ପାନ୍ଥ ନିବାସରେ ବିବାହ ଡେଷ୍ଟିନେସନ୍‌ ପ୍ୟାକେଜ୍‌ : ବିନା ମୂଲ୍ୟରେ ୨ରାତି ୩ ଦିନର ହନିମୁନ୍‌ ପ୍ୟାକେଜ୍‌ ଭେଟି ଦେବ ଓଟିଡିସି

ସରକାରୀ କର୍ମଚାରୀଙ୍କୁ ପାନ୍ଥନିବାସ ବୁକିଂରେ ୩୦ ପ୍ରତିଶତ ରିହାତି

ଭୁବନେଶ୍ବର : ବାଜିବ ସାହାନାଇ। ଚାଲିବ ମେହେନ୍ଦି ଉତ୍ସବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହେବେ ଅତିଥି। ପୁଣି ବିବାହ ଉତ୍ସବ ସାରି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବେ ନିମନ୍ତ୍ରିତ ଅତିଥିଗଣ। ସଂପ୍ରତି ବିବାହ ଋତୁ ଚାଲିଥିବା  ବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ୬ଟି ପାନ୍ଥନିବାସରେ ନିଆରା ଢଙ୍ଗରେ ଆରମ୍ଭ କରିଛି ‘ଡେଷ୍ଟିନେସନ୍‌ ୱେଡିଙ୍ଗ୍‌ ପ୍ୟାକେଜ୍‌’। ପ୍ରଥମ ପର୍ଯ୍ୟାୟରେ ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର ଓ ବରକୁଳରେ ଏହି ୱେଡିଙ୍ଗ୍‌ ପ୍ୟାକେଜ୍‌ର ସୁବିଧା ଉପଲବ୍ଧ ହେବ।

‌୫୦ ଜଣିଆ ଅତିଥିଙ୍କୁ ନେଇ ଏହି ପ୍ୟାକେଜ୍‌ ପାଇଁ ସର୍ବନିମ୍ନ ଦର ୨ଲକ୍ଷ ୧୭ହଜାର ୫ଶହ ଟଙ୍କା ରହିଛି। ଏହା ମଧ୍ୟରେ ବୁକିଂ କରୁଥିବା ବ୍ୟକ୍ତିଙ୍କୁ ସମ୍ପୃକ୍ତ ବିବାହସ୍ଥଳରେ ୨ଦିନ ପାଇଁ ୨୫ଟି ରୁମ୍‌, ଖାଦ୍ୟ, ପାନୀୟ, ଜଳଖିଆ, ପାଣି ଓ ବିବାହ ଭୋଜିରେ ଆପ୍ୟାୟିତ ହେବାର ସୁବିଧା ଉପଲବ୍ଧ ହେବ। ‌ମାତ୍ର ସାଜସଜ୍ଜା, ଫୁଲ, ବିବାହ ରୀତିନୀତି ସମ୍ପନ୍ନ, ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ, ମେହେନ୍ଦି, ସାଂସ୍କୃତିକ କାର୍ଯ୍ୟକ୍ରମ, ଭିଡିଓଗ୍ରାଫି ସମେତ ଦୁଇଦିନ ମଧ୍ୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ଆଉ ୨ଲକ୍ଷ ୫୭ହଜାର ୫ଶହ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ ମୋଟ୍‌ ୪ଲକ୍ଷ ୭୫ ହଜାର ଟଙ୍କାରେ ୫୦ ଜଣ ଅତିଥି ବିଶିଷ୍ଟ ଏକ ବିବାହ ଡେଷ୍ଟିନେସନ୍‌ ପ୍ୟାକେଜ୍‌ର ମଜା ନେଇ ହେବ। ତେବେ ଏହି ପ୍ୟାକେଜ୍‌କୁ ଯିଏ ଆପଣେଇବେ ସେହି ନବ ଦମ୍ପତିଙ୍କ ପାଇଁ ଓଟିଡିସି ବିନା ମୂଲ୍ୟରେ ୨ରାତି ୩ ଦିନର ଏକ ହନିମୁନ୍‌ ପ୍ୟାକେଜ୍‌ ଭେଟି ଦେବ। ବିବାହ ବାର୍ଷିକୀରେ ମଧ୍ୟ ନବ ଦମ୍ପତି ଏହି ସୁବିଧା ପାଇପାରିବେ ବୋଲି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।

ଏହି ଯୋଜନା ସହ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନସ୍ଥଳ ବୁଲିବା ପାଇଁ ଓଟିଡିସି ପକ୍ଷରୁ ୨ଟି ବସ୍‌ ସେବାର ଶୁଭାରମ୍ଭ କରାଯିବ। ଏହା ବ୍ୟତୀତ ସମଗ୍ର ଦେଶରୁ ‌ଯେ‌କୌଣସି ସରକାରୀ କର୍ମଚାରୀଙ୍କୁ ଓଟିଡିସି ପରିଚାଳିତ ପାନ୍ଥନିବାସ ବୁକିଂରେ ୩୦ ପ୍ରତିଶତ ରିହାତି ମିଳିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ଆଜି ଓଟିଡିସିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଚିଲିକାରେ ରେସ୍ତୋରାଁରେ ମଜା
ନିଆରା ଆକର୍ଷଣ ସହ ପର୍ଯ୍ୟଟକଙ୍କୁ ଟାଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଭାସମାନ ରେସ୍ତୋରାଁ। ଏଥିପାଇଁ ଟେଣ୍ଡର ହୋଇସାରିଥିବା ବେଳେ ଏକ ଏଜେନ୍‌ସିକୁ ଏହାର ଦାୟିତ୍ବ ଦିଆଯାଇଛି। ଏଥିପାଇଁ ଅନ୍ୟୁନ ୬କୋଟି ୧୦ଲକ୍ଷ ଟଙ୍କାର ବଜେଟ୍‌ ରହିଛି ବୋଲି ଓଟିଡିସିର ପରିଚାଳନା ନିର୍ଦେଶକ ହେମକାନ୍ତ ସଏ କହିଛନ୍ତି। ଏଥିସହ ଶ୍ରୀନଗର ଓ କେରଳ ଭଳି ଏଠାରେ ଦୁଇଟି ‘ହାଉସ୍‌ ବୋଟ୍‌’ର ମଧ୍ୟ ସୁବିଧା ଉପଲବ୍ଧ ହେବ। ଏଥିରେ ଘର ଭିତରେ ବସି ହ୍ରଦ ଭ୍ରମଣର ଅବକାଶ ସୃଷ୍ଟି ହେବ।

ଇକୋ-ରିଟ୍ରିଟ୍‌ରେ ୫୦ ପ୍ରତିଶତ ବୁକିଂ ଶେଷ
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ରାମଚଣ୍ଡୀ ବେଳାଭୂମିରେ ଚାଲିଥିବା ମେରାଇନ୍‌ ଡ୍ରାଇଭ୍‌ ଇକୋ-ରିଟ୍ରିଟ୍‌ ଆଶାଜନକ ସଫଳତା ଲାଭ କରିଛି। ଆରମ୍ଭର ୫ ଦିନ ମଧ୍ୟରେ ୨୨ ଲକ୍ଷ ୧୮ ହଜାର ଟଙ୍କା ଆୟ ହୋଇଛି। ଏଯାବତ୍‌ ୫୦ ପ୍ରତିଶତ ବୁକିଂ ଶେଷ ହୋଇଛି।

ସମ୍ବନ୍ଧିତ ଖବର