ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ

ଗ୍ରାମବାସୀଙ୍କ ସହଯୋଗରେ ଆୟୋଜନ ହେଲା କାର୍ଯ୍ୟକ୍ରମ

ଚୌଦ୍ବାର : ବାଜା ବଜାଇ ବର ଆସିଲା। ବନ୍ଧୁବାନ୍ଧବ ଓ ସାହିପଡୋଶୀ ଆସି ଥିଲେ ବରଯାତ୍ରୀରେ। ସେପଟେ କନିଆ ବଧୂ ବେଶରେ ସଜ ହୋଇ ମନ୍ଦିରରେ ଅପେକ୍ଷା କରି ଥିଲା ତାର ଜନ୍ମ ଜନ୍ମର ସାଥୀକୁ। ଏପରି ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ଡିହସାହି, କୈଳପଡା ପଞ୍ଚାୟତର ମଠସାହି ଗ୍ରାମରେ। ସମସ୍ତେ ସାମିଲ ହୋଇ ଦୁଇ ଦିବ୍ୟାଙ୍ଗଙ୍କ ବିବାହ କରାଇଛନ୍ତି। ବର ଓ କନିଆ ଦୁହେଁ ଦୁନିଆର ଆଲୋକ ଦେଖି ପାରୁନଥିବା ବେଳେ ଆଜି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ଏହି ବିବାହ ଗ୍ରାମର ରାଧାମାଧବ ମନ୍ଦିରରେ ଆୟୋଜନ କରାଯାଇଥିଲା।

ମଠସାହି ଗ୍ରାମର ସ୍ବର୍ଗତ ଗତିକୃଷ୍ଣ ନାୟକଙ୍କ ପୁଅ ମୁନା ନାୟକ(୨୭)ଙ୍କ ସହିତ ସେହି ଗ୍ରାମର ଦିବାକର ନାୟକଙ୍କ ଝିଅ ରିନୁ ନାୟକ(୨୩)ଙ୍କର ବିବାହ ଅନୁଷ୍ଠିତ ହୋଇଛି। ଜନ୍ମର ୩ରୁ ୫ ବର୍ଷ ମଧ୍ୟରେ ଦୁଇଙ୍କ ଠାରେ ଦୃଷ୍ଟିଶକ୍ତି କମିବାର ସମସ୍ୟା ଦେଖାଦେଲା। ଦୁଇ ପରିବାର ପକ୍ଷରୁ ସେମାନଙ୍କ ଚିକିତ୍ସା‌ ପ‌ାଇଁ ଉଦ୍ୟମ କରାଗଲା। ମାତ୍ର ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଧିକ ଚିକିତ୍ସା ହୋଇ ପାରିଲା ନାହିଁ। ଦୁହିଁଙ୍କ ଠାରେ ୬୦ରୁ ୭୦ ପ୍ରତିଶତ ଦୃଷ୍ଟି ଶକ୍ତି ସମସ୍ୟା ରହିଛି। ମୁନା ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ବେଳେ ରିନୁ ମାଟ୍ରିକ ପାସ୍‌ କରିଛନ୍ତି। ଭୁବନେଶ୍ବର ୧ନଂ ମାର୍କେଟରେ ମୁନା ଚାବି ରିଂର ଏକ ଛୋଟ ଦୋକାନ ଦେଇଥିଲେ। ମାତ୍ର କରୋନା ପାଇଁ ତାହା ଏବେ ବନ୍ଦ ହୋଇଯାଇଛି। ଦୁଇ ଜଣଙ୍କ ବିଷୟରେ ପରିବାରର ସଦସ୍ୟ ଚିନ୍ତାରେ ଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ଦୁହିଁଙ୍କ ବିବାହ କରାଇବାକୁ ଯୋଜନା କରିଥିଲେ। ଦୁଇ ପରିବାରର ସଦସ୍ୟଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ପ୍ରଥମେ ବର ଓ କନିଆ ଉଭୟଙ୍କୁ ଏ ବିଷୟରେ ପଚରା ଯାଇଥିଲା। ଉଭୟ ବିବାହ କଲେ ସେମାନଙ୍କ ପିଲାଙ୍କ ଠାରେ ବି ଦୃଷ୍ଟିଶକ୍ତି ସମସ୍ୟା ଦେଖାଯିବ ବୋଲି ସେମାନେ ଆଶଙ୍କା କରିଥିଲେ। କିନ୍ତୁ ଏ ବିଷୟରେ ଗ୍ରାମର ମୁରବି ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ବାପା ଓ ମା’ଙ୍କ ଦୃଷ୍ଟି ସମସ୍ୟା ଥିଲେ ପିଲାଙ୍କ ଠାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଡାକ୍ତର କହିଥିଲେ। ଏହାପରେ ଦୁଇଜଣ ବିବାହ କରିବାକୁ ରାଜି ହୋଇଥିଲେ। ଗ୍ରାମର ପ୍ରଦୀପ କୁମାର ବିଶ୍ବାଳ, ଶ୍ରୀକାନ୍ତ ଚୌଧୁରୀ, ମନ୍ଦାକିନୀ ନାୟକ ପ୍ରମୁଖ ବିବାହ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟାଙ୍ଗୀ–ଚୌଦ୍ବାର ପଂଚାୟତ ସମିତି ଉପାଧ୍ୟକ୍ଷ ଜାନକୀ ପରିଡ଼ା ବି ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର