ଅପପ୍ରଚାର ଯୋଗୁଁ ବିବାହ ପ୍ରସ୍ତାବ ଭାଙ୍ଗିବା ଘଟଣା : ଜଣେ ଗିରଫ, ଜୀବନ ସହ ଲଢ଼ୁଛନ୍ତି ଯୁବତୀ

 

ଗୋଳନ୍ଥରା : ଅପପ୍ରଚାର ଯୋଗୁଁ ବିବାହ ପ୍ରସ୍ତାବ ଭାଙ୍ଗିଯିବା ଓ ଯୁବତୀ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଗୋଳନ୍ଥରା ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ହେଉଛି ଜି.ଭୀମା (୨୪)। କୋର୍ଟରେ ଭୀମାର ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏଥିରେ ସଂପୃକ୍ତ ଆଉ ଜଣେ ଯୁବକ ଫେରାର୍ ଥିବା ବେଳେ ତାକୁ ଧରିବାକୁ ତନାଘନା ଜାରି ରହିଛି। ଅନ୍ୟପଟେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ଚରିତ୍ରକୁ ସଂହାର କରି ମିଥ୍ୟା ଲିଫଲେଟ୍ ବାଣ୍ଟିଥିବା ଘଟଣାରେ ସଂପୃକ୍ତ ଅନ୍ୟ ତିନି ଜଣଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିରେ ବିଳମ୍ବ ହେଲେ ଥାନା ଘେରାଉ ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଆସନ୍ତା ଫେବ୍ରୁଆରି ୨ ତାରିଖରେ ଯୁବତୀଙ୍କ ବିବାହ ଲାଗି ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ମଧ୍ୟରେ ଗତ ଡିସେମ୍ବର ୨୮ରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କ ଚରିତ୍ରକୁ ନେଇ ଅପପ୍ରଚାର କରିଥିଲେ। ଲିଫ୍‌ଲେଟ୍ ତିଆରି କରି ଗ୍ରାମବାସୀ ଓ ବର ପରିବାର ରହୁଥିବା ଗ୍ରାମରେ ବାଣ୍ଟିଥିଲେ। ଏହାସହ ବରକୁ ମଧ୍ୟ ଫୋନ୍ କରି ଅନ୍ୟ ଯୁବକଙ୍କ ସହ ଯୁବତୀଙ୍କ ଅନୈତିକ ସଂପର୍କ ଥିବା କହିଥି‌ଲେ। ଯାହା ଫଳରେ ବରପକ୍ଷ ବାହାଘର ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ। ସେପଟେ ଯୁବତୀଙ୍କ ପରିବାର ଦୁଇ ଯୁବକଙ୍କ ନାମରେ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧/୨୧ ଅନୁସାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଯୁବତୀ ଜଣକ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଦୁଇ ଯୁବକଙ୍କୁ ଗିରଫ କରାଯାଉ ନଥିବାରୁ ଆଜି ସକାଳେ ଘରେ କେହି ନଥିବା ସୁଯୋଗରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ ପାଇଁ ତନାଘନା ଜାରି ରହିଥିବା ସୂଚନା ମିଳିଛି।
ସମ୍ବନ୍ଧିତ ଖବର