ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗର୍ଭବତୀ କରିବା ପରେ ପ୍ରତାରଣା, ବିବାହିତ ଯୁବକ ଜେଲ୍‌ ଗଲେ

ସଇନ୍ତଳା : ସଇନ୍ତଳା ଥାନା କେରମେଲି ପଞ୍ଚାୟତ ବନାରସ ଗାଁର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ କୀର୍ତ୍ତନ ସାହୁ (୨୪) ନାମକ ଜଣେ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଇନ୍ତଳା ଥାନା କୁଇକେଡ଼ା ପଂଚାୟତ ରେଙ୍ଗାଲି ଗାଁର ଭୀମ ସାହୁଙ୍କ ପୁଅ କୀର୍ତ୍ତନ କିଛି ମାସ ହେଲା ବନାରସ ଗାଁରେ ରହିଆସୁଥିଲେ। ଏହି ସମୟ ମଧ୍ୟରେ ବନାରସ ଗାଁର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ନିକଟରେ କିଛି ଦିନ ତଳେ କଳାହାଣ୍ତି ଜିଲ୍ଲାକୁ ଯାଇ ରହୁଥିଲେ। କୀର୍ତ୍ତନ ସଂପୃକ୍ତ ଯୁବତୀଙ୍କ ସହ ସପ୍ତାହକ ତଳେ କଳାହାଣ୍ତିରୁ ଫେରି ସଇନ୍ତଳା ବଜାରରେ ଛାଡ଼ି ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସଂପୃକ୍ତ ଯୁବତୀ ଗର୍ଭବତୀ ଥିବା ଜଣାଯାଏ। ଘଟଣା ସମ୍ପର୍କରେ ସଂପୃକ୍ତ ଯୁବତୀ ସଇନ୍ତଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା କେସ ନଂ.୪୯/୨୧ ଅନୁସାରେ ମାମଲା ରୁଜୁକରି କୀର୍ତ୍ତନ ଓ ସଂପୃକ୍ତ ଯୁବତୀଙ୍କ ଡାକ୍ତରୀମାଇନା କରି ତଦନ୍ତ ଚଳାଇଥିବା ଏସଆଇ ପ୍ରସନ୍ନ ନାଏକ କହିଛନ୍ତି। ଶନିବାର ଗିରଫ କୀର୍ତ୍ତନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଂଜୁର ହେବାରୁ ଟିଟିଲାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର