ଅନୁଗୁଳ : ପରକୀୟା ପ୍ରୀତି ନେଲା ଆଉ ଏକ ବିବାହିତ ପ୍ରେମୀଯୁଗଳଙ୍କ ଜୀବନ। ପ୍ରେମରେ ବିଫଳ ହୋଇ ଉଭେୟ ବେକରେ ରସି ଦେଇ ଜୀବନ ହାରିଛନ୍ତି। ଗତ ସପ୍ତାହରେ ବଅଁରପାଳ ଅଂଚଳରେ ସଂଘଟିତ ଏଭଳି ଏକ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଗତ ରାତିରେ ପୁନଶ୍ଚ ଅନୁଗୁଳ ଥାନା କୁମଣ୍ଡ ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ଆଖପାଖରେ ଆଲୋଡ଼ନ ଖେଳାଇ ଦେଇଛି। ସୂଚନା ଅନୁସାରେ, ମୃତକ ଦୁୁୁଇଜଣ ହେଲେ କୁମଣ୍ଡ ଗ୍ରାମର ରଞ୍ଜନ ସାହୁ(୪୦) ଓ ଅନୁଗୁଳ ବାଲୁଅକଟା ଗ୍ରାମର ସସ୍ମିତା ସାହୁ(୩୫) ଓରଫ ସୁଜାତା। ଉଭେୟ ବିବାହିତ । ସସ୍ମିତା ସମ୍ପର୍କରେ ରଞ୍ଜନଙ୍କ ନିଜ ଶଳା ଭାଉଜ ହେେବ। ରଞ୍ଜନ ଜଣେ ସ୍ବଚ୍ଛଳ ଚାଷୀ ଓ ସେ ପରିବା ବ୍ୟବସାୟ ମଧ୍ୟ କରନ୍ତି। ତାଙ୍କ ଝିଅ ବିବାହ କରି ଗୋଟିଏ କନ୍ୟା ସନ୍ତାନର ଜନନୀ ହୋଇ ସାରିଥିବା ବେଳେ ପୁଅ ଦଶମ ଶ୍ରେଣୀରେ ପଢୁଛି। ମୃତ ସସ୍ମିତାଙ୍କର ୧୦ ବର୍ଷର ପୁଅ ଓ ୮ ବର୍ଷର ଗୋଟିଏ ଝିଅ ଅଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୫ ବର୍ଷ ତଳେ ନିଷିଦ୍ଧ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହା କ୍ରମଶଃ ସୁଦୃଢ ହେବା ପରେ ଉଭୟେ ଏକାଠି ରହିବା ଲାଗି ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ସପ୍ତାହେ ତଳେ ଉଭେୟ ଘରୁ ଫେରାର ହୋଇ ଯାଇଥିଲେ। ସପ୍ତାହେ କାଳ ବାହାରେ ବୁଲାବୁଲି କରିବା ପରେ ରଞ୍ଜନ ପ୍ରେମିକା ସସ୍ମିତାଙ୍କୁ ଗତ ରାତିରେ ଧରି ନିଜ ଘରକୁ ନେଇଥିଲେ। ପୂର୍ବ ପତ୍ନୀଙ୍କ ସହିତ ତାଙ୍କୁ ଘରେ ରଖିବା ଲାଗି ଜିଦ୍ ଧରିଥିଲେ। କିନ୍ତୁ ପରିବାରର ସମସ୍ତ ସଦସ୍ୟ ଏହାକୁ ମିଳିତ ଭାବେ ଦୃଢ ବିରୋଧ କରିଥିଲେ। ସେଠାରେ ରହିବା ଅସମ୍ଭବ ହେବାରୁ ଉଭେୟ ସେହି ରାତିରେ ହିଁ ଘରୁ ବାହାରି ଚାଲି ଯାଇଥିଲେ। ପରେ କୁମଣ୍ଡ ଗାଁ ମୁଣ୍ଡରେ ଥିବା ଏକ ବରଗଛରେ ସସ୍ମିତାଙ୍କ ପିନ୍ଧା ଶାଢିରେ ବେକରେ ରଶି ଦେଇ ଉଭୟେ ଝୁଲି ପଡ଼ିଥିଲେ। ଆଜି ସକାଳେ ଉଭୟଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକ ଓ ଅନୁଗୁଳ ଥାନାକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ତଳକୁ ଆଣି ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ପ୍ରକାଶଯୋଗ୍ୟ ଯେ ଗତ ୧୭ ତାରିଖ ରାତିରେ ବଅଁରପାଳ ଅଂଚଳର ଏକ ପ୍ରେମୀଯୁଗଳ ପ୍ରେମରେ ବିଫଳ ହୋଇ କୁମଣ୍ଡ ପାଖ ରେଳଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ ଯୁବକଜଣକ ଅବିବାହିତ ଓ ବୃତ୍ତିରେ ଜଣେ ରାଜମିସ୍ତ୍ରି ଏବଂ ମହିଳାଜଣକ ବିବାହିତ ଓ ଦୁଇ ସନ୍ତାନର ଜନନୀ ଥିଲେ।
ବିବାହିତ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/05/sui.jpg)