ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସେଲେଡି ଗ୍ରାମରେ ଏକ ନିଆରା ବିବାହ ସମ୍ପନ୍ନ ହୋଇଛି। ଭଗବାନ ବୁଦ୍ଧ ଓ ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଆମ୍ବେଦରଙ୍କୁ ସାକ୍ଷୀ ରଖି ଦୁଇଜଣ ଶିକ୍ଷିତ ଯୁବକ,ଯୁବତୀ ବୈବାହିକ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଦୁଇଜଣ ହେଲେ, ବ୍ରାହ୍ମଣୀପାଲି ଗ୍ରାମର ଡୋଳାମଣି ସୁନାଙ୍କ ପୁଅ ଅଧ୍ୟାପକ ଦଶରଥ ଏବଂ ସେଲେଡି ଗ୍ରାମର ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ଭଉଣୀ ଶିକ୍ଷୟିତ୍ରୀ ନଳିନୀ। ଅଧ୍ୟାପକ ଦଶରଥ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ମୁମ୍ବାଇରୁ ଏମ୍ଫିଲ ଡିଗ୍ରି ହାସଲ କରି ଏବେ ସୁବର୍ଣ୍ଣପୁର ଜିଲ୍ଲା ରାମପୁରସ୍ଥିତ ଶ୍ରୀରାମ ଡିଗ୍ରି କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ନଳିନୀ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍ଏ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ବିଇଡି ଡିଗ୍ରି ହାସଲ କରି ସେଲେଡି କୋଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। କୋଭିଡ୍ ନିୟମ ପାଳନ ସହିତ ଦୁଇଜଣଙ୍କ ମଧ୍ୟରେ ଖାଲି ନିରାଡମ୍ବରରେ ବିବାହକାର୍ଯ୍ୟ ସମ୍ପନ୍ନ ହୋଇନଥିଲା, ଏହା ମଧ୍ୟ ସମ୍ପୂର୍ଣ୍ଣ ନିଆରା ଥିଲା। ବିବାହରେ ନା ଥିଲା ବ୍ରହ୍ମଣର ମନ୍ତ୍ର ଉଚ୍ଚାରଣ ନା ହୋମଯଜ୍ଞ। ବାଜା ବାଜିନଥିଲା, ନାଚଗୀତ ବି ହୋଇନଥିଲା। କେବଳ ଭଗବାନ ବୁଦ୍ଧ ଓ ବାବା ସାହେବଙ୍କ ଫଟୋ ରଖି ଦଶରଥ ଓ ନଳିନୀ ପରସ୍ପରକୁ ବିବାହ କରିଥିଲେ।
ବିବାହ ପରେ ଦଶରଥ ଓ ନଳିନୀ କହିଛନ୍ତି,‘ ବୁଦ୍ଧ ଓ ବାବାସାହେବଙ୍କ ବିଚାରଧାରାରେ ଅନୁପ୍ରାଣିତ ହେବା ସହିତ ଯୌତୁକ ଭଳି ଏକ ଘୃଣ୍ୟ ପ୍ରଥାକୁ ସମାଜରୁ ସମ୍ପୂର୍ଣ୍ଣରୂପେ ମୂଳୋତ୍ପାଟନ କରିବା ଉଦ୍ଦେଶ୍ୟରେ ଆମେ ଏହି ପଦକ୍ଷେପ ଗ୍ରହଣ କରିଛୁ। ’ ନଳିନୀଙ୍କ ଭାଇ ବରୁଣ ମଧ୍ୟ ୬ ମାସ ପୂର୍ବରୁ ଯୌତୁକବିହୀନ ବିବାହ କରିଥିଲେ।