ରାୟଗଡ଼ା: ମକର ସଂକ୍ରାନ୍ତି ଅବସରରେ ମା' ମଝିଘରିଆଣିଙ୍କ ପୀଠରେ ଲାଗିଛି ବିଶେଷ ପୂଜାର୍ଚ୍ଚନା। ମନସ୍କାମନା ପୂର୍ଣ୍ଣ ହେତୁ ସାଧବା ଏବଂ କୁଆଁରୀ ଯୁବତୀମାନେ କରୁଛନ୍ତି ସତୀକୁଣ୍ଡ ପୂଜା। ପୁରାତନ କଥୋପ କଥନ ଅନୁଯାୟୀ ୧୫୧୬ ଖ୍ରୀଷ୍ଟାବ୍ଦରେ ରାଜା ବିଶ୍ଵନାଥ ଦେବଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ୧୦୮ ରାଣୀ ଥିଲେ। ନିଜର ସତୀତ୍ୱ ବଜାୟ ରଖିବା ନିମନ୍ତେ ରାଜାଙ୍କର ୧୦୮ ରାଣୀ ଏହି ଚିତାଅଗ୍ନିରେ ନିଜକୁ ଝାସ ଦେଇ ଦେହ ତ୍ୟାଗ କରିଥିଲେ। ସେହି ସ୍ଥାନଟି ସତୀ କୁଣ୍ଡ ନାମରେ ପରିଚିତ ହୋଇ ଆସୁଛି।
ପୂର୍ବରୁ ଚାଲି ଆସୁଥିବା ପ୍ରବାଦ ଅନୁଯାୟୀ ମକର ସଂକ୍ରାନ୍ତି ଦିନ ଯେଉଁ ସଧବା ଏବଂ କୁଆଁରୀ ଯୁବତୀମାନେ ଏହି ସତୀକୁଣ୍ଡ ନିକଟରେ ପୂଜାର୍ଚ୍ଚନା କରନ୍ତି ସେମାନଙ୍କ ପରିବାରର ମଙ୍ଗଳ ହୁଏ। କୁଆଁରୀ ଯୁବତୀମାନଙ୍କୁ ସେମାନଙ୍କର ପସନ୍ଦର ବର ପ୍ରାପ୍ତି ହୁଏ। ସନ୍ତାନ ସନ୍ତତି ନଥିବା ମହିଳାମାନେ ଏହି ସତୀକୁଣ୍ଡ ନିକଟରେ ପୂଜାର୍ଚ୍ଚନା କଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇ ଥାଏ ବୋଲି କଥା ରହିଛି। ତେଣୁ ଆଜିର ଦିନରେ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣ ନିକଟରେ ଏହି ସତୀକୁଣ୍ଡରେ ଶହ ଶହ ମହିଳା ଏବଂ କୁଆଁରି ଯୁବତୀମାନଙ୍କ ଭିଡ଼ ଦେଖିବାକୁ ମିଳିଛି।
ଏହି ସତୀକୁଣ୍ଡ ମା' ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ। ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଏଠାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହି ପୂଜାରେ ବିଶେଷ ଭାବେ ଭକ୍ତମାନେ ନାଲି ଶାଢ଼ି, ନାଲି ଚୁଡି, ପଣା ଭୋଗ, ମୁଆଁ, କଦଳୀ ନଡ଼ିଆ, ଦୀପ ଧୂପ ଏବଂ ବିଭିନ୍ନ ପ୍ରକାରର ପିଠାପଣା ସହିତ ନାଲି ମନ୍ଦାର ଫୁଲ ଚଢ଼ାଇ ଏହି ପୂଜାର୍ଚ୍ଚନା କରିଥାନ୍ତି। ପୂଜା ବିଧି ସରିବା ପରେ ସେହି ଶାଢ଼ି ଏବଂ ଚୁଡ଼ିକୁ ନିଜେ ପରିଧାନ କରିଥାନ୍ତି। ଏଠାରେ ପୂଜାର୍ଚ୍ଚନା କରିଥିବା ଅନେକ ସଧବା ମହିଳା ଏବଂ କୁଆଁରି ଝିଅମାନଙ୍କର ମନସ୍କାମନାପୂର୍ଣ ହୋଇଥିବା ନେଇ କହିଛନ୍ତି ମନ୍ଦିରର ପୂଜକ ଚନ୍ଦ୍ରଶେଖର ପୂଜାରୀ।