ମାଲକାନଗିରିରେ ଚର୍ଚ୍ଚିତ ବିବାହ : ଝିଅରୁ ପୁଅ ହୋଇ ବାନ୍ଧବୀଙ୍କୁ ବିବାହ କଲେ

ମାଲକାନଗିରି : ପ୍ରେମ ପାଇଁ ଝିଅ ପାଲଟିଲେ ପୁଅ। ଆଉ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ବାନ୍ଧବୀଙ୍କୁ ଜୀବନସାଥୀ କରିନେଲେ। ମାଲକାନଗିରି ଜିଲ୍ଲାରେ ଦୁଇ ବାନ୍ଧବୀଙ୍କ ମଧ୍ୟରେ ଏଭଳି ଏକ ବିରଳ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମାଲକାନଗିରିର ଦୁଇ ଝିଅଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ପରେ ଜଣେ ଦିଲ୍ଲୀ ଯାଇ ଲିଙ୍ଗ ପରିବର୍ତ୍ତନ ଅପରେସନ କରିବା ପରେ ପୁଅରେ ପରିଣତ ହୋଇ ବାନ୍ଧବୀଙ୍କୁ ବିବାହ କରିଥିବା ଜଣାପଡ଼ିଛି।

ଏହାକୁ ଜିଲ୍ଲାର ପ୍ରଥମ ସମଲିଙ୍ଗି ବିବାହ ବୋଲି ସର୍ବତ୍ର ଆଲୋଚନା ଚାଲିଥିବା ବେଳେ ପ୍ରେମ ଦୁଇ ହୃଦୟକୁ ଯୋଡ଼ିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଦୁଇ ବ‌ାନ୍ଧବୀ ଗତ ତିନି ବର୍ଷ ଧରି ପରସ୍ପର ମଧ୍ୟରେ ପ୍ରେମ କରି ଆସୁଥିଲେ। ତେବେ ଉଭୟେ ସମଲିଙ୍ଗି ହୋଇଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଶାରରୀକ ସଂପର୍କ ସମେତ ସାମାଜିକ ଗ୍ରହଣୀୟତା ଅନ୍ତରାୟ ସୃଷ୍ଟି କରିଥିଲା । ତେବେ ଏଥିରେ ସେମାନେ ହାର ନମାନି ସେମାନଙ୍କ ମଧ୍ୟରୁ ଜଣେ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଚିକତ୍ସା ବିଜ୍ଞାନର ସାହାଯ୍ୟ ନେଇଥିଲେ। ପ୍ରେମୀଯୁଗଳଙ୍କ ମଧ୍ୟରୁ ବିଟେକ୍‌ ପଢୁଥିବା ଯୁବତୀ ଜଣକ ନିଜର ପ୍ରେମିକାକୁ ପାଇବା ପାଇଁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗତ ୨୦୧୯ ଜୁଲାଇ ୩ ତାରିଖର ଦିନ ଲିଙ୍ଗ ପରିବର୍ତ୍ତନ ଅପରେସନ୍ କରିଥିଲେ। ଅପରେସନ୍ ପରେ ସେ ଝିଅରୁ ପୁଅ ପାଲଟି ଯାଇଥିଲେ। ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ବଡ଼ କଥା ହେଲା, ଲିଙ୍ଗ ପରିବର୍ତ୍ତନଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଦୁଇ ଯୁବତୀଙ୍କ ପରିବାର ଲୋକେ ଏହି ବିବାହକୁ ସ୍ବୀକୃତି ପ୍ରଦାନ କରିଥିଲେ। ଆଡ଼ମ୍ବର ସହ ହୋଇଥିବା ଏହି ବିବାହ ଉତ୍ସବରେ ଦୁଇ ପରିବାର ଲୋକେ ଓ ସାଂଗସାଥୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର