ନବବଧୂର ଆତ୍ମହତ୍ୟା, ଥାନାରେ ସ୍ବାମୀ ଅଟକ, ମୃତକଙ୍କ ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଜଗତପୁର: କଟକ ଜିଲ୍ଲା  ଜଗତପୁର ଥାନା ଅନ୍ତର୍ଗତ ନିୟୁତୋରଳ ରମାଦେବୀନଗରରେ ଆଜି ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ ଟା ସମୟରେ ଜୈନିକ ମହିଳା ବେକରେ ପୂଜା ଚାଦର ଭିଡ଼ି ବାସଗୃହରେ ଲାଗିଥିବା ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ବିଶ୍ଵନାଥ ଦାସଙ୍କ ( ୩୪ ) ପତ୍ନୀ ମିଲନ ପରିଜା ( ୨୯ )। ଏ ସମ୍ପର୍କରେ ମହିଳାଙ୍କ ଶଶୁର ଥାନାରେ ଅବଗତ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। କିନ୍ତୁ ମହିଳାଙ୍କ ବାପ ଘର ପକ୍ଷରୁ ମୃତକ ମିଲନର ପିତା ଗିରିଶ ଚନ୍ଦ୍ର ପରିଜା ତାଙ୍କ ଝିଅକୁ ତାର ଶାଶୁ ଘର ଲୋକେ ମାନସିକ ନିର୍ଯାତନା ଦେଇ ଜୀବନରୁ ମାରିଦେଇ ଥିବା ଥାନାରେ ଅଭିଯୋଗ କରିଛି ।

ବାପଘର ଲୋକଙ୍କ ଅଭିଯୋଗ ପରେ ପୁଲିସ ଛାନଭିନକରିବା ସହିତ କଟକରୁ ସାଇଣ୍ଟି ଫିକ ଟିମ୍ ଓ ଟାଙ୍ଗୀ-ଚୌଦ୍ଵାର ଅତିରିକ୍ତ ତହସିଦାର ଲିପ୍ସା ରାୟ ସର୍ଜମିନି ତଦନ୍ତ କରିଛନ୍ତି l ପ୍ରାପ୍ତ ସୂଚନା ମୁତାବକ ଗତ ଫେବୃଆରି ମାସ ୨୧ ତାରିଖରେ ଜଗସିଂହପୁର ଜିଲ୍ଲା ତ୍ରିତ୍ତୋଲ ଥାନା ତେନ୍ତୁଲିଆପଦା ଗ୍ରାମ ନିବାସୀ ଗିରିଶ ଚନ୍ଦ୍ର ପରିଜାଙ୍କ କନ୍ୟା ମିଲନଙ୍କୁ ଜଗତପୁର ରମାଦେବୀ ନଗର ବାସିନ୍ଦା ବିବେକାନନ୍ଦ ଦାସଙ୍କ ପୁତ୍ର ବିଶ୍ଵନାଥଙ୍କ ସହିତ ବୈଦିକ ରୀତିରେ ବିବାହ ଦେଇଥିଲେ ।

ବିଭାଘର ସମୟରେ ଶାଶୁ ଘର ପ୍ରସ୍ତାବ ଅନୁଯାୟୀ ଯୌତୁକ ଓ ବାଟଖର୍ଚ୍ଚ ମଧ୍ୟ ଦେଇଥିଲେ । କିନ୍ତୁ ବିବାହର କିଛିଦିନ ପରେ ଛୋଟ ମୋଟ ଘଟଣାକୁ ନେଇ ସ୍ବାମୀ ଓ ପରିବାର ଲୋକେ ବାରମ୍ବାର ମାନସିକ ନିର୍ଯାତନା ଦେଇଆସୁଥିବା ମୃତକଙ୍କ ମା’ ସସ୍ମିତା ଓ ଭାଇ ସୁମନ ପୁଲିସକୁ କହିଥିଲେ । ଶାଶୁ ଘରଲୋକେ କହିବା ଅନୁଯାୟୀ ମୃତକର ସ୍ବାମୀ ବିଶ୍ଵନାଥ ନିଜ କମ୍ପାନି କାମରେ ବାହାରେ ଥିବା ବେଳେ ଶାଶୁ ଓ ଶଶୁର ଆସନ୍ତାକାଲି ବିଶ୍ଵକର୍ମା ପୂଜା ଉଦ୍ଦେଶ୍ୟରେ ପୂଜା ସାମଗ୍ରୀ ଓ ପୋଷାକ ପତ୍ର କିଣିବା ପାଇଁ କଟକକୁ ଯାଇଥିଲେ। ଘରକୁ ସାଢେ଼ ୧୨ ଟା ସମୟରେ ଫେରି ଘରର ମୁଖ୍ୟ ଫାଟକ ବନ୍ଦ ଥିବା ଜାଣି ପଡିଶା ଲୋକଙ୍କୁ ଡକାଇ ଘର ଭିତରକୁ ପ୍ରବେଶ କରିଥିଲେ l ଘରେ ବୋହୂ ମିଲନ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବା ଘଟଣା ଦେଖିବା ପରେ ଥାନା ଓ ବୋହୂର ବାପଘର ଲୋକଙ୍କୁ ଜଣାଇଥିଲେ l ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରି ଶବକୁ ଜବତ କରିବା ସହିତ ମୃତକର ଆତ୍ମହତ୍ୟା ଟିପ୍ପଣୀ  ଜବତ କରି ତଦନ୍ତ ଜାରିରଖଛି l

ସମ୍ବନ୍ଧିତ ଖବର