ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆଜି ଏହି ଦୁଇ ଆଇଏଏସ୍ ଅଧିକାରୀଙ୍କ ନିର୍ବନ୍ଧ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଭାବରେ ସଂପନ୍ନ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପାରମ୍ପରିକ ରୀତିନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ଏହି ଅବସରରେ ଚଞ୍ଚଳ ଏବଂ ଅନନ୍ୟାଙ୍କ ପରିବାର ସଦସ୍ୟଙ୍କ ସହିତ ଉଭୟଙ୍କ ଘନିଷ୍ଠ ବନ୍ଧୁ/ବାନ୍ଧବୀମାନେ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ସମ୍ବଲପୁର ଏସ୍ପି ବି.ଗଂଗାଧର ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ଚଞ୍ଚଳ ଏବଂ ତାଙ୍କର ପରିବାରର ସଦସ୍ୟମାନେ ଗତକାଲିଠାରୁ ସମ୍ବଲପୁର ଆସିଥିଲେ। ଏପରିକି ଚଞ୍ଚଳ ଏବଂ ଅନନ୍ୟା ଉଭୟେ ମିଶି ଗତକାଲି ଏକ ଅଳଙ୍କାର ଦୋକାନକୁ ଯାଇ ସୁନାଗହଣା କିଣିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ହେଉଛି ଉଭୟଙ୍କ ଦ୍ବିତୀୟ ବିବାହ। ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦଲ୍ ଏମ୍. ଅଖତରଙ୍କୁ ବିବାହ କରିଥିଲେ। ମତଭେଦ ହେବାରୁ ଉଭୟେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ସେହିପରି, ଓଡ଼ିଶାରେ ପଢ଼ିଥିବା ତଥା ବଢ଼ିଥିବା ଚଞ୍ଚଳ ପୂର୍ବରୁ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂହଙ୍କୁ ବିବାହ କରିଥିଲେ। ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଆଜି ଅତ୍ୟନ୍ତ ଗୋପନୀୟ ଭାବରେ ନିର୍ବନ୍ଧ ସରିଥିବା ବେଳେ ଶୀଘ୍ର ସେମାନଙ୍କ ବାହାଘର ହେବାକୁ ସ୍ଥିର ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।