ବିଶ୍ବାସରେ ବିଷ ଦେଲା ବନ୍ଧୁ!ସମ୍ପତ୍ତି ହାତେଇବା ପରେ ବିଧବା ପତ୍ନୀଙ୍କୁ କଲେ ବିବା‌ହ

କଳାବାଡ଼ିଆ: ବିଶ୍ବାସରେ ବିଷ ଦେଲେ ଯୁବକ। ସାଙ୍ଗର ମୃତ୍ୟ ପରେ ଅସଲ ରୂପ ଦେଖାଇଲେ। ଯେଉଁ ପରିବାର ତାଙ୍କୁ ପୁଅ ଭାବୁଥିଲା, ସେଇ ପରିବାରକୁ ଧୋକାଦେଲେ। କେବଳ ସେତିକି ନୁହେଁ, ଶେଷର ବନ୍ଧୁଙ୍କ ବିଧବା ପତ୍ନୀକୁ ବି ବାହା ହୋଇଗଲେ। ଏପରି ଏକ ଅଭାଭନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ।

ବାଙ୍ଗିରିପୋଷି ଥାନା ଅଧୀନ ବୁଡ଼ାମରା ଗ୍ରାମର ପ୍ରଭାସ ନାଏକଙ୍କ ପୁଅ ପବିତ୍ର ନାଏକ ଏବଂ ରାୟଗଡ଼ା ଜିଲ୍ଲା ଗୁଣପୁରର ବୃନ୍ଦାବନ ପ୍ରଧାନଙ୍କ ପୁଅ ବିଶ୍ବଜିତ ପ୍ରଧାନ ବରହମପୁରରେ ଏକାସାଙ୍ଗରେ ପଢ଼ୁଥିଲେ। ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଥିଲା। ପରେ ବିଶ୍ବଜିତ ଯନ୍ତ୍ରୀ ଭାବେ ଚାକିରି ପାଇଲେ। ଫଳରେ ସେ କିଛି କାମ କରୁ ନଥିବା ବନ୍ଧୁ ପବିତ୍ରଙ୍କୁ ଆଣି ନିଜ ଘରେ ଭାଇ ପରି ରଖିଲେ। କାମ ଦେବାକୁ ଯାଇ ତା’ ପାଇଁ ‘ବି’ କ୍ଲାସ୍‌ କଣ୍ଟ୍ରାକ୍ଟର ଲାଇସେନ୍‌ସ କରାଇଦେଲେ। ପବିତ୍ର ନାମରେ ଟ୍ରାକ୍ଟର, ବୋଲେରୋ, ଜେସିବି, ଡମ୍ପର, ‌ସ୍କର୍ପିଓ ଆଦି କିଣିଦେଲେ। ଠିକାକାମ ସହ ପବିତ୍ର ବନ୍ଧୁ ବିଶ୍ବଜିତଙ୍କ ଘରକଥା ବୁଝୁଥିଲେ। ତେବେ ୨୦୨୦ ମସିହା ଫେବ୍ରୁଆରି ୨୬ ତାରିଖରେ ଏକ ଦୁର୍ଘଟଣା ଯୋଗୁଁ ବିଶ୍ବଜିତଙ୍କ ମୃତ୍ୟୁ ହେଲା। ବନ୍ଧୁଙ୍କ ମୃତ୍ୟୁ ପରେ ପବିତ୍ର ତାଙ୍କର ଅସଲ ରୂପ ଦେଖାଇଲେ।

