବ। ୩ ତାରିଖରେ ଝାଡ଼ୁଆପଡ଼ାର ଲୋକନାଥ ବାବା ଏବଂ ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ବିବାହ ପାଇଁ ପ୍ରଭୁ ହନୁମାନ ନିଉତା (ଗୁଆଗୁଣ୍ଢା) ଦେବାକୁ ବାହାରିବେ। ସେହିଦିନ ବଂ ବରାଡ଼ ବାଲୁଂକେଶ୍ବର ବାବା ଓ ମାତା ପାବର୍ତୀଙ୍କ ବିବାହ ଉତ୍ସବରେ ସାକ୍ଷୀ ରହିବା ପାଇଁ ସାକ୍ଷୀପଡ଼ାରୁ ସାକ୍ଷୀ ଗୋପୀନାଥଙ୍କର ନନ୍ଦପଡ଼ା ଆଗମନ ହେବ। ୪ ତାରିଖରେ ସବୁ ପଡ଼ାର ମହାଦେବ ବରବେଶରେ ବିବାବହ ପାଇଁ ବାହାରିବେ ଓ ବିଳମ୍ବିତ ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ୫ ତାରିଖ ରାତିରେ ମୁଖ୍ୟ ଶୀତଳଷଷ୍ଠୀ ଯାତ୍ରା ବା ଯୁଗଳଦର୍ଶନ ଶୋଭାଯାତ୍ରା ବାହାରିବ। ୬ ତାରିଖ ଦିନବେଳା ଯାତ୍ରା ପରେ ଅପରାହ୍ଣରେ ଦେବଦମ୍ପତି ମନ୍ଦିର ପ୍ରବେଶ କରିବେ।
ନନ୍ଦପଡ଼ାର ନୂଆ ପରଭା
ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାରେ ଏଥର ୧୫୦ କେଜି ରୁପାରେ ନିର୍ମିତ ପଶ୍ଚିମ ଓଡ଼ିଶାର ସବୁଠୁ ଓଜନଦାର ରୁପା ପରଭା ସାମିଲ ହେବ। ଏହାଛଡ଼ା ୪୦ ଦଳ ଦୁଲଦୁଲି ବାଜା, ୬ ଦଳ ସଂପ୍ରଦା, ୨ ଦଳ ଘଣ୍ଟ, ଦଣ୍ଡ ନାଚ, ଆଦିବାସୀ ଓ ଶବର ନାଚ, ପୁରୁଲିଆ ଛଉ, ବାଘଷଣ୍ଢ ନାଚ, ପୁରୀ ମେଢ଼ ନାଚ, ବ୍ଲାକ୍ କୋବ୍ରା ନାଚ, ଘୁମୁରା ନାଚ, କଳସ ନାଚ, ଶଂଖ ଓ ବୀର କାହାଳି, ଧମାଲ ବାଦ୍ୟ କଳାକାର ମାନେ ରାସ୍ତା ଉପରେ ପ୍ରଦର୍ଶନ କରିବେ। ସେହିପରି ଅଘୋରି ଶିବ ତାଣ୍ଡବ ନୃତ୍ୟ, ରାଧାକୃଷ୍ଣ ନୃତ୍ୟ, ଆସାମର ବିହୁ, କଲିକତା, ନାଗପୁର, ରାୟପୁର ଓ ଢେଙ୍କାନାଳର ଆଧୁନିକ ନୃତ୍ୟ ରଥ ଉପରେ ପ୍ରଦର୍ଶିତ ହେବ। ପ୍ରଜ୍ଞାପନ ମେଢ଼ରେ ରୁଷ୍-ୟୁକ୍ରେନ୍କୁ ଭାରତର ଶାନ୍ତିବାର୍ତ୍ତା, ମହାପ୍ରଭୁ ଜଗନ୍ନାଥ, ନନ୍ଦୀ ମହାରାଜ, ବାଳ ହନୁମାନ, ବାଳ ଗଣେଶ, ବାଳ କ୍ରିଷ୍ଣା ଓ କେଜିଏଫ୍-୨ ସାମିଲ ହେବେ। ଶୋଭାଯାତ୍ରାରେ ଶିବ-ପାର୍ବତୀଙ୍କ ମୁଖ୍ୟ ମେଢ଼ ସହ ନୃସିଂହ ଭଗବାନ, ସାକ୍ଷୀ ଗୋପୀନାଥ, ପଞ୍ଚବକ୍ତ୍ର ସାମିଲ ହେବେ।
