ଗାଁ ଶ୍ମଶାନରେ ଶେଷକୃତ୍ୟ, ତୋପ ସଲାମୀ

ପୁରୀ/ବ୍ରହ୍ମଗିରି : ମୁନା ଭାଇ ଅମର ରହେ, ପାଇକ ପୁଅ ଅମର ରହେ, ଆମ ଗାଁ ଗୌରବ ମୁନା ଭାଇ.... ଏଭଳି ସ୍ଲୋଗାନରେ ଆଜି ଫାଟି ପଡ଼ିଥିଲା ରେବଣା ନୂଆଗାଁ ଦାଣ୍ଡ। ସମସ୍ତଙ୍କ ଆଖିରେ ଥିଲା ଲୁହ । ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଜି ପାଇକ ପୁଅ ବୀର ସହିଦ ଯବାନ ମନୋରଂଜନ ଲେଙ୍କାଙ୍କୁ ଦିଆଯାଇଛି ଅଶ୍ରୁଳ ବିଦାୟ। ଗାଁ ଶ୍ମଶାନରେ ସହିଦଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସିଆରପିଏଫ୍‌ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ସହିଦଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା। ହଜାର ହଜାର ଲୋକ ଏକ ବିଶାଳ ଶବ ଶୋଭାଯାତ୍ରାରେ ସହିଦଙ୍କୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନେଇଯାଇଥିଲେ।

Advertisment

ଗତକାଲି ଛତିଶଗଡ଼ ସୁକମା ଜିଲା୍ଲରେ ମାଓ ଆକ୍ରମଣରେ ସହିଦ ହୋଇଥିବା ବ୍ରହ୍ମଗିରି ରେବଣା ନୂଆଗାଁର ମନୋରଂଜନ ଲେଙ୍କାଙ୍କ ମର ଶରୀର ଆଜି ଅପରାହ୍ନରେ ସିଆରପିଏଫ୍‌ର ସ୍ୱତନ୍ତ୍ର ହେଲିକପ୍ଟର୍‌ ଯୋଗେ ରାୟପୁରରୁ ଭୁବନେଶ୍ୱର ଓ ପରେ ନିଜ ଗାଁକୁ ଅଣାଯାଇଥିଲା। ପୁରୀ ମଙ୍ଗଳାଘାଟ ସେତୁ ପାଖରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବ୍ରହ୍ମଗିରିର ହଜାର ହଜାର ଲୋକ ପୁରୀ-ସାତପଡ଼ା ରାଜପଥରେ ସହିଦଙ୍କ ସହିତ ଆସି ଗାଁରେ ପହଞ୍ଚିଥିଲେ। ରାଜପଥର ଦୁଇ ପାର୍ଶ୍ୱରେ ହଜାର ହଜାର ଜନତା ସହିଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

publive-image

ଅପରାହ୍ନ ଦୁଇଟାରେ ଗାଁର ପ୍ରବେଶ ପଥ ରେଣ୍ଢା ଛକ ଠାରେ ସହିଦଙ୍କ ମର ଶରୀର ପହଞ୍ଚିବା ପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ସହିଦଙ୍କ ଶେଷ ଦର୍ଶନ କରିଥିଲେ। ଗାଁ ମଝିରେ ସହିଦଙ୍କ ଘର ନିକଟରେ ଗାଡ଼ି କିଛି କ୍ଷଣ ପାଇଁ ଅଟକି ଗାଁ ଶ୍ମଶାନକୁ ବାହାରି ଯାଇଥିଲା। ସେଠାରେ ସହିଦଙ୍କ ମରଦେହକୁ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା। ବ୍ରହ୍ମିଗିରି ବିଧାୟକ ସଂଜୟ ଦାସବର୍ମା, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବିଭୂତିଭୂଷଣ ଦାସ, ଏସ୍‌ପି ଡା.ସାର୍ଥକ ଷଡଙ୍ଗୀ, ସିଆର୍‌ପିଏଫ ଡିଆଇଜି ପ୍ରମୁଖ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସହିଦଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇ ଯାଇଥିଲା। ସହିଦଙ୍କ ଭଣଜା ଜ୍ଞାନରଂଜନ ପ୍ରଧାନ ମୁଖାଗ୍ନି ଦେଇଥିଲେ।

ସହିଦ ମନୋରଞ୍ଜନଙ୍କୁ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି

publive-image

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୧୧ଟାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବିସ୍ଫୋରଣରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନ ଓଡ଼ିଆ ପୁଅ ମନୋରଂଜନ ଲେଙ୍କାଙ୍କ ମରଶରୀର। ଏଠାରେ ତାଙ୍କ ମରଶରୀର ଉପରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହିତ ଗାର୍ଡ ଅଫ୍‌ ଅନର ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରମୁଖ ସେଠାରେ ପହଞ୍ଚି ସହିଦଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଓ ଛତିଶଗଡ଼ରେ ଥିବା ସିଆର୍‌ପିଏଫ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ।