ନାକ୍‌ଟିଦେଉଳ: ଜଣେ ନାବାଳିକା (୧୫ ବର୍ଷ)କୁ ଘରେ କାମ କରାଇବା ବାହାନାରେ ରଖିବା, ବର୍ଷ ସାରା ନିର୍ଯାତନା ଦେବା ସହ ତାକୁ ବିବାହ କରି ଦୁଷ୍କର୍ମ କରିଥିବା ଭଳି ସଂଗିନ ଅଭିଯୋଗ ଆସିଛି ଜଣେ ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଭ୍ୟଙ୍କ ବିରୋଧରେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନାରେ ଏନେଇ ଅଭିଯୋଗ ପରେ ରାଜନେତା ଜଣଙ୍କ ଏବେ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ନାକ୍‌ଟିଦେଉଳ ଥାନା ସାହେବୀ ପଞ୍ଚାୟତର ବିରଞ୍ଚି ବେହେରା (୫୪) ୨୦୦୭ ମସିହାରେ କଂଗ୍ରେସ ଦଳରୁ ଜିଲ୍ଲା ପରିଷଦ ଏବଂ  ୨୦୧୨ରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଟାଣୁଆ ନେତା। ବର୍ଷେ ତଳେ ବିରଞ୍ଚିଙ୍କ ପତ୍ନୀଙ୍କ ଦେହ ଖରାପ ହେବାରୁ ପାଖ ଗାଁରୁ ଧର୍ମ ବାପା କରିଥିବା ତାଙ୍କ ନାବାଳିକା ଝିଅକୁ ଘରେ ରହି ସେବା କରିବା ପାଇଁ କହି ନେଇ ଆସିଥିଲେ। ନାବାଳିକାର ପରିବାର ମଧ୍ୟ କିଛିଦିନ ସେଠାରେ ରହି କାମ କରି ଫେରି ଆସିବ ବୋଲି ବିରଞ୍ଚି ହାତରେ ଭରସା ଓ ବିଶ୍ବାସ କରି ଝିଅକୁ ଦେଇଥିଲେ। ସେବା ବାହାନାରେ ନାବାଳିକାକୁ ଘରେ ବାରମ୍ବାର ଅତ୍ୟାଚାର କରି ଭୟଭୀତ କରି ତାଲା ମାରି ରଖୁଥିଲେ।

Advertisment

ସେପଟେ ବିରଞ୍ଚିଙ୍କ ବିବାହର ଏତେ ବର୍ଷ ପରେ ବି କୌଣସି ସନ୍ତାନ ନଥିବାରୁ ସେ ନାବାଳିକାକୁ ନଜର କରି ବିବାହ କରି ଶଂଖା ସିନ୍ଦୂର ପିନ୍ଧାଇ  ଅନେକଥର ଦୁଷ୍କର୍ମ କରିଥିଲା। ଶେଷରେ ନିର୍ଯାତନା ସହିନପାରି, ବିରଞ୍ଚି ପାଖରୁ ମୁକ୍ତି ପାଇବାକୁ ନାବାଳିକା ଜଣକ ମଙ୍ଗଳବାର ଘରୁ ଲୁଚି ପଳାଇ ଆସିଥିଲେ। ବଡ଼ ଭଉଣୀଙ୍କ ଘରେ ପହଞ୍ଚି ନାବାଳିକା ସବୁ କଥା କହିଥିଲେ। ଏପଟେ ନାବାଳିକା ନିଖୋଜ ହେବା ଖବର ବିରଞ୍ଚି ତାଙ୍କ ପରିବାରକୁ ଦେବା ପରେ ନାବାଳିକାର ବାପା ବୁଧବାର ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାର ସନ୍ଧାନ ପାଇ ବଡ଼ ଭଉଣୀ ଘରୁ ଉଦ୍ଧାର କରିଥିଲା।  ସମ୍ବଲପୁର ମ୍ୟାଜିଷ୍ଟ୍ରେଟଙ୍କ ପାଖରେ  ୧୬୪ରେ ବୟାନ ରେକର୍ଡ କରିବା ପରେ  ବିରଞ୍ଚିଙ୍କ ଅସଲ କରାନାମା ଜଣା ପଡ଼ିଥିଲା। ନାକଟିଦେଉଳ ପୁଲିସ ତାଙ୍କୁ ଗିରଫ କରି ବାଲ୍ୟବିବାହ, ଘରେ କାମ କରାଇବା, ଦୁଷ୍କର୍ମ ଭଳି ବିଭିନ୍ନ ଦଫା ଲଗାଇ ଗିରଫ କରିଥିବା ବେଳେ ଅଭିଯୁକ୍ତକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଳେଇ କହିଛନ୍ତି। ସେପଟେ ସେ ନିର୍ଦ୍ଦୋଷ, କେବଳ ପତ୍ନୀଙ୍କ ଦେହ ଖରାପ ପାଇଁ ଘରେ ରଖିଥିଲି ବୋଲି କହିଛି ବିରଞ୍ଚି। କୌଣସି ଅପରାଧ କରିନି ବୋଲି ସଫେଇ ଦେଇଛି। ଅନ୍ୟପକ୍ଷରେ ସମ୍ପର୍କରେ ବିଶ୍ବାସଘାତ କରିଥିବାରୁ ପୀଡ଼ିତା ଓ ତାଙ୍କ ପରିବାର  ନ୍ୟାୟ ମାଗିଛନ୍ତି।