ଝାଡ଼ୁଆପଡ଼ାର ଝଲକ
ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରାରେ ମଧ୍ୟ ପ୍ରଦେଶ ଉଜ୍ଜେନ୍ରୁ ଆସିଥିବା ଭକ୍ତମଣ୍ଡଳର ‘ଭଷ୍ମରମୈୟା’ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ। ସେହିପରି କଲିକତା ଡ୍ୟାନ୍ସ ଗ୍ରୁପ୍ର ୩ଟି ରଥ, ଦିଲ୍ଲୀ ଡ୍ୟାନ୍ସ ଗ୍ରୁପ୍ର ଗୋଟିଏ, ଓଡିଆ ଡ୍ୟାନ୍ସ ଗ୍ରୁପ୍ ଗୋଟିଏ ରଥରେ ଆଧୁନିକ ନୃତ୍ୟ ପରିବେଷଣ କରିବେ। ଆସାମ ବିହୁ ନୃତ୍ୟ ଦଳ, ପଞ୍ଜାବର ଭାଙ୍ଗଡ଼ା, ପୁରୀର ଜଗନ୍ନାଥ ଭକ୍ତି ନୃତ୍ୟ ରଥ ଉପରେ ପରିବେଷିତ ହେବ। ତଳେ ପରିବେଷିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭିକମପୁର, ବର୍ଷାପାଲି, ତାଲବ, ଖୁଲିଆ, ପରମାଣପୁର, ସମ୍ବଲପୁରର ଦୁଲଦୁଲି, ବଡ଼ରମା, ଉଡ଼ର୍ସୁଙ୍ଗ, କୁତବ, କୁରେଇବାହାଲ ଓ ରାୟଗଡ଼ର ସଂପର୍ଦା, କଳହାଣ୍ଡିର ଘୁମୁରା ଓ ଆଦିବାସୀ ନୃତ୍ୟ, କୁଚିଣ୍ଡାର ଗଉରବାଡ଼ି, ଭଂଜନଗରର ବାଘ ନାଚ ଓ ମୁଖା ନାଚ, ପୁରୀର ଅର୍ଧ ନାଗେଶ୍ବର ଓ ପଞ୍ଚମୁଖୀ ହନୁମାନ ମେଢ଼ ନାଚ, ହିମଗିର୍ର କରମା ନାଚ, ଛତିଶଗଡ଼ ପଥଲଗାଁର କରମା ନାଚ, ମଲମୁଣ୍ଡା, ବଲାଙ୍ଗୀର, ହୀରାକୁଦ ଓ ସମ୍ବଲପୁରର ଘଣ୍ଟ ଦଳ, ପୁରୀର ପାଇକ ଆଖଡ଼ା, ଗାଇସିମା ବରଗଡ଼ର ଶଂଖ ଦଳ ଓ ସମ୍ବଲପୁରର ଧମାଲ ବ୍ୟାଣ୍ଡ ପାର୍ଟି ସାମିଲ ହେବେ। ପ୍ରଜ୍ଞାପନ ମେଢ଼ରେ ଡୋନାଲ୍ଡ ଡକ୍, କରୋନା ଭାଇରସ, ପୁଷ୍ପା, ବାଲ୍ ହନୁମାନ, ବୃହତ୍ ଗରୁଡ଼ ଦେଖିବାକୁ ମିଳିବ। ଲୋକନାଥ ବାବା ଓ ମା’ ପାର୍ବତୀଙ୍କ ମୁଖ୍ୟ ମେଢ଼ ବ୍ୟତୀତ ରାଧାକୃଷ୍ଣ ମେଢ଼, ହନୁମାନ ମେଢ଼ ଶୋଭାଯାତ୍ରାରେ ସାମିଲ ହେବେ। ପୂର୍ବ ଭଳି ଲୋକନାଥ ବାବାଙ୍କ ଚାନ୍ଦି ମେଢ଼ ଦର୍ଶକଙ୍କ ଆଖି ଝଲସାଇବ।
