ଐତିହାସିକ ରାୟ: ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି

କଟକ : କୌଣସି ସରକାରୀ କର୍ମଚାରୀଙ୍କର ଚାକିରିରେ ଥାଇ ମୃତ୍ୟୁ ଘଟିଲେ, ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ତାଙ୍କର ବିବାହିତ ଝିଅଙ୍କୁ ବି ମିଳିବ ଅଧିକାର। ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି ହାଇକୋର୍ଟ।

ପୂର୍ବରୁ କେବଳ ପୁଅ ଅଥବା ଅବିବାହିତ ଝିଅ ଏହାର ସୁଯୋଗ ପାଇ ଆସୁଥିଲେ। କିନ୍ତୁ, ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନୀତିରେ ରହିଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆ ନ ଯିବା ଏକ ମନମୁଖି ନିଷ୍ପତ୍ତି ଏବଂ ଏହା ସମ୍ବିଧାନର ଧାରା ୧୪, ୧୫ ଓ ୧୬(୨)ର ଉଲ୍ଲଂଘନ କରୁଛି ବୋଲି ଉଲ୍ଲେଖକରି ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ବିବାହିତା ଝିଅଙ୍କ ନାଁ ବିଚାରକୁ ନିଆ ନ ଯିବା ନୀତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବାସନ୍ତୀ ନାୟକଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବାପା ପ୍ରାଥମିକ ସ୍କୁଲ୍‌ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ୨୦୦୧, ଫେବ୍ରୁଆରି ୨୩ରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଆବେଦନକାରୀଙ୍କ ସମେତ ଦୁଇ ଝିଅ ରହିଥିଲେ। ଆବେଦନକାରୀ ଯୁକ୍ତ ଦୁଇ ପାସ କରିଥିବା ବେଳେ ବାପାଙ୍କ ମୃତ୍ୟୁ ପରେ କ୍ଲାସ-୩ ଅଣଶିକ୍ଷକ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ ପାଇଁ ଦରଖାସ୍ତ ଦାଖଲ କରିଥିଲେ। ଏଥିପାଇଁ ଆବେଦନକାରୀଙ୍କ ମା’ ଓ ଭଉଣୀଙ୍କ ସମ୍ମତି ରହିଥିଲା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପ୍ରକାଶିତ ତାଲିକାରେ ଆବେଦନକାରୀଙ୍କ ନାଁ ସ୍ଥାନ ପାଇଥିବା ବେଳେ ୨୦୦୭, ଜୁନ ୧ରେ ଭଦ୍ରକ ସର୍କଲ ସ୍କୁଲ ଇନ୍ସପେକ୍ଟର ତାଙ୍କୁ ପ୍ରମାଣପତ୍ର ଯାଞ୍ଚ ପାଇଁ ଡାକିଥିଲେ। ଏଥିରେ ମଧ୍ୟ ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇ ତାଲିକାରେ ସ୍ଥାନ ପାଇଥିଲେ। କିନ୍ତୁ, ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯାଇ ନଥିଲା। ଏହି ପ୍ରସଙ୍ଗରେ ଅ‌ାବେଦନକାରୀଙ୍କ ଦରଖାସ୍ତକୁ ସ୍କୁଲ୍‌ ଇନ୍ସପେକ୍ଟର ୨୦୦୮, ଏପ୍ରିଲ ୮ରେ ଖାରଜ କରିଥିଲେ। ୨୦୦୭, ଏପ୍ରିଲ ୨୪ର ବିଜ୍ଞପ୍ତି ଅନୁସାରେ ଆବେଦନକାରୀ ବିବାହିତ ଝିଅ ହୋଇଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ନାହଁ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା।

ଶେଷରେ, ହାଇକୋର୍ଟ ୨୦୦୮, ଏପ୍ରିଲ ୮ର ନିର୍ଦ୍ଦେଶକୁ ଖାରଜ କରିଛନ୍ତି। ଏଥିସହିତ ୨୦୦୧, ଫେବ୍ରୁଆରି ୨୩ରୁ ଆବେଦନକାରୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ଓ ନିଯୁକ୍ତି ସଂପର୍କିତ ଦରଖାସ୍ତ ଏହାର ୭ ବର୍ଷ ପରେ ଖାରଜ ହୋଇଥିବା ଘଟଣାକୁ ବିଚାରକୁ ନେଇ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର