ବିବାହିତା ମହିଳାଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି

ଡାବୁଗାଁ: ଜଣେ ବିବାହିତା ମହିଳାଙ୍କ ଘର ମଧ୍ୟରେ ପ୍ରବେଶ କରି ସ୍ୱାମୀଙ୍କ ଉପସ୍ଥିତିରେ ସଂଗବଦ୍ଧ ଭାବରେ ଡାବୁଗାଁ ଥାନା ଅନ୍ତର୍ଗତ ଘୁସୁରାବେଡା ଗ୍ରାମର ୪ରୁ ଉର୍ଦ୍ଧ୍ୱ ଲୋକ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ସେହି ଗ୍ରାମର ୱାର୍ଡ ମେମ୍ବର ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମହିଳାଙ୍କ ଗୁପ୍ତାଙ୍ଗ ଓ ଜଙ୍ଘରେ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ନେଇ ଡାବୁଗାଁ ଥାନାରେ ଗତକାଲି ରାତିରେ ଅଭିଯୋଗ ହେବା ପରେ ଡାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ଘୁସୁରାବେଡା ଗ୍ରାମର ରୂପାଏ ନାୟକ (୩୦) ଓ ତା ସ୍ୱାମୀ ଆବ୍ରାହାମ ନାୟକ ଗତକାଲି ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ତାଙ୍କ ନିଜ ଘରେ ଥିବା ସମୟରେ ସେହି ଘୁସୁରା ବେଡା ଗ୍ରାମର ଦେବ କିଶୋର ନାୟକ(୨୦), ନିଖିଳ ରୁପଚାନ୍ଦ (୧୮), ଡିକେଶ୍ୱର ନାୟକ (୩୫), ସୁରଭି ନାୟକ (୪୫) ଓ ତିଳୋତ୍ତମା ନାୟକ ପ୍ରମୁଖ ଆସି ରୂପାଏ ନାୟକକୁ ଘର ମଧ୍ୟରୁ ଘୋଷାଡି ଆଣି ଦାଣ୍ଡ ଦୁଆରରେ ଅତିନିର୍ମମ ଭାବେ ଆକ୍ରମଣ କରିଥିଲେ । ଏକ କାଠ ଫାଳିଆରେ ରୂପାଏ ନାୟକର ଗୁପ୍ତାଙ୍ଗ ଓ ଜଙ୍ଘରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହା ଦ୍ୱାରା ମହିଳା ଜଣକ ବେହୋସ୍‌ ହୋଇଥିଲେ। ସ୍ତ୍ରୀକୁ ଆକ୍ରମଣ ଦେଖି ତା ସ୍ୱାମୀ ଆବ୍ରାହମ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ତାକୁ ମଧ୍ୟ ମାଡ଼ ମାରି ଗ୍ରାମର ତିନି ଜଣ କାବୁ କରି ରଖିଥିବା ନେଇ ଏତଲାରେ ଦର୍ଶା ଯାଇଛି ।

ତେବେ ରୂପାଏ ନାୟକକୁ କେଉଁ କାରଣରୁ ଏପରି ଆକ୍ରମଣ କରାଯାଇଥିବା ସ୍ପଷ୍ଟ ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ହୋଇଥିବା ନେଇ ଜଣାପଡ଼ିଛି। ରୂପାଏ ନାୟକଙ୍କୁ ମୂମୂର୍ଷୁ ଅବସ୍ଥାରେ ଘୁସୁରା ବେଡା ଗ୍ରାମର ୱାର୍ଡ ମେମ୍ବର ପ୍ରସନ୍ନ ସୁଣ୍ଡରମଣି ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର