ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା କୁଆଁରଗାଁରେ ଗୁରୁବାର ବିବାହିତା ମହିଳା କଳ୍ପନା ତ୍ରିପାଠୀ (୨୫ବର୍ଷ) ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ କଳ୍ପନାଙ୍କ ସ୍ବାମୀ ଶୁଭ୍ରାଂଶୁ ତ୍ରିପାଠୀଙ୍କୁ ପୁଲିସ ଶୁକ୍ରବାର କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଟିଟିଲାଗଡ଼ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗୁରୁବାର କଳ୍ପନାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ବଲାଙ୍ଗୀର ସହର ରାମେଶ୍ବର ନଗର ବାସିନ୍ଦା ରଶ୍ମିରଂଜନ ଷଡ଼ଙ୍ଗୀ ସଇନ୍ତଳା ଥାନାରେ ଅଭିଯୋଗ କରିଥିଲେ। କଳ୍ପନାଙ୍କୁ ଯୌତୁକ ନିର୍ଯାତନା ଦେଇ ତାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଅଭିଯୋଗରେ ଉଲ୍ଲେଖ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଏସ୍ଆଇ ସଙ୍ଗୀତା ବେକ କହିଛନ୍ତି।