ମୁଦିପଡ଼ାରେ କଳାକାର ମହାମିଳନ
ମୁଦିପଡ଼ା ଶୀତଳଷଷ୍ଠୀ ଶୋଭାଯାତ୍ରାରେ ହରିଆଣାରୁ ଆସୁଥିବା ୮ ଫୁଟ୍ ଉଚ୍ଚ ମହାପ୍ରତାପୀ ବଜରଂଗବଲୀ ଓ ତାଙ୍କ ଦଳ ତଥା କେରଳରୁ ଆସୁଥିବା ଛେଣ୍ଡା ସିଂହାରୀ ମେଲମ୍ ମୁଖ୍ୟ ଆକର୍ଷଣ ହେବେ। ଏହି ଦୁଇଦଳ ପ୍ରଥମ ଥର ପାଇଁ ଓଡ଼ିଶାରେ ନିଜ କଳା ପ୍ରଦର୍ଶନ କରିବେ। ସେହିପରି ରଥରେ ଆସାମର ବିହୁ ନାଚ, ବରଗଡ଼ର ସମ୍ବଲପୁରୀ ନାଚ, ଭୁବନେଶ୍ବରର ମହାରାଜା ଗ୍ରୁପ୍, କଲିକତା ଓ ଲକ୍ଷ୍ନୌର ରେକର୍ଡ ଡ୍ୟାନ୍ସ ଦେଖିବାକୁ ମିଳିବ। ପାଟଣାଗଡ଼, ଅତାବିରା, ପରମାଣପୁର ଓ ଡୁଙ୍ଗୁରିପାଲିର ଦୁଲଦୁଲି ବାଜା, ଯୁଯୁମୁରା, ପଦ୍ମପୁର ଓ ରେଂଗାଲିର ସଂପ୍ରଦା, ଗଂଜାମର ଦଶାବତାର, ବ୍ରହ୍ମପୁରର ବାଘ, ଷଣ୍ଢ ଓ ଘୋଡ଼ା ନାଚ, ପୁରୁଲିଆର ଛଉ ନାଚ, ପାଟଣାଗଡ଼ର ଘୁମୁରା, ଫୁଲବାଣୀର ଆଦିବାସୀ ନାଚ, ଗଂଜାମର ଚିତ୍ରିତ ବାଘ ନାଚ, ବିନିକା, ଭାଲୁପାଲି ଓ ସୋହେଲାର ଘଣ୍ଟପାର୍ଟି, ଗଂଜାମର ରଣପ୍ପା ନାଚ ଦଳ ଶୋଭାଯାତ୍ରାରେ ଚାଲିଚାଲି ନୃତ୍ୟ ପରିବେଷଣ କରିବେ। ପ୍ରଜ୍ଞାପନ ମେଢ଼ରେ ଚଇତୁ କନ୍ଦ, ଡକ୍ଟର କରୋନା ସଚେତନତା, ସମୁଦ୍ର ପ୍ରଦୂଷଣ, ଯାଦୁ, କେଜିଏପ୍ ସହିତ ସଂଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ। ଶିବପାର୍ବତୀଙ୍କ ମୁଖ୍ୟ ମେଢ଼ ସହ ହନୁମାନ, ରାମସୀତାଙ୍କ ରଥ ଶୋଭଯାତ୍ରାରେ ସାମିଲ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/29-20.jpg)