ବନ୍ଧୁଙ୍କ ଉପକାର ଭୁଲିଗଲେ। ଯେଉଁ ପରିବାର ତାଙ୍କୁ ପୁଅ ବୋଲି ଭାବୁଥିଲା, ସେଇ ପରିବାର ସହ ବିଶ୍ବାସଘାତକତା କଲେ। ବିଶ୍ବଜିତ ସାଙ୍ଗ ପବିତ୍ର ପାଇଁ କିଣି ଦେଇଥିବା ୭ଟିରୁ ଅଧିକ ଗାଡ଼ି ନିଜର ବୋଲି କହି ଆଇନ ସହାୟତାରେ ହାତେଇ ନେଇଥିଲେ। ବିଶ୍ବଜିତଙ୍କ ପରିବାର ଲୋକ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଇଥିଲେ ମଧ୍ୟ କିଛି ଲାଭ ମିଳି ନଥିଲା। ଅନ୍ୟପଟେ ବିଶ୍ବଜିତଙ୍କ ପତ୍ନୀ ସୁନିତା ପ୍ରଧାନ ଶାଶୂଘର ଲୋକ ଯୌତୁକ ନିର୍ଯାତନା ଦେଉଛନ୍ତି ବୋଲି ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ୧୦/୨୧ରେ ଏକ ମାମଲା ରୁଜୁ କରିଛି। ଏବେ ସେ ଶାଶୂଘର ଛାଡ଼ି ନିଜର ୫ ବର୍ଷର ଝିଅ ସହ ବାପଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କୁମୁରୁଡ଼ାରେ ରହୁଛନ୍ତି। ଏହା ସହିତ ନିଜର ଓ ଝିଅର ଭରଣପୋଷଣ ପାଇଁ ଅର୍ଥ ଦାବି ସହ କୋର୍ଟରେ ମାମଲା ଦାଏର କରିଥିବା ଜଣାପଡ଼ିଛି।

ଏପରି ସମୟରେ ପବିତ୍ର ମୃତ ବିଶ୍ବଜତଙ୍କ ପତ୍ନୀ ସୁନିତାଙ୍କୁ କିଛିଦିନ ପୂର୍ବରୁ ପୁରୀର ଏକ ଶୈବପୀଠରେ ବିବାହ କରିଛନ୍ତି। ଏଠାରେ ଉଲ୍ଲେଖ ଥାଉକି ସୁନିତା ଜଣେ ଉଚ୍ଚ ଶିକ୍ଷିତା ମହିଳା। ସେ ବର୍ତ୍ତମାନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।

ତେବେ ପବିତ୍ର ବିଶ୍ବାସରେ ବିଷ ଦେବା ପରେ ଯେଉଁ ପରିବାର ଆଇନର ଆଶ୍ରୟ ନେଇଥିଲା, ସେହି ପରିବାର ପବିତ୍ର ସହ ବୋହୂର ବାହାଘର ହୋଇଥିବା ଜାଣିବା ପରେ ବାଙ୍ଗିରିପୋଷି ଥାନାରେ ଆଶ୍ରୟ ନେଇଛି। ଦୁନିଆରେ ଭଲ କାମ କଲେ ଏମିତି ଦୁଃଖ ମିଳେ। ଆଇନ ବି ଅନ୍ଧ ହୋଇଯାଏ ବୋଲି କୋହଭରା କଣ୍ଠରେ କହିଛନ୍ତି ବିଶ୍ବଜିତଙ୍କ ବାପା ବୃନ୍ଦାବନ ପ୍ରଧାନ।

ଘଟଣା ବାବଦରେ ଅଭିଯୁକ୍ତ ପବିତ୍ରଙ୍କ ମତାମତ ନିଆଯାଇଥିଲା। ସେ ତାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର କରାଯାଉଛି। ‌ଯେଉଁ ଗାଡ଼ି ସବୁ ତାଙ୍କ ନାମରେ ଅଛି, ସେଗୁଡ଼ିକ ସେ ନିଜେ କିଣିଛନ୍ତି। ସେହିପରି ବିବାହ ତାଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି କହିଛନ୍ତି। ବାଙ୍ଗିରିପୋଷି ଥାନା ଅଧିକାରୀ ସଂଜୟ ପରିଡ଼ାଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା। ସେ ଉଭୟ ପବିତ୍ର ଓ ସୁନିତାଙ୍କ ବୟସ ଅଛି। ସେମାନେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ। କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ କିମ୍ବା ଆଇନର କିଛି ଭୂମିକା ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର