ବିନିକା/ଲଛିପୁର: ପ୍ରେମିକ ଓ ପ୍ରେମିକା ବାହା ହେବା ପାଇଁ ମନ୍ଦିର ଯାଉଥିବା ବାଟରୁ ପ୍ରେମିକର ବଡ଼ଭାଇ ତାକୁ ଉଠାଇ ନେଲା। ଶେ‌ଷରେ ହତାଶ ନାବାଳିକା ପ୍ରେମିକା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଡୁଙ୍ଗୁରିପାଲି ଥାନା ଅଞ୍ଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ ‌ହୋଇଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ବିନିକା ବ୍ଲକ୍‌ ନକଟାମୁଣ୍ଡାର ସୁଶାନ୍ତ ମେହେର (୨୧ବର୍ଷ) ଗତ ୩ ବର୍ଷ ହେଲା ପ୍ରେମ କରୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂମ୍ପର୍କ ରଖୁଥିଲେ। ଗତ ୨୪ ତାରିଖ ଦିନ ଉଭୟେ ବାହା ହେବା ପାଇଁ ମନ୍ଦିରକୁ ଯାଉଥିଲେ। ସେହି ସମୟରେ ପ୍ରେମିକ ସୁଶାନ୍ତଙ୍କ ବଡ଼ଭାଇ ଯଦୁମଣି ମେହେର ପହଞ୍ଚି ତାଙ୍କୁ ନେଇଯାଇଥିଲେ। ଶେଷ‌ରେ ପ୍ରେମିକା ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏନେଇ ଡୁଙ୍ଗୁରିପାଲି ଥାନା ପୁଲିସ ଉକ୍ତ ନାବାଳିକାଙ୍କୁ ସୋନପୁର ସିଡବ୍ଲୁସିରେ ଉପସ୍ଥାପନ କରି ତାଙ୍କ ଆଦେଶମତେ ପୀଡ଼ିତାଙ୍କୁ ସଖୀକେନ୍ଦ୍ରଠାରେ ରଖାଯାଇଥିବା ଲଛିପୁର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।