ପଞ୍ଚାୟତ ନିର୍ବାଚନ: ଅସହାୟ ଯୁବତୀଙ୍କ ବିବାହ କରାଇଲେ ସମିତି ସଭ୍ୟ ପ୍ରାର୍ଥୀ

ବାଲିଅନ୍ତା: ପଞ୍ଚାୟତ ନିର୍ବାଚନ ରୂପକ ବୈତରଣୀ ନଦି ପାର ହେବାକୁ ନେତାମାନେ ଅଭିନବ ଚିନ୍ତା କରୁଛନ୍ତି। ‌ନିର୍ବାଚନୀରେ ବିଜୟୀ ହେବାକୁ ‌‌ଯେକୌଣସି ପ୍ରକାରରେ ମତଦାତାଙ୍କ ନିକଟତର ହେଉଛନ୍ତି। ଭୁବନେଶ୍ବର ଉପକଣ୍ଠ ଜୟଦେବ ପଞ୍ଚାୟତ ଅଞ୍ଚଳରେ ରାଜନୈତିକ ବାତାବରଣ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳର ଗରିବ ଅସହାୟ  ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଭାବଗ୍ରାହୀ ଗୋଚ୍ଛାୟତ ନାମକ ଜଣେ ବ୍ୟକ୍ତି। ଭାବଗ୍ରାହୀ ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ଗତ ଦୁଇଦିନ ତଳେ ଭାବଗ୍ରାହୀ ଜଣେ ଅସହାୟ ଯୁବତୀଙ୍କ ବିବାହ କରାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ ମହୁଖଣ୍ଡା ଗ୍ରାମର ଗତିକୃଷ୍ଣ ଭୋଇଙ୍କର ଗତବର୍ଷ କୋଭିଡ଼ରେ ମୃତ୍ୟୁ ହୋଇଥିଲା। ଗତିକୃଷ୍ଣଙ୍କ ମୃତ୍ୟୁର ୧ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ କୋଭିଡ଼ ସହାୟତା ରାଶି ମିଳିପାରି ନାହିଁ। ଘରର ସମ୍ବଳ କହିଲେ ଘରଡିହ ଚେନାକ ଛାଡ଼ିଦେଲେ ଆଉ କିଛି ନାହିଁ। ଗତିକୃଷ୍ଣଙ୍କର ମୃତ୍ୟୁ ପରେ ପତ୍ନୀ ସକୁନ୍ତଳା ଅସହାୟ ହୋଇପଡ଼ିଥିଲେ। ଝିଅ ଲତାର ବିବାହ ଠିକ ହୋଇଯାଇଥିବାରୁ ଆବଶ୍ୟକ ଅର୍ଥ କିପରି ଯୋଗାଡ଼ କରିବା ସେନେଇ ଚିନ୍ତାରେ ପଡ଼ିଥିଲେ।

ଏଭଳି ପରିସ୍ଥିତିରେ ସମିତି ସଭ୍ୟ ପ୍ରାର୍ଥୀ ଭାବଗ୍ରାହୀ ଦେବଦୂତ ସାଜି ଲତାର ବିବାହ କରାଇବା ନେଇ ଆଗେଇ ଆସିଥିଲେ। ବିବାହ କାର୍ଯ୍ୟ ନେଇ ଆବଶ୍ୟକ ଅର୍ଥ ଯୋଗାଇ ଦେଇଥିଲେ। ସାହିବାସୀଙ୍କ ଉପସ୍ଥିତିରେ ବାରିପଦା ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଲତାର ବିବାହ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଭାବଗ୍ରାହୀ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥାନ୍ତି। ଅସହାୟ ଲୋକଙ୍କର ବିବାହ, ବ୍ରତ, ଏକାଦଶାହ ଓ ଶ୍ରାଦ୍ଧ କାର୍ଯ୍ୟ ଲାଗି ସହାୟତା ଯୋଗାଇ ଦେଇଥାନ୍ତି। ସୂଚନା ଅନୁସାରେ ଉକ୍ତ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଶ୍ରୀ ଗୋଚ୍ଛାୟତଙ୍କ ସମେତ ମହେଶ୍ବର ପରିଡ଼ା ଏବଂ ନାରାୟଣ ନାୟକ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ସରପଞ୍ଚ ପ୍ରାର୍ଥୀ ଭାବେ ଗ୍ରାଜୁଏଟ ପୂର୍ଣ୍ଣଚନ୍ଦ୍ର ଭୋଇ, ବିଜୟ ମଲ୍ଲିକ, ପ୍ରଭାତ ମଲ୍ଲିକ ଏବଂ ଅମୀୟ ମଲ୍କିକ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର