ଇତିହାସ ପ୍ରଭାବଶାଳୀଙ୍କ ଦ୍ବାରା ପ୍ରଭାବିତ ହେବା ଅନୁଚିତ: ସୌମ୍ୟ

ସହିଦ ଶ୍ରୁତି ବିଶ୍ବାଳଙ୍କ ୧୬୩ତମ ବଳିଦାନ ଦିବସ ପାଳିତ

ଯାଜପୁର/ସଦର : ଇତିହାସ କ୍ଷମତାଶାଳୀ ଶାସକ, ପ୍ରଶାସନ ଅବା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଦ୍ବାରା ପ୍ରଭାବିତ ନହେବା ଅବଶ୍ୟକ। ବିଶେଷକରି, ପରାଧୀନ ଭାରତର ଇତିହାସ ସଠିକ୍‌ ଭାବେ ମୂଲ୍ୟାୟନ ହୋଇନାହିଁ। ଯାହାଦ୍ବାରା, ମହାନ୍‌ ବିପ୍ଲବୀ ସ୍ବାଧୀନତା ସଂଗ୍ରାମୀ ଦ୍ବିତୀୟ ଜୟୀ ରାଜଗୁରୁ କୁହାଯାଉଥିବା ଦେବିଲ (ଯାଜପୁର) ଗ୍ରାମର ଶ୍ରୁତି ବିଶ୍ବାଳଙ୍କର ସ୍ବାଧୀନତା ସଂଗ୍ରାମର ଜୟଗାଥା ୧୬୫ବର୍ଷ ହେଲା ଲୋକଲୋଚନ ଆଢୁଆଳରେ ରହିଗଲା ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଆଜି ଯାଜପୁର ବ୍ଲକ୍ ଦେବିଲ ଗ୍ରାମର ଫାଶୀ ପଡ଼ିଆରେ ସହିଦ ଶ୍ରୁତି ବିଶ୍ବାଳଙ୍କର ୧୬୫ତମ ବଳିଦାନ ଦିବସ ପାଳନ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଓଡ଼ିଶାର ଇତିହାସ ସଠିକ୍ ଭାବେ ଲେଖାଯାଇନାହିଁ। ଆମର ଭବିଷ୍ୟତ ଦାୟାଦଙ୍କ ନିକଟରେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଆମାନଙ୍କର ବଳିଦାନ ଓ ସେମାନଙ୍କ ଦେଶପ୍ରେମ, ବୀରତ୍ବ ପ୍ରଭୃତି ସଠିକ୍‌ ଭାବେ ସ୍ଥାନ ପାଇପାରିନାହିଁ। ଇତିହାସକୁ ଶ୍ରୀ ପଟ୍ଟନାୟକ ତିନିଭାଗରେ ବିଭକ୍ତ କରି କହିଲେ। ନିକଟ ଅତୀତ, ଅତୀତ ଓ ଅତି ଅତୀତ ମଧ୍ୟରୁ ଅତି ଅତୀତରେ ଆମର ସଂସ୍କୃତି, ଗୌରବ, କୋଣାର୍କ ଜାଭା ସୁମାତ୍ରା, ଇଣ୍ଡୋନେସିଆରେ ଆମର ଜୟଗାଥା ଏବେ ବି ଉଜ୍ଜୀବିତ। କିନ୍ତୁ ଅତୀତ ମଧ୍ୟରେ ପରାଧୀନ ଭାରତରେ ଓଡ଼ିଶା ତଥା ଓଡ଼ିଆମାନଙ୍କର ମୂଲ୍ୟବାନ ଅବଦାନ ଏବେ ବି ଆଢୁଆଳରେ ରହିଯାଇଛି। ତାହାର ସଠିକ୍‌ ମୂଲ୍ୟାୟନ ହେବା ଆବଶ୍ୟକ।

‌‘ଐତିହାସିକମାନଙ୍କୁ ପ୍ରଭାବିତ କଲେ ତାହା ସମାଜକୁ ନିନ୍ଦିତ ଓ ଭ୍ରମିତ କରିଥାଏ। ଯେପରି ଶ୍ରୁତି ବିଶ୍ବାଳଙ୍କ ପରିବାରକୁ ନିନ୍ଦିତ କରିବାକୁ ଉଦ୍ୟମ କରାଯାଉଛି। ଯୁଗେ ଯୁଗେ ରାଜା ମହାରାଜା, କ୍ଷମତାଶାଳୀ ବ୍ୟକ୍ତି ପ୍ରତିବାଦ ସ୍ବର ଓ ସମାଲୋଚନାକୁ ଗ୍ରହଣ କରିନାହାନ୍ତି। ଏପରିକି ଗଣତନ୍ତ୍ରରେ ମଧ୍ୟ କ୍ଷମତଶାଳୀ ବ୍ୟକ୍ତିମାନେ ରାଜା ମହାରାଜା ଭଳି ବ୍ୟବହାର କରୁଛନ୍ତି। ଯାହାକି ଗଣତନ୍ତ୍ର ପ୍ରତି କ୍ଷତିକାରକ,’ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥିସହିତ, ଓଡ଼ିଶାର ପରିଚୟ ଓ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। ଓଡ଼ିଶାରେ ଯେପରି ସାଂପ୍ରଦାୟିକ ସଦ୍‌ଭାବନା ତିଷ୍ଠି ରହିଛି ତାହା ବିଶ୍ବ‌କୁ ଦିଗ୍‌ଦର୍ଶନ‌ ଦେଉଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ସହିଦ ଶ୍ରୁତି ବିଶ୍ବାଳ ସ୍ମୃତି କମିଟିର ସ୍ଥାୟୀ ସଭାପତି କାମଦେବ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବରୀ ବିଧାୟିକା ସୁନନ୍ଦା ଦାସ କହିଥିଲେ, ବରୀ ମାଟି ସ୍ବାଧୀନତା ସଂଗ୍ରାମୀଙ୍କର ମାଟି। ଶ୍ରୁତି ବିଶ୍ବାଳଙ୍କ ସ୍ମୃତିରେ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଶ୍ରୀମତୀ ଦାସ ଆହ୍ବାନ ଦେଇଥିଲେ। ପୂର୍ବତନ ସାଂସଦ ତଥା ଜାତୀୟସ୍ତରୀୟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ସହିଦ ଶ୍ରୁତି ବିଶ୍ବାଳଙ୍କର ବୀରତ୍ବକୁ ଠିକ୍‌ଭାବେ ପ୍ରଚାର ପ୍ରସାର କରିବାକୁ ଆହ୍ବାନ ଦେଇଥିଲେ। ଡକ୍ଟର ଐଶ୍ବର୍ଯ୍ୟା ବିଶ୍ବାଳ ତାଙ୍କ ବକ୍ତବ୍ୟରେ ଭାରତୀୟ ଓ ଓଡ଼ିଆ ଲୋକଙ୍କର ବ୍ରିଟେନରେ ପ୍ରଭାବ ବିସ୍ତାର କଥା କହି ଉତ୍ସାହିତ କରିଥିଲେ। ଏ ଅବସରରେ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଦାୟାଦ ଦୟାନନ୍ଦ ମହାପାତ୍ର ଓ ଚାଖି ଖୁଣ୍ଟିଆଙ୍କ ଦାୟାଦ ଖୁଣ୍ଟିଆ ଭୀମସେନ ହଜୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀ ଅଙ୍କିତା ବିଶ୍ବାଳ ତାଙ୍କ ସ୍ବାଗତ ଭାଷଣରେ ଶ୍ରୁତି ବିଶ୍ବାଳର ବୀରତ୍ବ ଉପରେ ତଥ୍ୟଭିତ୍ତିକ ସୁଦୀର୍ଘ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତା ଦେବେନ୍ଦ୍ର ଦାସ, ଯନ୍ତ୍ରଣା ପରିକ୍ଷିତ, ଡକ୍ଟର ପ୍ରକାଶ ନାୟକ, ରବି ଶତପଥୀ ପ୍ରମୁଖ ସହିଦଙ୍କ ବିଷୟରେ ଆଲୋଚନା କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ବିଶ୍ବାଳ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର