କଟକ: ଝିଅ ବିବାହ ପରେ ବି ତାର ପିତାମାତାଙ୍କ ପ୍ରତି ଥିବା ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇ ନଥାଏ। ପରିବାର ଦାୟିତ୍ବ ଓ ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ଅବିବାହିତ ଝିଅ, ବିବାହିତ ତଥା ଅବିବାହିତ ପୁଅଙ୍କ ସହିତ ସମାନ ସ୍ତରରେ ବିବାହିତା ଝିଅଙ୍କୁ ଦେଖା ଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବିବାହ ପରେ ଝିଅ ତାଙ୍କ ସ୍ବାମୀଙ୍କ ପରିବାରର ଅଂଶ ହୋଇଯିବା ଓ ନିଜ ପରିବାର ଦାୟିତ୍ବରୁ ମୁକ୍ତ ଚିନ୍ତାଧାରା ପୁରୁଣାକାଳିଆ। ବାସ୍ତବରେ ବିବାହିତା ଝିଅ ନିଜ ଅଭିଭାବକଙ୍କ ଯତ୍ନ ନେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ପରିବାରର ଆର୍ଥିକ, ମାନସିକ ଓ ସାମାଜିକ ଆବଶ୍ୟକତାରେ ବିବାହିତା ଝିଅ ବି ପୁଅ ଭଳି ସମାନ ଅବଦାନ ରଖୁଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ବେଳେ ଜଣେ ବିବାହିତ ପୁଅର ଦାବିକୁ ଯଦି ବିଚାରକୁ ନିଆଯାଉଛି, ଜଣେ ବିବାହିତା ଝିଅର ଦରଖାସ୍ତକୁ ଖାରଜ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହା ସମ୍ବିଧାନର ଧାରା ୧୪ ଓ ୧୫ର ଉଲ୍ଲଂଘନ କରୁଛି।
ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ବିବାହିତା ଝିଅଙ୍କ ନାମ ବିଚାରକୁ ନିଆ ନ ଯିବା ନୀତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଅନୁକମ୍ପାମୂଳକ ନିଯୁକ୍ତି ସଂପର୍କିତ ଦୁଇଟି ମାମଲାରେ ଏପରି ରାୟ ପ୍ରଦାନ କରିଛନ୍ତି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମୃତ୍ୟୁ ବେଳକୁ ତାଙ୍କ ଝିଅଙ୍କ ବିବାହ ହୋଇ ସାରିଥିଲା। ବିବାହିତା ଝିଅ ନିଜ ବିଧବା ମା’ଙ୍କ ଯତ୍ନ ନେବା ସହିତ ପରିବାରର ଭଲମନ୍ଦ ବୁଝାବୁଝି କରୁଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଝିଅ ବିବାହିତା ହୋଇଥିବାରୁ ତାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଦରଖାସ୍ତକୁ ଖାରଜ କରାଯାଇଥିଲା। ଏପରି ଖାରଜ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା।